ଦେଶ ଛାଡି ପଳାୟନ କରୁଛନ୍ତି ଧନୀ ପାକିସ୍ତାନୀ, ଅଚାନକ ଉଭାନ ହେଲେଣି ୧୦ ଲକ୍ଷ ଲୋକ
11/03/2023 at 10:30 PM

ଇସ୍ଲାମାବାଦ ୧୧।୩: ପାକିସ୍ତାନର ଆର୍ଥିକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ଦେଶ ଉପରେ ଋଣ ଭାର ଏତେମାତ୍ରାରେ ବଢି ଯାଇଛି ଯେ କେତେବେଳେ ବି ଡିଫଲ୍ଟର ଘୋଷିତ ହୋଇପାରେ। ଦେଶରେ ଲୋକଙ୍କୁ ଦୁଇ ଓଳା ଦୁଇଟି ରୁଟି ମିଳିବା ବି ଏବେ କଷ୍ଟକର ହୋଇପଡିଛି। ଏଭଳି ପରିସ୍ଥିତିରେ ଧନୀ ପାକିସ୍ତାନୀମାନେ ଦେଶଛାଡି ପଳାୟନ କରିବାରେ ଲାଗିଛନ୍ତି। ଜିଓ ନ୍ୟୁଜ୍ର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରୁ ବହୁ ସଂଖ୍ୟାରେ ଧନୀ ଲୋକେ ଅନ୍ୟ ଦେଶକୁ ପଳାୟନ କରୁଛନ୍ତି।
ଏବେ ପାକିସ୍ତାନର ଧନୀ ଲୋକମାନେ ଦେଶ ଛାଡି ପଳାୟନ କରିବାକୁ ଉଚିତ ମନେ କରୁଛନ୍ତି। ଗତବର୍ଷ ପ୍ରାୟ ୧୦ ଲକ୍ଷ ପାକିସ୍ତାନୀ ଦେଶ ଛାଡି ଦେଇଥିଲେ। ଏବେ ପାକିସ୍ତାନରେ ବିଦେଶ ଯାଉଥିବା ଲୋକଙ୍କ ସଂଖ୍ୟା ଅଚାନକ ବୃଦ୍ଧି ହୋଇଛି। ୨୦୨୧ ତୁଳନାରେ ୨୦୨୨ରେ ପାକିସ୍ତାନ ଛାଡୁଥିବା ଲୋକଙ୍କ ସଂଖ୍ୟା ୨୦୦ ପ୍ରତିଶତ ବଢି ଯାଇଛି। ଏ କଥା ସେତେବେଳେ ଜଣାପଡିଥିଲା ଯେତେବେଳେ ଦେଶରେ ହଣ୍ଡା କାର କମ୍ପାନୀ ଉତ୍ପାଦନ ବନ୍ଦ କରିବା ପାଇଁ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜଙ୍କୁ ଚିଠି ଲେଖି ସୂଚିତ କରିଥିଲା।

ତେବେ ପାକିସ୍ତାନରୁ କାରବାର ବନ୍ଦ କରିବାରେ ହଣ୍ଡା କାର କମ୍ପାନୀ ଏକମାତ୍ର କମ୍ପାନୀ ନୁହେଁ। ଏହାର କିଛି ମାସ ପୂର୍ବରୁ ଅନେକ ବଡ କମ୍ପାନୀ ପାକିସ୍ତାନରୁ କଡେଇବା ଆରମ୍ଭ କରିଥିଲେ। ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ସୁଜୁକି ମୋଟର କର୍ପୋରେସନ,ଜିଏସକେ, ଅମରେଲୀ ଷ୍ଟିଲସ୍ ଲିମିଟେଡ,ମିତ୍ତଲ ଟ୍ରାକ୍ଟର୍ସ ଲିମିଟେଡ ଓ ଡାୟମଣ୍ଡ ଇଣ୍ଡଷ୍ଟ୍ରିଜ ସମେତ ଅନେକ କମ୍ପାନୀ ସେମାନଙ୍କର ପ୍ଲାଣ୍ଟ ବନ୍ଦ କରିସାରିଲେଣି। ଏବେ ପାକିସ୍ତାନରେ ସେମାନଙ୍କ ଉତ୍ପାଦ କ୍ରୟ ଲାଗି ଲୋକ ନଥିବା ଏହି କମ୍ପାନୀମାନେ କହିଛନ୍ତି।
ପାକିସ୍ତାନରେ ମୁଦ୍ରାସ୍ପିତି ହାର ଏବେ ୨୭ ପ୍ରତିଶତକୁ ପାର କରିଗଲାଣି। ଡଲାର ମୁକାବିଲାରେ ପାକିସ୍ତାନୀ ମୁଦ୍ରା ପାଖାପାଖି ୨୫ ପ୍ରତିଶତ ହ୍ରାସ ହୋଇଛି। ମୂଲ୍ୟବୃଦ୍ଧି ଦେଶରେ ଜନତାଙ୍କ ଅବସ୍ଥା ଖରାପ କରିଦେଇଛି। ଶାହବାଜ ସରକାର ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟରେ ୨୦ ପ୍ରତିଶତ ବୃଦ୍ଧି କରିଛନ୍ତି। ସେହିପରି ବିଦ୍ୟୁତ ପ୍ରତି ୟୁନିଟ୍ ୮ ଟଙ୍କା ମହଙ୍ଗା ହୋଇଯାଇଛି। ଏଥିରେ ସରକାର ବ୍ୟବସାୟୀଙ୍କୁ ଦେଉଥିବା ସବସିଡି ମଧ୍ୟ ଏବେ ସମାପ୍ତ କରିଦେଇଛନ୍ତି। ଏଣୁ ଦେଶର ଭବିଷ୍ୟତକୁ ନେଇ ଆଶଙ୍କିତ ଧନୀ ଲୋକେ ନିଜ ସୁବିଧା କରିନେଇଛନ୍ତି।