ଲକଡାଉନରେ ୧୨ ହଜାର ଲୋକଙ୍କ ପେଟ ପୁରାଇଛି ରାମୁ ଦୋସାପତିଙ୍କ ଚାଉଳ ATM
26/09/2020 at 9:20 PM

ହାଇଦ୍ରାବାଦ : ଏପର୍ଯ୍ୟନ୍ତ ବ୍ୟାଙ୍କମାନଙ୍କର ଅଟୋମେଟିକ ଟେଲର ମେସିନ (ଏଟିଏମ) କଥା ଆମେ ଜାଣିଥିଲେ। କେତେକ ସ୍ଥାନରେ ପାଣି ଓ ଦୁଗ୍ଧ ଲାଗି ମଧ୍ୟ ଏଟିଏମ ହୋଇଛି। ହେଲେ ପେଟର ଭୋକ ମେଣ୍ଟାଇବାକୁ ଭାରତରେ ପ୍ରଥମ ଥର ଚାଉଳ ଏଟିଏମ ଚର୍ଚ୍ଚାର ବିଷୟ ପାଲଟିଛି। ହାଇଦ୍ରାବାଦରେ ଜନୈକ ଘରୋଇ କମ୍ପାନୀ ଚାକିରୀଆ କରୋନା ଲକଡାଉନ୍ ବେଳେ ଚାଉଳ ଏଟିଏମ ଆରମ୍ଭ କରିଥିବା ବେଳେ ଏପର୍ଯ୍ୟନ୍ତ ଅନୁନ୍ୟ ୧୨ ହଜାର ଲୋକଙ୍କ କ୍ଷୁଧା ନିବାରଣରେ ସହାୟକ ହୋଇପାରିଥିବା ଜଣାପଡିଛି।

ହାଇଦ୍ରାବାଦ ଏଲବି ନଗରରେ ଏହି ଚାଉଳ ଏଟିଏମ ଚଳାଇଛନ୍ତି ରାମୁ ଦୋସାପତି । ଦୋସାପତି ଜଣେ ଏମବିଏ ସ୍ନାତକ ଓ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ୨୫ ମାର୍ଚ୍ଚ ଲକଡାଉନ୍ ପରେ ଉପୁଜିଥିବା ସଂକଟରେ ତାଙ୍କ ମନକୁ ଚାଉଳ ଏଟିଏମ କଥା ଆସିଥିଲା। ଲୋକଙ୍କ ସହାୟତା ଲାଗି ସେ ନିଜ ଭବିଷ୍ୟନିଧି ଆକାଉଣ୍ଟରୁ ଟଙ୍କା ଉଠାଇ ଏଥିରେ ଚାଉଳ ଆଣି ଏଟିଏମ ଆରମ୍ଭ କରିଥିଲେ। ଯେଉଁମାନଙ୍କର ପରବର୍ତ୍ତି ଓଳିକୁ ଖାଦ୍ୟ ନାହିଁ ସେମାନେ ଚାହିଁଲେ ଏଠାରୁ ଆଗାମୀ ୫ ଦିନ ଲାଗି ଖାଦ୍ୟ ଶଶ୍ୟ ସଂଗ୍ରହ କରିପାରୁଛନ୍ତି।

୨୦୦୬ ମସିହାରେ ଦୋସାପତି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ଯଦି ତାଙ୍କୁ ଭଗବାନ ବଞ୍ଚିବାକୁ ଗୋଟିଏ ସୁଯୋଗ ଦିଅନ୍ତି ସେ ନିଶ୍ଚିତ ମଣିଷର ଉପକାରରେ ଆସିବେ ବୋଲି ପ୍ରତିଜ୍ଞା କରିଥିଲେ। କୋଭିଡ ଲକଡାଉନରେ ସେ ତାଙ୍କର ଏହି ପ୍ରତିଜ୍ଞା ପୂରଣ କରୁଛନ୍ତି। ଲୋକଙ୍କ ଉପକାର ଲାଗି ସେ ଆରମ୍ଭ କରିଥିବା କାର୍ଯ୍ୟକ୍ରମକୁ ଏବେ ଅନ୍ୟ ଲୋକେ ମଧ୍ୟ ସହାୟତା କଲେଣି। ଏଣୁ ପ୍ରତି ପରବର୍ତ୍ତି ବ୍ୟକ୍ତି ଏବେ ଏହି ଏଟିଏମ ଯୋଗୁ ଲାଭବାନ ହେବାରେ ଲାଗିଛନ୍ତି।

ଦୋସାପତି ଦୁର୍ଘଟଣା ବେଳର ପ୍ରତିଜ୍ଞା କଥା ଭୁଲିଯାଇଥିଲେ। ତେବେ କୋଭିଡ ଲକଡାଉନରେ ପ୍ରବାସୀ ଲୋକଙ୍କ ପରିବାର ଲାଗି ଜନୈକ ସିକ୍ୟୁରିଟି ଗାର୍ଡ ୨ ହଜାର ଟଙ୍କାର କୁକୁଡାମାଂସ ଯୋଗାଇ ଦେବା ତାଙ୍କୁ ପ୍ରେରିତ କରିଥିଲା। ଏଥିରେ ସେ ଏଟିଏମ ଆରମ୍ଭ କରିଥିବା ବେଳେ ଲକଡାଉନରେ ରୋଜଗାର ହରାଇଥିବା ଅଥବା ବେତନ କାଟର ସମ୍ମୁଖୀନ ହୋଇଥିବା ଲୋକଙ୍କ ପରିବାରକୁ ଦୋସାପତିଙ୍କ ଏଟିଏମ ବେଶ ସହାୟତା କରୁଛି।

ଏହି ଏଟିଏମ କିପରି ଲୋକଙ୍କୁ ସାହାଜ୍ୟ କରୁଛି ତାହା ଜନୈକ ଇଂରାଜୀ ଅଧ୍ୟାପକଙ୍କ ଘଟଣାରୁ ଜଣାପଡେ। ଲକଡାଉନ୍ ସମୟରେ ଅର୍ଥାଭାବ ଗୁରୁତର ହୋଇଥିଲା। ଏଥିରେ ଅଧ୍ୟାପକଙ୍କ ପରିବାରରେ ଖାଦ୍ୟ ସାମଗ୍ରୀ ଶେଷ ହୋଇଯିବା ପରେ ସେ ଚିନ୍ତାରେ ପଡିଥିବା ବେଳେ ରାମୁ ଦୋସାପତିଙ୍କ ଏଟିଏମ ତାଙ୍କ ସହାୟତାଲାଗି ଆଗକୁ ଆସିଥିଲା। ଦୋସାପତିଙ୍କ ଅନୁସାରେ କେହିବି ଭୋକରେ ସୋଇବା ଉଚିତ ନୁହେଁ। ଏଣୁ ସମସ୍ତଙ୍କ ଲାଗି ଖଦ୍ୟାନ୍ନର ବ୍ୟବସ୍ଥା କରିଛନ୍ତି ଦୋସାପତି।

କୋଭିଡ ଆକ୍ରାନ୍ତ ପରିବାରକୁ ମଧ୍ୟ ଏଟିଏମରୁ ଦୋସାପତି ଚାଉଳ ଯୋଗାଇ ଦେଉଛନ୍ତି। ଭାରତରେ ସମସ୍ୟା ଅନେକ, ହେଲେ ଦୋସାପତିଙ୍କ ଭଳି ଲୋକେ ଦେଶରେ ସମସ୍ୟାକୁ ଅନେକ ପରିମାଣରେ ସମାଧାନ କରିଛନ୍ତି। ଯାହାର ଉଦାହରଣ ଭାବେ ଆମେ ରାମୁଙ୍କ ମସ୍ତିଷ୍କ ଉପଜ ଚାଉଳ ଏଟିଏମକୁ ଗ୍ରହଣ କରିପାରିବା।