ପନ୍ତଙ୍କୁ ମିଳିଲା ବଡ ସମ୍ମାନ-'ଆଇସିସି ପ୍ଲେୟାର୍ ଅଫ୍ ଦ ମନ୍ଥ୍', ପ୍ରଥମ ଖେଳାଳି ଭାବେ ପାଇଲେ ଏହି ଆଓ୍ଵାର୍ଡ

Published By : Prameya-News7 Bureau | February 08, 2021 IST

ନୂଆଦିଲ୍ଲୀ ୦୮/୦୨ : ଟିମ ଇଣ୍ଡିଆର ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦର ମାସର ସର୍ବଶ୍ରେଷ୍ଠ ଖେଳାଳି ଆୱାର୍ଡ ମିଳିଛି। ୨୩ ବର୍ଷ ବୟସ୍କ ପନ୍ତ ଅଷ୍ଟ୍ରେଲିଆ ବିପକ୍ଷରେ ସିଡନୀରେ ୯୭ ରନ କରିଥିଲେ ଯେଉଁଥିରେ ଭାରତ ମ୍ୟାଚ ଡ୍ର କରିବାରେ ସଫଳ ହୋଇଥିଲା। ବ୍ରିସବେନରେ ସେ ୮୯ ରନ କରିଥିଲେ ଓ ଭାରତ ଐତିହାସିକ ବିଜୟ ହାସଲ କରିଥିଲା। ଆଇସିସି କହିଛି ବର୍ଷ ସାରା ସବୁ ଦୃଷ୍ଟିରୁ ଉତ୍ତମ ପ୍ରଦର୍ଶନ କରିଥିବା ମହିଳା ଓ ପୁରୁଷ କ୍ରିକେଟର୍ସଙ୍କୁ ଏହି ପୁରସ୍କାର ଦିଆଯିବ। ଆଇସିସି ଚଳିତ ବର୍ଷରୁ ଏହି ପୁରସ୍କାର ପ୍ରଦାନ ଆରମ୍ଭ କରିଛି। ପନ୍ତ ପ୍ରଥମ ଖେଳାଳି ଯାହାକୁ ଏହି ଆୱାର୍ଡ ମିଳିଛି। ଇଂଲଣ୍ଡ କ୍ୟାପଟେନ ଜୋ ରୁଟ ଓ ଆୟାରଲ୍ୟାଣ୍ଡର ପାଲ ଷ୍ଟର୍ଲିଂଗ ମାସର ସର୍ବଶ୍ରେଷ୍ଠ ପୁରୁଷ ଖେଳାଳି ଦୌଡରେ ସାମିଲ ଅଛନ୍ତି।

{"id":405616,"sizeSlug":"large","linkDestination":"none"}

ପୁରସ୍କାର ହାସଲ କରିବା ପରେ ଖୁସି ଜାହିର କରି ଆଇସିସି ଦ୍ୱାରା ଜାରି ବିଜ୍ଞପ୍ତିରେ ପନ୍ତ କହିଛନ୍ତି ଯେ, "କୌଣସି ଖେଳାଳି ପାଇଁ ଟିମର ବିଜୟରେ ଯୋଗଦାନ ଦେବା ସବୁଠାରୁ ବଡ ପୁରସ୍କାର। କିନ୍ତୁ ଏହିଭଳି ପଦକ୍ଷେପ ଯୁବକଙ୍କୁ ନିଜକୁ ଶ୍ରେଷ୍ଠ କରି ଗଢିବାକୁ ପ୍ରେରିତ କରିଥାଏ। ମୁଁ ଟିମ ଇଣ୍ଡିଆର ପ୍ରତ୍ୟେକ ସଦସ୍ୟଙ୍କୁ ଏହି ପୁରସ୍କାର ସମର୍ପିତ କରୁଛି ଯେଉଁମାନେ ଅଷ୍ଟ୍ରେଲିଆରେ ଆମ ବିଜୟରେ ଯୋଗଦାନ ଦେଇଥିଲେ। ମୁଁ ସମସ୍ତ ପ୍ରଶଂସକଙ୍କୁ ମଧ୍ୟ ଧନ୍ୟବାଦ ଦେବି ଯେଉଁମାନେ ମୋତେ ଭୋଟ ଦେଇଛନ୍ତି।" ପନ୍ତ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇରେ ପ୍ରଥମ ଟେଷ୍ଟର ତୃତୀୟ ଦିନ ୯୧ ରନ କରିଥିଲେ। 

ପନ୍ତ ପୁରସ୍କାର ଜିତିବା ପରେ ଆଇସିସି ଭୋଟିଂ ଏକାଡେମୀର ସଦସ୍ୟ ଓ ପାକିସ୍ତାନର ପୂର୍ବତନ କ୍ୟାପଟେନ ରମିଜ ରାଜା କହିଛନ୍ତି ଯେ, ପନ୍ତ ଏହି ଦୁଇଟି ଇନିଂସ ଚାପରେ ଓ ଚ୍ୟାଲେଞ୍ଜକୁ ସାମ୍ନା କରି ଖେଳିଛନ୍ତି। ମ୍ୟାଚ ଡ୍ର କରିବାରେ ଓ ଜିତିବାରେ ସେ ନିଜ କୌଶଳର ବିବିଧତା ଦେଖାଇଛନ୍ତି। ସେ ଆକର୍ଷଣୀୟ ଇନିଂସ ଖେଳିଛନ୍ତି ବୋଲି କହିଛନ୍ତି ରମିଜ ରାଜା।

{"id":405622,"sizeSlug":"large","linkDestination":"none"}

ଭୋଟିଂ ଏକାଡେମୀରେ କ୍ରିକେଟ ପରିବାରର ଜଣାଶୁଣା ସଦସ୍ୟ ଅଛନ୍ତି। ଏମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ, ପୂର୍ବତନ ଖେଳାଳି, ପ୍ରସାରଣକର୍ତ୍ତା ଓ ଆଇସିସି ହଲ ଅଫ ଫେମର କିଛି ସଦସ୍ୟ ସାମିଲ ଅଛନ୍ତି ଯେଉଁମାନେ ମୁଖ୍ୟତଃ ବିଜେତା ଚୟନ କରିବେ। ଏହି ଭୋଟିଂ ଏକାଡେମୀରେ ଭାରତର ବରିଷ୍ଠ କ୍ରିକେଟର ଭିଭିଏସ ଲକ୍ଷ୍ମଣ ଓ ଖେଳ ସାମ୍ବାଦିକ ମୋନା ପାର୍ଥସାରଥୀ ସାମିଲ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.