ଆଇପିଏଲ ନିଲାମୀ-୨୦୨୧ : ୧୪ କୋଟି ଶୁଣି ଚକିତ ହୋଇଗଲେ ରିଚାର୍ଡସନ୍, କହିଲେ- 'ବିଶ୍ୱାସ ହେଉନଥିଲା'

Published By : Prameya-News7 Bureau | February 19, 2021 IST

ନୂଆଦିଲ୍ଲୀ,୧୯/୦୨: ଅଷ୍ଟ୍ରେଲିଆର ଉଦୀୟମାନ କ୍ରିକେଟର ତଥା ଦ୍ରୁତ ବୋଲର ଝାଏ ରିଚାର୍ଡସନ୍ ଆଇପିଏଲ-୨୦୨୧ ପାଇଁ ନିଲାମରେ ୧୪ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି । ଏହି ଖବର ପରେ ସେ ଖୁସିରେ ଆତ୍ମହରା ହୋଇଯାଇଛନ୍ତି । ତାଙ୍କୁ ପଞ୍ଜାବ କିଙ୍ଗସ୍ ଏତେ ଟଙ୍କା ଦେଇ କିଣିଥିବା କଥାକୁ ସେ ବିଶ୍ୱାସ କରିପାରୁ ନାହାଁନ୍ତି ।

ଚଳିତ ସିଜିନର ବିଗ୍ ବାସ୍ ଲିଗରେ ରିଚାର୍ଡସନ୍ ସର୍ବାଧିକ ଓ୍ୱିକେଟ୍ ନେଇଥିଲେ । ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ଟି୨୦ ସିରିଜ ପାଇଁ ଖ୍ରୀଷ୍ଟଚର୍ଚ୍ଚର ଏକ ହୋଟେଲରେ କ୍ୱାରେଣ୍ଟାଇନରେ ରହିଛନ୍ତି । ସେ ଅନଲାଇନରେ ଆଇପିଏଲ-୨୦୨୧ ପାଇଁ ଚାଲିଥିବା ନିଲାମୀ ଦେଖିଥିଲେ ।

କ୍ରିକେଟ,କମ୍, ଏୟୁର କହିବାନୁସାରେ, ଏତେ ଟଙ୍କାରେ ସେ କିଣାଯାଇଥିବା କଥାକୁ ବିଶ୍ୱାସ କରିପାରୁ ନାହାଁନ୍ତି । ଏହି ୨୪ ବର୍ଷୀୟ ଖେଳାଳି କହିଛନ୍ତି ଯେ, ତାଙ୍କର ଆଶାଠାରୁ ଅଧିକ ଟଙ୍କାରେ କିଙ୍ଗସ୍ କିଣିଛି । ସହଜରେ ବିଶ୍ୱାସ ହେଉନାହିଁ । ବାରମ୍ବାର ଟଙ୍କାର ମୂଲ୍ୟକୁ ଦେଖିବାକୁ ହୋଇଥାଏ । ଏବେବି ସେ ଏହି ଖୁସିରେ ମସଗୁଲ ରହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, କିଛି ସମୟ ପାଇଁ ତାଙ୍କ ହୋସ୍ ଉଡି ଯାଇଥିଲା । ସେ ବହୁତ ଉତ୍ସାହିତ ହୋଇଯାଇଥିଲେ । ରିଚାର୍ଡସନ୍ ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ ପରେ ୧୩ଟି ଦିନିକିଆ, ୯ଟି ଟି୨୦ ମ୍ୟାଚ୍ ଖେଳିଛନ୍ତି ।

ଏତତ୍ ବ୍ୟତୀତ ସେ କହିଛନ୍ତି ଯେ, ସେ ଅଧିକ ଟେଷ୍ଟ୍ କ୍ରିକେଟ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏବେ ସେ ଟେଷ୍ଟ ଖେଳୁ ନାହାଁନ୍ତି ।  ତେଣୁ ଏବେ ତାଙ୍କ ସାମ୍ନାରେ ଯାହା ହେଉଛି ତାହା ମହତ୍ୱ ରଖେ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.