ପଣ୍ଟିଂଙ୍କ ମୁହଁରେ ରୋହିତଙ୍କ ପ୍ରଶଂସା, କହିଲେ- ସେ ଜଣେ ଅଭିଜ୍ଞ ଅଧିନାୟକ, ତାଙ୍କ କ୍ୟାପଟେନସିପ୍‌ର ମୁଁ ଫ୍ୟାନ୍‌...

Published By : Prameya-News7 Bureau | June 11, 2024 IST

ମୁମ୍ବାଇ ୧୧।୦୬ : ରୋହିତଙ୍କ ପ୍ରଶଂସାରେ ଗଦଗଦ ରିକି ପଣ୍ଟିଂ । ଅଷ୍ଟ୍ରେଲିଆରେ ଏହି ମହାନ ଅଧିନାୟକଙ୍କ ମତରେ ବିଶ୍ୱ କ୍ରିକେଟ୍‌ରେ ରୋହିତ ଜଣେ ଦୁର୍ଦ୍ଦଶ ବ୍ୟାଟସମ୍ୟାନ । ଏହାସହିତ ଜଣେ ଦକ୍ଷ ଅଧିନାୟକ ମଧ୍ୟ । ଯିଏକି ବିରୋଧୀଙ୍କ ପ୍ଲାନ୍‌କୁ ଫେଲ୍‌ କରିବାରେ ମାହିର । 

ରବିବାର ଦିନ ଭାରତ-ପାକିସ୍ତାନ ମଧ୍ୟରେ ଟି-୨୦ ବିଶ୍ୱକପ୍‌ର ଲିଗ୍‌ ପର୍ଯ୍ୟାୟ ମ୍ୟାଚ ଥିଲା । ଯେଉଁଥିରେ ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କରିଛି ଭାରତ । ଭାରତ ମାତ୍ର ୧୯ ଓଭର ଖେଳି ୧୧୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଯାହାଫଳରେ ୧୨୦ ରନ୍‌ର ବିଜୟ ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିଲା ପାକିସ୍ତାନୀ ଟିମ୍‌ । ପ୍ରଥମ ୧୦ ଓଭର ଏବଂ ପାଓ୍ୱାର ପ୍ଲେ୍‌ ପାକିସ୍ତାନ ଫେବରରେ ଥିଲା । ହେଲେ ଡ୍ରିଙ୍କ ବ୍ରେକ୍‌ ପରେ ହଠାତ୍‌ ପାକିସ୍ତାନ ଲଗାତର ଭାବେ ଓ୍ୱିକେଟ୍‌ ହରାଇ ଚାଲିଥିଲା । ଯାହାର ପରିଣତି ଏପରି ହେଲା କି ଭାରତୀୟ ବୋଲରମାନେ ନିଜ ନିଜ ଦକ୍ଷତା ଅନୁସାରେ ମ୍ୟାଚ୍‌କୁ ନିଜ ଅକ୍ତିଆରରେ ରଖିଥିଲେ । ଆଉ ପାକିସ୍ତାନକୁ ୨୦ ଓଭରରେ ୧୧୩ରନ୍‌ରେ ଅଟକାଇବାରେ ସଫଳ ହୋଇଥିଲା । 

ତେବେ ଏହି ମ୍ୟାଚ୍‌ ଶେଷରେ ଆଇସିସିକୁ ଏକ ସାକ୍ଷାତକାର ଦେଇଥିଲେ ଅଷ୍ଟ୍ରେଲିଆର ମହାନ ଖେଳାଳି ରିକି ପଣ୍ଟିଂ । ସେ ଏହି ସାକ୍ଷାତକାରରେ କହିଥିଲେ ଯେ, ରୋହିତ ଜଣେ ଭଲ ବ୍ୟାଟର ସହିତ ଅଭିଜ୍ଞ ଅଧିନାୟକ । କୌଣସି ବି ପରିସ୍ଥିତିରେ ବିରୋଧୀ ଟିମ୍‌କୁ ଚକ୍‌ମା ଦେବାରେ ରୋହିତଙ୍କ ରଣକୌଶଳ ବେଶ୍‌ ସହାୟକ ହୋଇଥାଏ । ମୁଁ ତାଙ୍କ ଅଧିନାୟକର ଜଣେ ବଡ଼ ଫ୍ୟାନ୍‌ । ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଯେପରି ଭାବେ ଏକ ଲୋ ସ୍କୋରିଂକୁ ଡିଫେଣ୍ଡ କରିଛି ଭାରତୀୟ ଟିମ୍‌ । ତାହା ପ୍ରଶଂସାଯୋଗ୍ୟ । ଅନ୍ୟ କୌଣସି ଟିମ୍ ହୋଇଥିଲେ ଏତେ ଲୋ ସ୍କୋରିଂ ଗେମ୍‌ରେ ହଡବଡେଇ ଯାଇଥାନ୍ତି । ହେଲେ ରୋହିତ ଶର୍ମା ଏପରି କରିବାକୁ ଦେଇନଥିଲେ । ଟିମ୍‌କୁ ବ୍ୟାକ୍‌ କରିଥିଲେ । ଆଉ ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଥିଲା । 

ସୂଚନାଯୋଗ୍ୟ ଯେ, ରୋହିତ ଶର୍ମା ଆଇପିଏଲ୍‌ ପ୍ରାଞ୍ଚାଇଜରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକ ଦାୟିତ୍ୱ ସମ୍ଭାଳିଥିଲେ । ଯେଉଁଥିରେ ମୁମ୍ବାଇ ପ୍ରାଞ୍ଚାଇଜ୍‌କୁ ୫ ଥର ଚମ୍ପିଆନ୍‌ କରିଥିଲେ ଅଧିନାୟକ ରୋହିତ ଶର୍ମା । ହେଲେ ୨୦୨୪ରେ ରୋହିତ ଶର୍ମାଙ୍କ ଠାରୁ ଅଧିନାୟକ ଦାୟିତ୍ୱ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ୍‌ସିପ୍‌ ଦିଆଯାଇଥିଲା । 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.