ନୁହ ହିଂସା, ଦଙ୍ଗାକାରୀମାନେ ଜଳାଇଦେଲେ ମହିଳା ଜଜ୍ଙ୍କ କାର, ୩ ବର୍ଷର ଝିଅକୁ ଧରି ବସ୍ ଷ୍ଟାଣ୍ଡରେ ଲୁଚି ବଞ୍ଚାଇଲେ ଜୀବନ
3/08/2023 at 11:37 AM

ଗୁରୁଗ୍ରାମ ୦୩/୦୮: ହରିୟାଣା ସାମ୍ପ୍ରଦାୟିକ ହିଂସା ସମୟରେ ଜଳୁଛି ନୁହ । ଏଠାରେ ହିଂସା ଏମିତି ବ୍ୟାପିଛି ଯେ, ଦଙ୍ଗାକାରୀମାନେ ମହିଳା ଜଜଙ୍କ ଗାଡିରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛନ୍ତି । ତେବେ ସୌଭାଗ୍ୟବଶତଃ ଅଳ୍ପକେ ବର୍ତ୍ତି ଯାଇଛନ୍ତି ବିଚାରପତି ଏବଂ ତାଙ୍କର ତିନି ବର୍ଷର ଝିଅ । ସୂଚନା ଥାଉକି, ମଙ୍ଗଳବାର ନୁହ ନଗର ପୋଲିସ ଷ୍ଟେସନରେ ହୋଇଥିଲା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ।
ପୋଲିସ କହିବା ଅନୁଯାୟୀ, ସୋମବାର ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ହିଂସାରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ(ACJM) ଅଞ୍ଚଳି ଜୈନଙ୍କ କାର୍ ଉପରକୁ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ । କାରରେ ତାଙ୍କ ୩ ବର୍ଷର ଝିଅ ଥିବାବେଳେ ଗାଡି ଉପରକୁ ଗୁଳିଚାଳନା କରାଯାଇଥିଲା । ଉଭୟ ଭୟରେ ନିକଟରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଲୁଚି ଯାଇଥିଲେ । ପରବର୍ତ୍ତୀ ସମୟରେ କିଛି ଆଇନଜୀବୀମାନେ ଆସି ତାଙ୍କୁ ଉଦ୍ଧାର କରିଥିଲେ ।
ଏନେଇ ନୁହ ଥାନାରେ ଏକ ମାମଲା ରୁଜୁ କରାଯାଇଛି । କହିବାକୁ ଗଲେ ଜୁଲାଇ ୩୧ରୁ ହରିୟାଣାରେ ବିଶ୍ୱ ହିନ୍ଦୁ ପରିଷଦର ବ୍ରଜମଣ୍ଡଳ ଜଳାଭିଷେକ ଯାତ୍ରା ବାହାରିଥିଲା । ଏହି ସମୟରେ କିଛି ଦୁର୍ବୃତ୍ତ ଧାର୍ମିକ ଶୋଭାଯାତ୍ରା ଉପରେ ପଥର ମାଡ କରିଥିଲେ । ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଙ୍ଘର୍ଷ ହୋଇଥିଲା । ଏଥିରେ ତିନି ଜଣ ସାଧାରଣ ନାଗରିକ, ଦୁଇ ଜଣ ହୋମଗାର୍ଡ ଏବଂ ଜଣେ ଇମାମଙ୍କ ଜୀବନ ମଧ୍ୟ ଯାଇସାରିଲାଣି ।
ଧୀରେ ଧୀରେ ହିଂସା ବ୍ୟାପିବାକୁ ଲାଗିଛି। ରାଜ୍ୟର ଆଖପାଖ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଶାନ୍ତି ଫେରାଇ ଆଣିବା ପାଇଁ ପୁଲିସ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। ସ୍ଥାନୀୟ କେତେକ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ଏବଂ ଏସଏମଏସ ସେବାକୁ ଆଗାମୀ ୫ ତାରଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। ଏବେ ବି ସେଠାରେ ୧୪୪ ଧାରା ଲାଗୁ ହୋଇଛି ।
you can also read…