ଶ୍ରୀକାନ୍ତ ଭେଙ୍କଟଚାରୀ ହେବେ ରିଲାଏନ୍ସର ପରବର୍ତ୍ତୀ CFO, ୧୪ ବର୍ଷ ଧରି ରହିଛନ୍ତି କମ୍ପାନୀ ସହ
26/03/2023 at 2:55 PM

ନୂଆଦିଲ୍ଲୀ, ୨୬/୦୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାର ପରିଚାଳନାରେ ପରିବର୍ତ୍ତନ କରିଛି। ଶ୍ରୀକାନ୍ତ ଭେଙ୍କଟଚାରୀଙ୍କୁ ଏହାର ନୂଆ ସିଏଫଓ ଭାବରେ ନିଯୁକ୍ତ କରିଛି ରିଲାଏନ୍ସ ଇଣ୍ଡଷ୍ଟ୍ରି। ୧ ଜୁନ୍ ଠାରୁ ସେ କାର୍ଯ୍ୟଭାର ସମ୍ଭାଳିବେ। ସେ କମ୍ପାନୀର ବର୍ତ୍ତମାନର ସିଏଫଓ ଆଲୋକ ଅଗ୍ରଓ୍ବାଲଙ୍କ ସ୍ଥାନ ନେବେ। ଏନେଇ ଶୁକ୍ରବାର କମ୍ପାନି ଶେୟାର ବଜାରକୁ ସୂଚନା ଦେବା ସହ, ରିଲାଏନ୍ସ ଏହି ନିଯୁକ୍ତିକୁ ନେଇ କହିଛି ଯେ ଶ୍ରୀକାନ୍ତ କମ୍ପାନୀର ବିକାଶ ଏବଂ ଏହାର ଭବିଷ୍ୟତ ଯୋଜନା ଆଗକୁ ବଢ଼ାଇବେ।
୧ ଜୁନ୍ ୨୦୨୩ ଠାରୁ ଆଲୋକ ଅଗ୍ରଓ୍ବାଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଏବଂ ପ୍ରବନ୍ଧ ନିର୍ଦ୍ଦେଶକଙ୍କ ବରିଷ୍ଠ ପରାମର୍ଶଦାତା ଭୂମିକା ନିଭାଇବେ। ଆଲୋକ ଅଗ୍ରଓ୍ବାଲ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସହ ୩୦ ବର୍ଷ ପୂରା କରିଛନ୍ତି। ତାଙ୍କୁ ୨୦୦୫ ରେ କମ୍ପାନୀର ସିଏଫଓ ନିଯୁକ୍ତ କରାଯାଇଥିଲା। ସେହିପରି ଭେଙ୍କଟଚାରୀ ୧୪ ବର୍ଷରୁ କମ୍ପାନୀ ସହ ରହିଛନ୍ତି ।
କିଏ ଶ୍ରୀକାନ୍ତ ଭେଙ୍କଟଚାରୀ ?
୬୫ ବର୍ଷୀୟ ଶ୍ରୀକାନ୍ତ ଭେଙ୍କଟଚାରୀ ବିଗତ ୧୪ ବର୍ଷରୁ ରିଲାଏନ୍ସ ସହ ରହିଛନ୍ତି। ଗତ କିଛି ବର୍ଷରେ ସେ ଜଏଣ୍ଟ ଚିଫ୍ ଫାଇନାନ୍ସସିଆଲ ଅଫିସର ଭାବରେ ରିଲାଏନ୍ସ ସହ କାମ କରୁଛନ୍ତି। ରିଲାଏନ୍ସ ପୂର୍ବରୁ ସେ ୨୦ ବର୍ଷ ପର୍ଯ୍ୟନ୍ତ ‘ସିଟି ଗ୍ରୁପ୍’ ସହ କାମ କରିଛନ୍ତି। ଯେଉଁଠାରେ ସେ ଫୋରେକ୍ସ (Forex) ଟ୍ରେଡିଂ ମୁଖ୍ୟ ଥିଲେ। ତାଙ୍କ ପାଖରେ ମାର୍କେଟ ଅପରେସନ, ଯୋଜନାର ଭଲ ଅନୁଭବ ରହିଛି।