ଭାତ ଥାଳିରେ ମହଙ୍ଗା ମାଡ଼ ! ଗହମ ପରେ ବଢ଼ିଲା ରିଟେଲ ଚାଉଳ ଦର, ଜାଣନ୍ତୁ କାହିଁକି ?
24/08/2022 at 2:57 PM

ନୂଆଦିଲ୍ଲୀ ୨୪।୮: ଜନତାଙ୍କୁ ଲଗାତାର ମହଙ୍ଗା ମାଡ଼ ପଡୁଛି। ଏବେ ଲୋକଙ୍କ ଭାତ ଥାଳି ମହଙ୍ଗା ହେବ। ସପ୍ଲାଇ ସମ୍ପର୍କିତ ଚିନ୍ତାରେ ଗହମ ପରେ ଏବେ ଚାଉଳ ମୂଲ୍ୟ ବୃଦ୍ଧି ହେବାକୁ ଯାଉଛି। ଗତବର୍ଷର ସମାନ ଅବଧି ତୁଳନାରେ ଚାଉଳର ଅଲ ଇଣ୍ଡିଆ ଏଭରେଜ ରିଟେଲ ମୂଲ୍ୟରେ ୬.୩୧ ପ୍ରତିଶତ ମୂଲ୍ୟ ବୃଦ୍ଧି ସହ କେଜି ପିଛା ଦର ୩୭ଟଙ୍କା ୭୦ ପଇସାକୁ ପହଞ୍ଚିଛି।
ଚାଉଳର ଦର ନିର୍ଦ୍ଧାରଣ ଜାରି ଖରିଫ ଋତୁର ଧାନ ବୁଣା ଉପରେ ନିର୍ଭର କରେ। ଅନିୟମିତ ମୌସୁମୀ ଯୋଗୁ ଚାଷ ହ୍ରାସ ମୂଲ୍ୟ ବୃଦ୍ଧିର କାରଣ ପାଲଟିଛି। ଗତ ସପ୍ତାହ ଶେଷ ସୁଦ୍ଧା ୮.୨୫ ପ୍ରତିଶତ ଧାନବୁଣା ହ୍ରାସ ହୋଇଛି। ଏଣୁ ଦେଶରେ ଚାଉଳ ଉତ୍ପାଦନର ସମ୍ଭାବିତ ହ୍ରାସ ଖବର ଯୋଗୁ ଚାଉଳ ମୂଲ୍ୟ ବୃଦ୍ଧି ହୋଇଛି। ୨୦୨୨-୨୩ ଖରିଫରେ ଧାନବୁଣା ରକବା ଅନୁସାରେ ୧୧.୨ କୋଟି ଟନ ନିର୍ଦ୍ଧାରିତ ଚାଉଳ ଉତ୍ପାଦନ ଲକ୍ଷ୍ୟ ହାସଲ ନେଇ ବିଶେଷଜ୍ଞମାନେ ସନ୍ଦେହ ପ୍ରକାଶ କରିଛନ୍ତି। ଏଣୁ ନିର୍ଦ୍ଧାରିତ ଲକ୍ଷରୁ କମ୍ ଚାଉଳ ଉତ୍ପାଦନ ଆଶଙ୍କାରେ ମୂଲ୍ୟ ବୃଦ୍ଧି ହୋଇଛି।

କେନ୍ଦ୍ର କୃଷିମନ୍ତ୍ରାଳୟଙ୍କ ତଥ୍ୟ ଅନୁସାରେ ଗତ ଅଗଷ୍ଟ ୧୮ ତାରିଖ ସୁଦ୍ଧା ୩୪୩.୭୦ ଲକ୍ଷ ହେକ୍ଟର ଜମିରେ ଧାନ ବୁଣା ଯାଇଛି। ଯାହା ଗତବର୍ଷ ଏହି ସମୟ ସୁଦ୍ଧା ୩୭୪.୬୩ ଲକ୍ଷ ହେକ୍ଟରରେ ଚାଷ ହୋଇଥିଲା। ମୌସୁମୀ ବର୍ଷା ହ୍ରାସ ଯୋଗୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ବିହାର, ଓଡିଶା, ଉତ୍ତରପ୍ରଦେଶ, ଛତିଶଗଡ଼ , ମଧ୍ୟପ୍ରଦେଶ ଓ ତେଲେଙ୍ଗାନା ସମେତ ଧାନ ଚାଷ ହେଉଥିବା ରାଜ୍ୟମାନଙ୍କର କମ୍ ଜମିରେ ଧାନ ଚାଷ ହୋଇଥିବାର ସୂଚନା ମିଳିଛି। ଦେଶରେ ଧାନ ମୁଖ୍ୟ ଖରିଫ ଫସଲ, ଯାହା ଦକ୍ଷିଣ-ପଶ୍ଚିମ ମୌସୁମୀ ଆଗମନ ସହ ଜୁନ ମାସରୁ ବୁଣା ଆରମ୍ଭ ହୋଇଥାଏ। ଦେଶର ୮୦ ପ୍ରତିଶତ ଚାଉଳ ଖରିଫ ଚାଷରୁ ମିଳିଥାଏ।
ତେବେ ଦେଶରେ ରିଟେଲ ଚାଉଳ ମୂଲ୍ୟ ବୃଦ୍ଧି ଗହମ ଭଳି ନୁହେଁ ବୋଲି କୁହାଯାଇଛି। କାରଣ କେନ୍ଦ୍ର ସରକାରଙ୍କ ନିକଟରେ ଚାଉଳର ବିଶାଳ ଭଣ୍ଡାର ରହିଛି। ୩୯୬ ଲକ୍ଷ ଟନ ଚାଉଳର ଏହି ଭଣ୍ଡାରର ପରିସ୍ଥିତିରେ ଉପଯୋଗ ହୋଇପାରେ। ମୂଲ୍ୟ ବୃଦ୍ଧି ହେଲେ ନିୟନ୍ତ୍ରଣ ଲାଗି ସରକାର ଭଣ୍ଡାରରୁ ଚାଉଳ ବାହାର କରିପାରିବେ।