ଋଷଭ ପନ୍ତଙ୍କ ପୁଣି ହେବ ସର୍ଜରୀ, ପଢନ୍ତୁ ହେଲଥ୍ ଅପଡେଟସ୍
15/01/2023 at 5:35 PM

ମୁମ୍ବାଇ ୧୫।୧: ଟିମ୍ ଇଣ୍ଡିଆ ୱିକେଟ୍ କିପର ଋଷଭ ପନ୍ତ ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପନ୍ତ ତାଙ୍କ କାରରେ ରୁରକୀ ଯାଉଥିବା ବେଳେ ରାସ୍ତାରେ ଦୁର୍ଘଟଣାର ଶିକାର ହୋଇଥିଲେ। ପନ୍ତ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ପରେ ତାଙ୍କୁ ମୁମ୍ବାଇ କୋକିଲା ବେନ୍ ହସ୍ପିଟାଲ ସିଫ୍ଚ କରାଯାଇଛି। ଏଠାରେ କିଛି ଦିନ ପୂର୍ବରୁ ପନ୍ତଙ୍କ ସର୍ଜରୀ ହୋଇଛି। ଏଥିରେ ତାଙ୍କ ଲିଗାମେଣ୍ଟର ରିକନଷ୍ଟ୍ରକ୍ସନ ସର୍ଜରୀ ହୋଇଥିଲା। ତେବେ ଚିକିତ୍ସା ଏବେ ଅଧା ହୋଇଛି।
ଆଗାମୀ ୬ ସପ୍ତାହରେ ପନ୍ତଙ୍କ ଠାରେ ଆଉ ଏକ ସର୍ଜରୀ ହୋଇପାରେ। ଏଣୁ ଋଷଭ ପନ୍ତ ଆଇପିଏଲ ଓ ଏସିଆ କପ୍ ସମେତ ଆଗାମୀ ଅକ୍ଟୋବର-ନଭେମ୍ବରରେ ହେବାକୁ ଥିବା ୱାନଡେ ବିଶ୍ୱକପ୍ରୁ ମଧ୍ୟ ବାଦ ପଡି ପାରନ୍ତି ବୋଲି ଆଶଙ୍କା କରାଯାଉଛି। ତେବେ ବିସିସିଆଇଙ୍କ ଜନୈକ ବରିଷ୍ଠ ଅଧିକାରୀ ପନ୍ତ ବିଶ୍ୱକପ୍ ବେଳକୁ ଫିଟ୍ ହେବା କଠିନ ବୋଲି କହିଛନ୍ତି। ଏଥିରୁ କ୍ରିକେଟକୁ ତାଙ୍କର ପ୍ରତ୍ୟାବର୍ତ୍ତନ କେବେ ହେବ ତାହା କହିବା ମଧ୍ୟ କଷ୍ଟକର ବୋଲି ଅଧିକାରୀ କହିଛନ୍ତି।

ତେବେ ତାଙ୍କର ନବୀନତମ ମେଡିକାଲ ରିପୋର୍ଟରୁ କିଛି ଭଲ ଦେଖାଯାଇନି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଯାହା ତାଙ୍କୁ ୮-୯ ମାସ ଆକ୍ସନରୁ ଦୂରରେ ରହିବାକୁ ପଡିବ। ଏଣୁ ତାଙ୍କର ବିଶ୍ୱକପ୍ ଖେଳିବା ସମ୍ଭାବନା ମଉଳି ଯାଇଛି। ହେଲେ ଆଗାମୀ ସର୍ଜରୀର ଫଳାଫଳ କିପରି ରହିବ ତା ଉପରେ ନିର୍ଭର କରୁଛି ପଡିଆକୁ ପନ୍ତଙ୍କ ପ୍ରତ୍ୟାବର୍ତ୍ତନ। କାର ଦୁର୍ଘଟଣାରେ ପନ୍ତଙ୍କୁ ଲାଗିଥିବା ଆଘାତ କେତେ ଗୁରୁତର ତାହାର ଏପର୍ଯ୍ୟନ୍ତ ଆକଳନ ହୋଇପାରିନି।
ଡେରାଡୁନରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡର ଏମଆରଆଇ ହୋଇଥିଲା। ତେବେ ଯନ୍ତ୍ରଣା ଓ ଫୁଲା କାରଣରୁ ତାଙ୍କ ଆଣ୍ଠୁ ଓ ଆଙ୍କେଲର ଏମଆରଆଇ ହୋଇ ପାରିନଥିଲା। ଫୁଲା କମିବା ପରେ ହିଁ ଲାଗିଥିବା ଆଘାତର ଜଟିଳତା ଜଣାପଡିବ। ତେବେ ପ୍ରାରମ୍ଭିକ ଯାଞ୍ଚରୁ ତାଙ୍କ ଆଙ୍କେଲ ଓ ଆଣ୍ଠୁର ସର୍ଜରୀ ହେବା ପରି ଲାଗୁଛି। ଆଣ୍ଠୁ ଲିଗାମେଣ୍ଟ ସର୍ଜରୀ ଭଲ ହେବାକୁ ଅନୁନ୍ୟ ୬ ମାସ ସମୟ ଲାଗିବ। ଯେହେତୁ ପନ୍ତ ଜଣେ ୱିକେଟ୍ କିପର ଏଣୁ ତାଙ୍କ ଆଣ୍ଠୁକୁ ତାଙ୍କୁ ମଜଭୁତ କରିବାକୁ ପଡିବ। ତେବେ ଡାକ୍ତର ଥରେ ପନ୍ତଙ୍କ ସ୍ୱାସ୍ଥ୍ୟର ଆକଳନ କଲେ ସେ କେବେ ସୁଦ୍ଧା ଫିଟ ହୋଇ ପଡିଆକୁ ଫେରିବେ ତାହା ସ୍ପଷ୍ଟ ହୋଇଯିବ।