ଭାରତ ରପ୍ତାନୀ ଉପରେ ରୋକ ଲଗାଇବା ପରେ ବିଶ୍ୱ ବଜାରରେ ମହଙ୍ଗା ହେଲା ଚାଉଳ; ୪ ଦିନରେ ୪ ଗୁଣ ମୂଲ୍ୟ ବୃଦ୍ଧି

Published By : Prameya-News7 Bureau | September 13, 2022 IST

ନୂଆଦିଲ୍ଲୀ: ଚାଉଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଅନ୍ତର୍ଜାତୀୟ ବଜାରରେ ଚାଉଳ ଦର ହୁ ହୁ ହୋଇ ବଢିଛି। ଏସିଆ ବଜାରରେ ଚାଉଳ ଏତେ ମଙ୍ଗା ହୋଇଛି ଯେ ଆମଦାନୀ ମୂଲ୍ୟ ଅଧିକ ପଡ଼ିଯାଉଛି।

ଭାରତ ଚାଉଳ ବନ୍ଦ କରିବା ନେଇ ନିଷ୍ପତ୍ତି ନେବାର ୪ ଦିନ ପରେ ଏସିଆ ବଜାରରେ ଚାଉଳ ମୂଲ୍ୟ ୪-୫ ପ୍ରତିଶତ ବଢ଼ିଯାଇଥିଲା। ଏଥିରେ ଏସିଆରେ ବ୍ୟାପାର ପୂରା ଠପ୍ ପଡ଼ିଯାଇଛି। ଭାରତୀୟ ବ୍ୟାବସାୟୀ ନୂଆ ଚୁକ୍ତିରେ ଆଉ ସ୍ୱାକ୍ଷର କରୁ ନଥିବାରୁ ଖରିଦାରମାନେ ଭିଏତନାମ, ଥାଇଲାଣ୍ଡ ଓ ମ୍ୟାଁମାର ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଦେଶଗୁଡ଼ିକ ଚାଉଳ ଅଭାବର ଫାଇଦା ନେଇ ମୂଲ୍ୟ ବୃଦ୍ଧି କରୁଛନ୍ତି। କେବଳ ଚାଉଳ ନୁହେଁ, କେତେକ ଅନ୍ୟ କିଷମର ଶଶ୍ୟ ରପ୍ତାନୀ ଉପରେ ୨୦ ପ୍ରତିଶତ କର ଲଗାଯାଇଛି।

ଚଳିତ ବର୍ଷ ଆଶାରୁପ ବର୍ଷା ହୋଇ ନାହିଁ। ଅନେକ ସ୍ଥାନରେ ବର୍ଷା ଅଭାବ ଯୋଗୁ ରୁଆପୋତା ହୋଇପାରି ନାହିଁ। ତେଣୁ ଭାରତରେ ଚାଉଳ ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଭାରତ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ଭାରତ ୧୫୦ରୁ ଅଧିକ ଦେଶକୁ ଚାଉଳ ଯୋଗାଉଛି। ତେଣୁ ଭାରତ ରପ୍ତାନୀ ବନ୍ଦ କରିଦେଲେ ବିଶ୍ୱରେ ଏହାର ପ୍ରଭାବ ଦେଖାଦେଉଛି।  

ପୂର୍ବରୁ ମଧ୍ୟ ଗହମ ରପ୍ତାନୀ ଉପରେ ରୋକ ଲଗାଇଛି ଭାରତ । ତେଣୁ ଅନ୍ତର୍ଜାତୀୟ ବଜାରରେ ମୂଳରୁ ଗହମ ଓ ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟ ବଢ଼ୁଛି। ଏବେ ଚାଳଉ ରପ୍ତାନୀ ବନ୍ଦ ହେବା ପରେ ସ୍ଥିତି ଚିନ୍ତାଜନକ ରହିଛି।  

ଭାରତର ସବୁଠାରୁ ବଡ଼ ଚାଳଉ ରପ୍ତାନକାରୀ ସଂସ୍ଥା ସତ୍ୟମ ବାଲାଜୀର ନିର୍ଦ୍ଦେଶକ ହିମାଂଶ ଅଗ୍ରାୱାଲ କହିଛନ୍ତି “ପୂରା ଏସିଆରେ ଚାଉଳ ବ୍ୟବସାୟ ଠପ୍ ହୋଇଯାଇଛି। ବେପାରୀ ତରତରରେ କୌଣଶି ନିଷ୍ପତ୍ତି ନେବାକୁ ଚାହୁଁ ନାହାନ୍ତି। ପୂରା ବିଶ୍ୱର ଚାଉଳ ରପ୍ତାନୀରୁ ୪୦ ପ୍ରତିଶତ ଭାରତରୁ ହିଁ ହୋଇଥାଏ। ତେଣୁ ଆସନ୍ତା ସମୟରେ ଚାଉଳ ମୂଲ୍ୟ କେତେ ବଢିବ ତାହା କାହାକୁ ଜଣା ନାହିଁ।”

ବିଶ୍ୱର ୩ ଅରବ ଲୋକ ମୁଖ୍ୟତଃ ଭାତ ଖାଆନ୍ତି। ତେଣୁ ଭାରତର ରପ୍ତାନୀ ରୋକ ବିଶ୍ୱ ବଜାରରେ ଭୟଙ୍କର ପରିଣତି ଆଣିଦେବ। ଏହା ପୂର୍ବରୁ ୨୦୦୭ରେ ମଧ୍ୟ ଭାରତ ଚାଉଳ ରପ୍ତାନୀ ଉପରେ ରୋକ ଲଗାଇଥିଲା। ସେତେବେଳେ ପ୍ରତି ଟନର ମୂଲ୍ୟ ଏକ ହଜାର ଡଲାର ହୋଇଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.