ଧୋନୀଙ୍କ ପରେ ଭାରତୀୟ ୱିକେଟ୍ କିପର ଭାବେ ଏହି ରେକର୍ଡ କଲେ ଋଷବ ପନ୍ତ, ଦ୍ରାଭିଡ୍ ବି କରିପାରି ନଥିଲେ ଏମିତି ରେକର୍ଡ

Published By : Prameya-News7 Bureau | December 14, 2022 IST

ଢାକା: ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଦ୍ୱିତୀୟ ଭାରତୀୟ ୱିକେଟ କିପରି ଭାବେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ୪୦୦୦ ରନ୍ ପୂରା କଲେ ଋଷବ ପନ୍ତ। ଆଜି(ଡିସେମ୍ବର ୧୪) ଭାରତ-ବାଂଲାଦେଶ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଜହରୁ ଅହମଦ ଚୌଧୁରୀ ଷ୍ଟାଡିୟମ୍‌ରେ ଖେଳାଯାଉଛି। ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ଏହି ରେକର୍ଡ କରିଛନ୍ତି।

ପନ୍ତଙ୍କ ପୂର୍ବରୁ ଧୋନୀ ଜଣେ ମାତ୍ର ଭାରତୀୟ ୱିକେଟ୍ କିପର ଭାବେ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୪ ହଜାର ରନ ପୂରା କରିଛନ୍ତି। ୫୩୫ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୪୪.୭୪ ଏଭେରେଜ ହାରରେ ଧୋନୀ ୧୭୦୯୨ ରନ୍ କରିଛନ୍ତି। ସେଥିମଧ୍ୟରେ ୧୫ଟି ଶତକ ଓ ୧୦୮ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଧୋନୀ।    

ଅନ୍ୟପଟେ ପନ୍ତ ମାତ୍ର ୧୨୮ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ୩୩.୭୮ ଆଭେରଜେ ରେଟ୍‌ରେ ୪୦୨୧ ରନ୍ କରିଛନ୍ତି। ତାଙ୍କର ଟପ୍‌ ସ୍କୋର ୧୫୯ ନଟ୍‌ଆଉଟ ରହିଛି। ସେହିପରି ୱିକେଟ୍ କିପରି ଭାବେ ୧୦୯ ମ୍ୟାଚ୍ରୁ ପନ୍ତ ୩୬୫୧ ରନ୍ କରିଥିବା ବେଳେ ସେଥିରେ ୬ ଶତକ ୧୫ ଅର୍ଦ୍ଧଶତକ ହାସଲ କରିଛନ୍ତି।  

ବୁଧବାର ପନ୍ତ ଟେଷ୍ଟ ମ୍ୟାଚ୍‌ରେ ୪୫ ବଲ୍ ଖେଳି ୪୬ ରନ୍ କରିଛନ୍ତି। ଏଥିରେ ୬ଟି ଚୌକା ଏବଂ ଦୁଇଟି ୬ ରହିଛି। ଆଜିର ମ୍ୟାଚ୍‌ରେ ପଛକୁ ପଛ ଶୁଭମନ ଗିଲ୍, କଏଲ୍ ରାହୁଲ, ବିରାଟ କୋହଲିଙ୍କ ୱିକେଟ୍ ପଡ଼ିଯାଇଥିଲା। ଚତୁର୍ଥ ନମ୍ବର ବ୍ୟାଟିଂ କରିବାକୁ ଆସିଥିବା ପନ୍ତ ପୂଜାରାଙ୍କ ସହ ମିଶି ୬୪ ରନ୍‌ କରିଛନ୍ତି।

ଏହାପରେ ମହିଦି ହସନ ମିରାଜଙ୍କ ବଲ୍‌ରେ ଶଟ୍ ମାରୁଥିବା ବେଳେ ପନ୍ତ ଆଉଟ୍ ହୋଇଯାଇଥିଲେ। ପ୍ରଥମ ମ୍ୟାଚ୍‌ରେ ବାଂଲାଦେଶ କ୍ୟାପ୍ଟେନ୍ ଶକିବଲ ଅଲ୍ ହସନ ୩ଟି ୱିକେଟ୍ ନେଇଥିବା ବେଳେ ମହିଦି ଗୋଟିଏ ୱିକେଟ୍ ନେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.