ଚାଉଳ କାରବାର ଠପ୍ : ଭାରତର କଟକଣା ପରଠୁ ଏସିଆ ବଜାରରେ ହଇଚଇ
13/09/2022 at 11:27 AM

ନୂଆଦିଲ୍ଲୀ, ୧୩|୦୯ : ଚାଉଳ ରପ୍ତାନି ଉପରେ ଭାରତର କଟକଣା ସମଗ୍ର ଏସିଆ ବଜାରରେ ହଇଚଇ ସୃଷ୍ଟି କରିଛି । ଚାଉଳ କାରବାର ଏକ୍ଦମ୍ ଠପ୍ ହୋଇଯାଇଛି । ଭାରତର କଟକଣା ଘୋଷଣା ପରଠାରୁ ଏସିଆ ବଜାରରେ ଚାଉଳ ଦର ୫% ମହଙ୍ଗା ହୋଇଯାଇଛି ।କ୍ରେତାମାନଙ୍କ ପାଇଁ ଭାରତର ବିକଳ୍ପ ଏବେ ଭିଏତ୍ନାମ, ଥାଇଲାଣ୍ଡ ଏବଂ ମ୍ୟାନ୍ମାର । ଦର ବଢ଼ୁଥିବାବେଳେ ବିକ୍ରେତାମାନେ ପୁରୁଣା ଚୁକ୍ତିକୁ ସ୍ଥଗିତ ରଖୁଛନ୍ତି । ଅଧିକ ଲାଭ ଆଶାରେ ଏମାନେ ହୁଏତ ଚୁକ୍ତି ସଂଶୋଧନ କରିପାରନ୍ତି ।
ଭାରତ ବିଶ୍ୱର ସର୍ବବୃହତ୍ ଚାଉଳ ରପ୍ତାନିକାରୀ ଭାବେ ଜଣା । ଗତ ଗୁରୁବାର ଏହା ଭଙ୍ଗା ଚାଉଳ ରପ୍ତାନି ଉପରେ କଟକଣା ଲଗାଇବା ସହ ଅନ୍ୟାନ୍ୟ କିସମ ଚାଉଳ ଉପରେ ୨୦%ର ଶୁଳ୍କ ଲାଗୁ କରିଛି । ସ୍ୱଳ୍ପବୃଷ୍ଟି ଯୋଗୁ ଉତ୍ପାଦନ କମିବ ବୋଲି ଆଶଙ୍କା କରାଯାଉଛି । ଏଭଳି ସ୍ଥିତିରେ ଘରୋଇ ବଜାରରେ ଯୋଗାଣ ବଢ଼ାଇବା ଲକ୍ଷ୍ୟରେ ସରକାର ଚାଉଳ ଉପରେ ଏଭଳି କଟକଣା ଲଗାଇଛନ୍ତି ।
ଚାଉଳ ଉପରେ କଟକଣା ମୁଦ୍ରାସ୍ଫୀତି ଲଢ଼େଇର ଅଂଶବିଶେଷ ବୋଲି ସରକାର କହିଆସୁଛନ୍ତି । ରୁଷ-ୟୁକ୍ରେନ ଯୁଦ୍ଧ ପରେ ବିଶ୍ୱ ବ୍ୟବସାୟ କ୍ଷେତ୍ରରେ ଅନେକ ବାଧା ଉପୁଯିଥିଲା । ବିଭିନ୍ନ ସାମଗ୍ରୀ ଦର ବଢ଼ିବା ଫଳରେ ମୁଦ୍ରାସ୍ଫୀତି ଅଣାୟତ୍ତ ହୋଇଛି । ଦରବୃଦ୍ଧିକୁ ଚାଉଳ ତେଜିପାରେ, ଏ ଆଶଙ୍କାରେ ସରକାର ଏହାର ରପ୍ତାନି ଉପରେ କଟକଣା ଲଗାଇଥିବା ଜଣାପଡ଼ିଛି ।
ଦେଶର ସର୍ବବୃହତ୍ ଚାଉଳ ରପ୍ତାନିକାରୀ ଭାବେ ଜଣା ସତ୍ୟମ ବାଲାଜୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହିମାଂଶୁ ଅଗ୍ରୱାଲ କହିଛନ୍ତି ଯେ, ସମଗ୍ର ଏସିଆରେ ଚାଉଳ କାରବାର ଠପ୍ । ଦର ବଢୁଛି । ଏଭଳି ସ୍ଥିତିରେ ବିକ୍ରେତାମାନେ ତରବରିଆ ହୋଇ କୌଣସି ଚୁକ୍ତି କରିବାକୁ ଚାହୁଁନାହାନ୍ତି।
ବିଶ୍ୱର ମୋଟ ଚାଉଳ ରପ୍ତାନିରେ ଭାରତର ଭାଗ ୪୦% । ଆଗାମୀ ଦିନରେ ଚାଉଳ ଦର କେତେ ବଢ଼ିବ କହିହେବ ନାହିଁ । ବିକ୍ରେତାମାନେ ବଜାରକୁ ଦେଖି ଦର ନିର୍ଦ୍ଧାରଣ କରିପାରନ୍ତି ।ବିଶ୍ୱର ୩୦୦ କୋଟିରୁ ଊଦ୍ଧ୍ୱର୍ ଲୋକ ଚାଉଳ ଉପରେ ନିର୍ଭରଶୀଳ । ୨୦୦୭ରେ ଯେତେବେଳେ ଭାରତ ଏହା ଉପରେ ରପ୍ତାନି କଟକଣା ଲଗାଇଥିଲା, ସେତେବେଳେ ବିଶ୍ୱ ବଜାରରେ ଏହାର ଦର ଟନ୍ ପିଛା ରେକର୍ଡ ୧୦୦୦ ଡଲାରରେ ପହଞ୍ଚିଥିଲା ।
୨୦୨୧ରେ ଭାରତର ଚାଉଳ ରପ୍ତାନି ରହିଥିଲା ରେକର୍ଡ ୨୧.୫ ନିୟୁତ ଟନ୍ । ବିଶ୍ୱର ଅନ୍ୟ ୪ ବୃହତ୍ ରପ୍ତାନିକାରୀ ଅର୍ଥାତ୍ ଥାଇଲାଣ୍ଡ, ଭିଏତନାମ, ପାକିସ୍ତାନ ଏବଂ ଆମେରିକାର ମିଳିତ ରପ୍ତାନି ତୁଳନାରେ ଏହା ଅଧିକ ଥିଲା । ବିଶ୍ୱର ସର୍ବବୃହତ୍ ରପ୍ତାନିକାରୀ ଦ୍ୱାରା କଟକଣା ବିଶ୍ୱ ବଜାରରେ ଅସ୍ଥିରତା ସୃଷ୍ଟି କରିବା ସ୍ୱାଭାବିକ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
ଓଲାମ ଇଣ୍ଡିଆର ଚାଉଳ ବ୍ୟବସାୟ(ଉପ-ସଭାପତି) ନିତିନ ଗୁପ୍ତା କହିଛନ୍ତି ଯେ, ଭାରତୀୟ ବନ୍ଦରଗୁଡ଼ିକରେ ଚାଉଳ ଲୋଡିଂ ବନ୍ଦ ହୋଇଯାଇଛି । ପ୍ରାୟ ୧୦ ଲକ୍ଷ ଟନ୍ ଶସ୍ୟ ଫସି ରହିଛି । କାରଣ କ୍ରେତାମାନେ ସରକାରଙ୍କ ନୂଆ ୨୦% ରପ୍ତାନି ଶୁଳ୍କ ପେମେଣ୍ଟ କରିବା ପାଇଁ ଅମଙ୍ଗ ହେଉଛନ୍ତି ।
ଭାରତୀୟ ରପ୍ତାନିକାରୀମାନେ ନୂଆ ଚୁକ୍ତି ସ୍ୱାକ୍ଷର ବନ୍ଦ କରିଦେଇଥିବାବେଳେ କ୍ରେତାମାନେ ପ୍ରତିଦ୍ୱନ୍ଦ୍ୱୀ ଥାଇଲାଣ୍ଡ, ଭିଏତନାମ ଏବଂ ମ୍ୟାନ୍ମାରରୁ ଚାଉଳ ସଂଗ୍ରହ କରିବା ପାଇଁ ଚେଷ୍ଠା କରୁଛନ୍ତି । ଗତ ୪ ଦିନରେ ଟନ୍ ପିଛା ଦର ପ୍ରାୟ ୨୦ ଡଲାର ବୃଦ୍ଧି ପାଇଛି । ଆଗକୁ ମଧ୍ୟ ଦର ଆହୁରି ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।