ଲକ୍ ଡାଉନ୍‌ରେ ଅନୁମତି ମିଳିବା ପରେ ବି ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ପହଞ୍ଚି ପାରିଲେନାହିଁ ଝିଅ ରିଦ୍ଧିମା

Published By : Prameya-News7 Bureau | April 30, 2020 IST

ମୁମ୍ବାଇ ୩୦।୪: ହିନ୍ଦୀ ସିନେମାର ଆଉ ଜଣେ ତାରକା ଅଭିନେତା ଋଷି କପୁର ୩୦ ଅପ୍ରେଲ ୨୦୨୦ରେ ଅଲବିଦା କହିଛନ୍ତି । ତାଙ୍କ ଅନ୍ତିମ ସଂସ୍କାରରେ ପରିବାର ୨୦ ସଦସ୍ୟ ଉପସ୍ଥିତ ଥିଲେ । ଦୁଃଖର ବିଷୟ ହେଉଛି ଯେ ତାଙ୍କ ଅନ୍ତିମ ସଂସ୍କାରରେ ଝିଅ ରିଦ୍ଧିମା ପହଞ୍ଚି ପାରିଲେନାହିଁ । ଯଦିଓ ଦିଲ୍ଲୀ ପୋଲିସ ଗୁରୁବାର ସକାଳେ ତାଙ୍କୁ ମୁଭମେଣ୍ଡ ପାସ୍ ଦେଇଦେଇଥିଲେ ତଥାପି ମୁମ୍ବାଇ ପର୍ଯ୍ୟନ୍ତ ଦୀର୍ଘ ଯାତ୍ରା ହେତୁ ସେ ତାଙ୍କ ବାପା ଋଷି କପୁରଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବା ପାଇଁ ପହଞ୍ଚିପାରିଲେନାହିଁ ।

ମରିନ୍ ଲାଇନ୍ସର ଚନ୍ଦନୱାଡି ଶ୍ମଶାନ ଘାଟରେ ଋଷି କପୁରଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି ।ଅନ୍ତିମ ସଂସ୍କାର ବେଳେ ସୈଫ ଅଲ୍ଲୀ ଖାନ, କରୀନା କପୁର, ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ, ନୀତୁ କପୁର, ଆଦର ​​ଜୈନ, କୁନାଲ କପୁର ଏବଂ କପୁର ପରିବାରର ଅନ୍ୟ ଘନିଷ୍ଠ ବନ୍ଧୁମାନେ ଏଥିରେ ସାମିଲ ହୋଇଥିଲେ । ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ନିକଟ ସଂପର୍କୀୟ ଅନ୍ୟ ୫ ଜଣ ମଧ୍ୟ ସାମିଲ ହୋଇଥିଲେ । ଋଷିଙ୍କ ମୃତ୍ୟୁ ସାରା କପୁର ପରିବାର ପାଇଁ ଏକ ବଡ ଝଟକା । ବିଶେଷକରି ନୀତୁ କପୁର, ରଣବୀର ଏବଂ ରିଦ୍ଧିମା କପୁରଙ୍କ ପାଇଁ ଏହି ଦୁଃଖ ସମୟର ସାମ୍ନା କରିବା ଅତ୍ୟନ୍ତ କଷ୍ଟକର ।

ରିପୋର୍ଟ ଅନୁଯାୟୀ, ରିଦ୍ଧିମା ଦିଲ୍ଲୀରେ ରୁହନ୍ତି । ଲକ୍ ଡାଉନ୍ ଯୋଗୁଁ ସେମାନେ ମୁମ୍ବାଇ ଆସିବାରେ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ରିଦ୍ଧିମାଙ୍କ ସହ ଦିଲ୍ଲୀରେ ରହୁଥିବା ଋଷିଙ୍କ ସମ୍ପର୍କୀୟମାନେ ମୁମ୍ବାଇ ଆସିବାକୁ ମୁଭମେଣ୍ଟ ପାସ୍ ଦିଲ୍ଲୀ ପୋଲିସ ପକ୍ଷରୁ ଜାରି କରାଯାଇଥିଲା । ସକାଳ ୧୦ଟା ୩୦ରେ ତାଙ୍କୁ ପାସ୍ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା  । ଏହା ପରେ ରିଦ୍ଧିମାଙ୍କ ସହ ଅନ୍ୟ ୫ଜଣ ଗାଡିରେ ମୁମ୍ବାଇ ଆସିବାକୁ ପ୍ରସ୍ତୁତି କରିଥିଲେ । କିନ୍ତୁ ସେମାନଙ୍କୁ ମୁମ୍ବାଇରେ ପହଞ୍ଚିବାକୁ ୧୪ରୁ ୧୫ ଘଣ୍ଟା ସମୟ ଲାଗିଥାନ୍ତା ।

ମାତ୍ର ଏପଟେ ଲକ୍ ଡାଉନ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ୩ ଟା ସୁଦ୍ଧା ଅନ୍ତିମ ସଂସ୍କାର କରିବାକୁ ହେବ ବୋଲି ବିଏମସି ପକ୍ଷରୁ କୁହାଗଲା । ଫଳରେ ପରିବାର ଲୋକ ରିଦ୍ଧିମାଙ୍କ ଅନୁପସ୍ଥିତିରେ ଶେଷକୃତ୍ୟ ସମ୍ପନ୍ନ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା କିନ୍ତୁ ରିଦ୍ଧିମାଙ୍କୁ ବେଶ୍ ମର୍ମାହତ କରିଛି ଯେ, ସେ ବାପାଙ୍କୁ ଶେଷ ଦର୍ଶନ କରିପାରିଲେ ନାହିଁ । ଋଷି କପୁରଙ୍କ ତାଙ୍କ ଝିଅ ରିଦ୍ଧିମାଙ୍କର ଅତି ନିକଟତର ଥିଲେ । ଅନ୍ତିମ ସଂସ୍କାର ପାଇଁ ତାଙ୍କର  ନପହଞ୍ଚିବା ପରିବାର ତଥା ରିଦ୍ଧିମାଙ୍କ ପାଇଁ ବେଶ୍ କଷ୍ଟଦାୟକ ନିଷ୍ପତ୍ତି ଥିଲା ।

ଋଷି କପୁରଙ୍କ ବିୟୋଗ ପରେ ସମଗ୍ର ଦେଶରେ ଶୋକର ଲହରୀ ଖେଳିଯାଇଛି । ଗୋଟିଏ ଦିନ ପୂର୍ବରୁ ଇରଫାନ ଖାନଙ୍କୁ ହରାଇଥିବାରୁ ବଲିଉଡ୍ ଜଗତ ଋଷିଙ୍କୁ ହରାଇ ବେଶ୍ ମର୍ମାହତ । ଇରଫାନଙ୍କ ଯିବାର ମାତ୍ର ୨୪ ଘଣ୍ଟା ମଧ୍ୟରେ ଋଷି କପୁରଙ୍କ ବିୟୋଗ ବଲିଉଡ୍ କୁ ଏକ ଶକ୍ତ ଝଟକା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.