‘ଲକ୍ଷ୍ମଣରେଖା ଉଲ୍ଲଂଘନ କର ନାହିଁ’, ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ନେଇ SCଙ୍କୁ ରିଜିଜୁଙ୍କ ଟାର୍ଗେଟ୍
18/03/2023 at 9:56 PM

ନୂଆଦିଲ୍ଲୀ: ଜଜଙ୍କ ନିଯୁକ୍ତି ନେଇ କଲେଜିୟମର ପ୍ରଣାଳୀ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଅନେକ ଥର ଟିପ୍ପଣୀ କରି ସାରିଛନ୍ତି। ଏଥର ରିଜିଜୁ ନିର୍ବାଚନ ପ୍ରକ୍ରିୟାରେ ‘ପାରଦର୍ଶିତା ବଜାୟ ରଖିବା’ ସୁପ୍ରିମକୋର୍ଟଙ୍କ ସଦ୍ୟତମ ନିଷ୍ପତ୍ତିର ସମାଲୋଚନା କରିଛନ୍ତି। ରିଜିଜୁ ଶନିବାର କହିଛନ୍ତି, ଆମର ସମ୍ବିଧାନ ସରକାର, ବିଧାୟିକା ଏବଂ ନ୍ୟାୟପାଳିକାର କ୍ଷମତାକୁ ସଠିକ୍ ଭାବେ ନିର୍ଦ୍ଧାରିତ କରିଛନ୍ତି। ଏହାର ଉଲ୍ଲଂଘନ କରାଯାଇ ପାରିବ ନାହିଁ। ସଂଯୋଗବଶତଃ ମାର୍ଚ୍ଚ ୨ରେ ସୁପ୍ରିମକୋର୍ଟର ପାଞ୍ଚ ଜଣିଆ ସାମ୍ବଧାନିକ ପୀଠ ନିଷ୍ପତ୍ତିରେ ଶୁଣାଇଥିଲେ ଯେ, ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଲାଗି ଏକ କମିଟି ଗଠନ କରାଯିବ। ଏଥିରେ ପ୍ରଧାନମନ୍ତ୍ରୀ, ପ୍ରଧାନ ବିଚାରପତି ଏବଂ ନେତା ସାମିଲ୍ ହେବେ।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନିଷ୍ପତ୍ତି ଉପରେ ରିଜିକୁ କହିଛନ୍ତି, ସମ୍ବିଧାନରେ ନିର୍ବାଚନ ଆୟୋଗ ନିଯୁକ୍ତ କରାଯିବାର ପ୍ରାବଧାନ ରହିଛି। ସଂସଦ ଯେଉଁ ଆଇନ ପ୍ରସ୍ତୁତ କରେ ତଦନୁଯାୟୀ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି କରାଯାଏ। ରିଜିଜୁ ଏହା ମଧ୍ୟ ମନେ ପକାଇଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ଲାଗି ସଂସଦରେ ଅଦ୍ୟାବଧି କୌଣସି କମିଟି ଗଠନ କରି ନାହିଁ।
ଏହା ପୂର୍ବରୁ ନରେନ୍ଦ୍ର ମୋଦୀ ସରକାର ନିର୍ବାଚନ ଆୟୋଗଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରୁଥିବା ବିରୋଧୀ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତି ପରେ କଂଗ୍ରେସ ସମେତ ଅନେକ ବିରୋଧୀ ଦଳ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୋଗ ଏବଂ ନିର୍ବାଚନ ଆୟୋଗଙ୍କ ଇସ୍ତଫା ଦାବି କରିଛନ୍ତି। କିଛି ରାଜନୈତିକ ବିଶେଷଜ୍ଞଙ୍କ ମତରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତିର ପରିଣାମସ୍ଵରୂପ ସରକାରଙ୍କ ଉପରେ ଚାପ ବଢି ଯାଇଛି।
ସଂଯୋଗବଶତଃ ବର୍ତ୍ତମାନର ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାରଙ୍କ କାର୍ଯ୍ୟକାଳ ୨୦୨୫ ପର୍ଯ୍ୟନ୍ତ ରହିଛି। ତାଙ୍କ ତତ୍ଵାବଧାନରେ ହିଁ ୨୦୨୪ ସାଧାରଣ ନିର୍ବାଚନ ହେବ। ଅନ୍ୟ ଦୁଇ ନିର୍ବାଚନ ଆୟୋଗଙ୍କ ମଧ୍ୟରୁ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରିଥିବା ଅନୁପ ଚନ୍ଦ୍ରଙ୍କ କାର୍ଯ୍ୟକାଳ ଲୋକସଭା ନିର୍ବାଚନ ଠିକ୍ ପୂର୍ବରୁ ୨୦୨୪ ଫେବୃଆରୀରେ ସମାପ୍ତ ହେଉଛି। ଅନ୍ୟ ଜଣେ ନିର୍ବାଚନ ଆୟୋଗ ଅରୁଣ ଗୋୟଲଙ୍କ କାର୍ଯ୍ୟକାଳ ୨୦୨୭ ସୁଦ୍ଧା ରହିଛି।