ନୀଳଗିରିରେ ଚୋରା ପଥର ମାଫିଆଙ୍କ ଆତଙ୍କରାଜ, ଆରଆଇଙ୍କୁ ମରଣାତ୍ମକ ଆକ୍ରମଣ

Published By : Prameya-News7 Bureau | July 25, 2022 IST

ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଆତଙ୍କରାଜ ବଢି ଚାଲିଛି। ସୋମବାର ଜଣେ ଆରଆଇଙ୍କୁ ଫୁଙ୍ଗୁଳା କରି ମରଣାତ୍ମକ ଆକ୍ରମଣ କରିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିଯୋଗ ଅନୁଯାଇ ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ଗତକାଲି ବ୍ଲାଷ୍ଟିଙ୍ଗ କରି ଚୋରାରେ ପଥର ଚୋରି ହେଉଥିବା ନେଇ ତହସିଲଦାର ସୂଚନା ପାଇଥିଲେ। ପରେ ଘଟଣାର ସତ୍ୟତା ଜାଣିବା ପାଇଁ ତହସିଲଦାର ସଜନାଗଡ଼ ଆରଆଇ  କେ.ସନ୍ତୋଷ କୁମାରଙ୍କୁ ସେଠାକୁ ପଠାଇ ଥିଲେ। ଆରଆଇ ଘଟଣାସ୍ଥଳରେ ପରିଦର୍ଶନ କରି ଫେରିବା ସମୟରେ ପଥର ମାଫିଆମାନେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ ।

ରାଜସ୍ୱ ନରୀକ୍ଷକ ସନ୍ତୋଶ କୁମାରଙ୍କୁ ମାଡ ମାରିବା ସହ ମୋବାଇଲ ଛଡାଇ ଭାଙ୍ଗି ଦେଇଥିଲେ। ତାଙ୍କର କାନ୍ଧରେ ଗଭୀର ଆଘାତ ଲାଗିଥିବା ବେଳେ ଜୀବନ ବଞ୍ଚାଇ ସେ ସେଠାରୁ ଦୌଡ଼ି ପଳାଇ ଆସିଥିଲେ। ଘଟଣା ସାମ୍ନାକୁ ଆସିବାପରେ ତହସିଲଦାର ଏହାକୁ ଗୁରୁତର ସହ ନେଇ ତଦନ୍ତ ଚଳାଇଥିବା ଜଣାପଡିଛି। ଆକ୍ରମଣ କରିଥିବା ବ୍ୟକ୍ତି ପୋଡାଶୂଳ ଅଞ୍ଚଳର ବିଶିକା ବୋଲି କୁହାଯାଇଥିବା ବେଳେ ପୂର୍ବରୁ ବେଆଇନ ବିସ୍ଫୋରକ ଦ୍ରବ୍ୟରେ ପଥର ବ୍ଲାଷ୍ଟିଂ ଭଳି ଅଭିଯୋଗ ଥାନାରେ ରହିଛି। ପଥର ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ନୀଳଗିରି ତହସିଲ ଅଧିନ ସମସ୍ତ ଆରଆଇ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.