ଆଉ ଶୁଭୁନି କ୍ରିଂ କ୍ରିଂ କ୍ରିଂ...ଅତୀତ ହେବାକୁ ବସିଛି ରିକ୍ସା, ଡିଜଟାଲ୍ ଦୁନିଆରେ ହୋଇପଡିଛି ଅଲୋଡ଼ା

Published By : Prameya-News7 Bureau | September 03, 2022 IST

ଭୁବନେଶ୍ୱର,୦୩/୦୯ ‘କ୍ରିଂ କ୍ରିଂ କ୍ରିଂ…। ରିକ୍ସା…ରିକ୍ସା… । କେଉଁଠି କି ଯିବେ? ଆଜ୍ଞା ଚାଲନ୍ତୁ ଛାଡିଦେବି । ନା’ ନା’ ଆମ ଲଗେଜ ନେଇ ଷ୍ଟେସନ୍ ପାଖରେ ରଖି ଦିଅନ୍ତୁ । ଆମେ ଚାଲିକି ଯାଉଛୁ ।’ ଇଏ ହେଉଛନ୍ତି ୬ନମ୍ବର ରାଧାକୃଷ୍ଣ ବସ୍ତିରେ ରହୁଥିବା ଶଙ୍କର ସାହୁ । ଭୁବନେଶ୍ୱରରେ ୧୯୮୨ ମସିହାରୁ ରିକ୍ସା ଚଳଉଛନ୍ତି । କିଛି ରୋଜଗାର ଆଶାରେ ଷ୍ଟେସନ ପାଖରେ ନିତି ଦିନ ଅପେକ୍ଷାରେ ରହୁଛନ୍ତି, ମାତ୍ର ରିକ୍ସାରେ ବସିବାକୁ ଗ୍ରାହକ ଅମଙ୍ଗ ହେଉଛନ୍ତି ।

ଶଙ୍କର କହନ୍ତି, ‘ଆଗ ଭଳି ଆଉ ରିକ୍ସାରୁ ରୋଜଗାର ହେଉନି । ମୋ ସାଙ୍ଗରେ ଯିଏ ସବୁ ରିକ୍ସା ଟାଣୁଥିଲେ ସେମାନେ ଅନ୍ୟ ଧନ୍ଦା କରି ରୋଜଗାର କରୁଛନ୍ତି । ଅଟୋରିକ୍ସା ପାଇଁ ସମ୍ବଳ ନଥିବାରୁ ୨୦୧୨ ମସିହାରେ ୪ ହଜାର ଟଙ୍କା ଦେଇ ରିକ୍ସା କିଣିଥିଲି । ଆଉ ଆଜି ବି ସେଇ ରିକ୍ସାକୁ ଆଶ୍ରା କରି ବଞ୍ଚିଛି ।’

ଜୀବିକା ପାଇଁ କେତେ ଜଣ ଅନ୍ୟ ବେଉସା ଆଦରି ନେଇଛନ୍ତି । ହେଲେ ରିକ୍ସା ସହିତ ଯିଏ ଭାବପ୍ରବଣତାର ମୋହ ତୁଟାଇ ପାରିନି ସେମାନଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଛି । ଆଉ ଜଣେ ସେମିତି ବ୍ୟକ୍ତି ହେଲେ ନାହିଆ ଜିନା । ଘର କେନ୍ଦୁଝର ଜିଲ୍ଲାରେ । ଦୀର୍ଘ ବର୍ଷ ହେଲା ସେ ଭୁବନେଶ୍ୱରରେ ରହି ରିକ୍ସା ଟାଣୁଛନ୍ତି । ରିକ୍ସାରୁ କମୁଥିବା ରୋଜଗାର ଆଉ ବଢ଼ୁଥିବା ପରିବାର ଜଞ୍ଜାଳ ସତେ ଯେମିତି ତାଙ୍କୁ ବିତସ୍ପୃହ କରିଦେଇଛି । ପରିବାର, ରୋଜଗାର ଯାହା ପଚାରିଲେ କେବଳ ଗୋଟିଏ ଉତ୍ତର ମିଳୁଛି ‘କହିଲେ କ’ଣ ହେବ । କିଛି ଲାଭ ନାହିଁ।’

wp:gallery {"linkTo":"none"} /wp:gallery

ଦିନ ଥିଲା ଗମନାଗମନର ମୂଳ ମାଧ୍ୟମ ଥିଲା ରିକ୍ସା । ବାଟ ଅବାଟର ଥିଲା ଏକମାତ୍ର ସାହାରା । ପ୍ରଥମେ କଲିକତା ହାତ ଟଣା ରିକ୍ସା, ତା’ପରେ ସାଇକେଲ ରିକ୍ସା ଆସିଲା । ହେଲେ ସହରୀକରଣର ଗାଡ଼ି ମୋଟର ଭିଡ ଭିତରେ ରିକ୍ସା ଏବେ ହଜେଇ ସାରିଛି ପରିଚୟ । ଅଲୋଡା ହୋଇଯାଇଛି ଅନେକ ରିକ୍ସାବାଲାଙ୍କ ଜୀବନ । ଯେଉଁ ରିକ୍ସା ଦିନେ କୁଟୁମ୍ବ ପୋଷୁ ଥିଲା, ସେ ଆଜି ସଜାଡ଼ି ହେବା ଲାଗି ସାମର୍ଥ୍ୟ ହରାଉଛି ।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ପାଖରେ ମାତ୍ର ହାତ ଗଣତି ୧୦ରୁ କମ୍ ରିକ୍ସା ଥିବ । ସେଥିରୁ କିଛି ତାଲା ପକା ହୋଇ ନଷ୍ଟ ହେବାକୁ ଛାଡ଼ି ଦିଆଯାଇଛି ତ ଆଉ କିଛିକୁ ତା’ ମାଲିକ ଛାଡ଼ି ଗାଁକୁ ପଳାଇଛି । କିଛି ରିକ୍ସା ନିଜ ଅସ୍ତିତ୍ୱକୁ ମାଟିରେ ମିଶାଇବାକୁ ଅପେକ୍ଷା କରି ରହିଛି । ଭୁବନେଶ୍ୱରରେ ରିକ୍ସା ଟାଣୁଥିବା ନୟାଗଡ଼ର ଭାଗିରଥୀ ନାୟକ କହନ୍ତି, କାଳେ ଅପରିଷ୍କାର ରହିଲେ ଭଡ଼ା ମିଳିବନି, ସେଥିଲାଗି ପ୍ରତିଦିନ ସକାଳୁ ଭଲ ପ୍ୟାଣ୍ଟସାର୍ଟ ପିନ୍ଧି ମାଷ୍ଟରକ୍ୟାଣ୍ଟିନ ଆସିଯାଏ । ହେଲେ ଦିନକୁ ଗୋଟିଏ ଭଡ଼ା ମିଳିବା କଷ୍ଟକର ହୋଇପଡେ । ଭଡ଼ା ବଦଳରେ ମିଳେ ଲଗେଜ୍ ବୋହିବାର କାମ ।

ଆମ ମାଲିକ ରାମ ରାଓର ୪୦ ଖଣ୍ଡ ରିକ୍ସା ଥିଲା । ୧୦ବର୍ଷ ପୂର୍ବରୁ ବି ରିକ୍ସାର ଚାହିଦା ଭାରି ଅଧିକ ଥିଲା। ସେତେବେଳେ ସମୟରେ ଦିନକୁ ୧୦୦ଟଙ୍କା ବହୁତ ଅଧିକ ଥିଲା । ଆମର ତା’ଠାରୁ ଅଧିକ ବେପାର ହେଉଥିଲା । ଧୀରେ ଧୀରେ ଅଟୋ, ବାଇକ୍ରେ ଗମନାଗମନ ସହଜ ହେବାକୁ ଲାଗିଲା ଲୋକେ ଆଉ ରିକ୍ସାରେ ଯିବାକୁ ପସନ୍ଦ କଲେନି । ମାଲିକ ରିକ୍ସା ଗୁଡ଼ିକ ଆମକୁ ମାଗଣାରେ ଦେଇ ପଳାଇଲେ । କିଛି ରିକ୍ସା ତ କେହି ନେବାକୁ ଅମଙ୍ଗ ହେଲେ ଏମିତି ପଡ଼ି ପଡ଼ି ଖତ ଖାଇଗଲା । ଆମର କିଛି ଉପାୟ ନଥିଲା ବୋଲି ରିକ୍ସା ରଖିଲୁ । ହେଲେ ଏଥିରେ ଆଉ କୁଟୁମ୍ବ ଚଳୁନି । ପରିବାର ସଦସ୍ୟ ୬ଜଣରୁ ଅଧିକ । ହେଲେ ଦିନରେ ଭଡ଼ା ୫୦ଟଙ୍କା ବି ହେଉନି । ବୟସ ହେଲାଣି ମୂଲ ବି ଲାଗିବା କଷ୍ଟକର ହୋଇ ପଡ଼ୁଛି ।

wp:gallery {"linkTo":"none"} /wp:gallery

ସେ କହନ୍ତି, କିଛି ବର୍ଷ ପୂର୍ବର କଥା ମୋ ଆଖିରେ ଜଳ ଜଳ ହୋଇ ଦିଶୁଛି ରିକ୍ସାର ଚାହିଦା କେମିତି ଥିଲା । ରିକ୍ସାରେ ଯିବାଲାଗି ଭିଡ଼ାଭିଡ଼ି ଲୋକେ ହୁଅନ୍ତି । ମୋ ରିକ୍ସା ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ହଷ୍ଟେଲ ଯାଇଛି, ସ୍କୁଲ ପିଲାଙ୍କୁ ବୋହିଛି । ବାଳକାଟି, କଟକ, ଚନ୍ଦକା ନୂଆଗାଁ, ଲିଙ୍ଗରାଜ ମନ୍ଦିର, ରଘୁନାଥପୁର ସହ ଜଟଣୀ ଯାଏ ଲୋକଙ୍କ ସାଥୀ ହୋଇଛି । ହେଲେ ଏବେ ସେ ଖୋଜୁଛି ନିଜ ଅସ୍ତିତ୍ୱ । ଝୁରି ହେଉଛି ତା’ର ପୁରୁଣା ସ୍ମୃତିକୁ ନେଇଥିବା କାହାଣୀ । ସେମିତି ପୁରୁଣା ଭୁବନେଶ୍ୱରରେ ଆଉ ରିକ୍ସା ନାହିଁ । କିଛି ବର୍ଷ ପୂବେ ଗୋଟିଏ ଦୁଇଟା ଥିଲା ତାହା ବି ଆଉ ନାହିଁ । ପରିବର୍ତ୍ତନଶୀଳ ଦୁନିଆରେ ଏବେ ଅଲୋଡ଼ା ମୋ ରିକ୍ସା…..

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.