ଟ୍ୟାକ୍ସ ପୈଠ କରି ନଥିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଘରକୁ ଆସିଲା ନୋଟିସ୍
17/01/2023 at 2:14 PM

ମୁମ୍ବାଇ ୧୭।୧: ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଟ୍ୟାକ୍ସ ପୈଠ ମାମଲାକୁ ନେଇ ଏବେ ଚର୍ଚ୍ଚାରେ। ରିପୋର୍ଟ ଅନୁସାରେ ଐଶ୍ୱର୍ଯ୍ୟା ତାଙ୍କ ଜମିର ଟ୍ୟାକ୍ସ ପୈଠ କରିନଥିବାରୁ ନାସିକ ତହସିଲଦାର ନୋଟିସ୍ କରିଛନ୍ତି। ଐଶ୍ୱର୍ଯ୍ୟା ରାୟଙ୍କୁ ନୋଟିସ୍ ନାସିକର ସିନ୍ନର ତହସିଲଦାର ପଠେଇଛନ୍ତି। ସୂଚନା ଅନୁସାରେ ନାସିକର ସିନ୍ନର ଅଦୱାଡୀ ଶିବରାତରେ ଐଶ୍ୱର୍ଯ୍ୟାଙ୍କର ଏକ ଭୂସମ୍ପତ୍ତି ଅଛି, ଯାହାର ସେ ଗତ ଏକ ବର୍ଷ ହେଲା ଶୁଳ୍କ ପୈଠ କରିନାହାନ୍ତି। ଏଣୁ ଟ୍ୟାକ୍ସ ବାବଦକୁ ୨୧ ହଜାର ୯୬୦ ଟଙ୍କା ପୈଠ କରିବାକୁ ସିନ୍ନର ତହସିଲଦାର ନୋଟିସ୍ କରିଛନ୍ତି।

ଏହି ନୋଟିସ୍ ଜାନୁୟାରୀ ୯ ତାରିଖ ଦିନ ଜାରି ହୋଇଥିଲା, ତେବେ ଐଶ୍ୱର୍ଯ୍ୟା ନୋଟିସ୍ ପାଇଛନ୍ତି କି ନା ତାହା ସ୍ପଷ୍ଟ ହୋଇ ନାହିଁ। କୁହାଯାଉଛି ଐଶ୍ୱର୍ଯ୍ୟାଙ୍କ ନିକଟରେ ସିନ୍ନରର ଥାନଗାଁବ ନିକଟସ୍ଥ ଅଦୱାଡୀ ପାହାଡିଆ ଅଞ୍ଚଳରେ ୧ ହେକ୍ଟର ଜମି ରହିଛି। ସୂଚନା ମୁତାବକ ଐଶ୍ୱର୍ଯ୍ୟା ୧ ବର୍ଷ ହେଲାଣି ଜମିର ଶୁଳ୍କ ପୈଠ କରୁ ନାହାନ୍ତି। କେବଳ ଐଶ୍ୱର୍ଯ୍ୟା ନୁହନ୍ତି ତାଙ୍କ ଭଳି ୧୨ଶହ ଜମି ମାଲିକଙ୍କୁ ତହସିଲଦାର ଶୁଳ୍କ ପୈଠ କରିବାକୁ ନୋଟିସ୍ ଜାରି କରିଛନ୍ତି।

ବକେୟା ଶୁଳ୍କ ମାର୍ଚ୍ଚ ଶେଷ ସୁଦ୍ଧା ଅସୁଲ କରିବା ପାଇଁ ରାଜସ୍ୱ ବିଭାଗ ପଦକ୍ଷେପ ନେଇଛନ୍ତି। କାରଣ ରାଜସ୍ୱ ବିଭାଗଙ୍କ ନିମନ୍ତେ ମାର୍ଚ୍ଚ ମାସ କ୍ଲୋଜିଂ ମାସ। ତେବେ ବକେୟା ଶୁଳ୍କ ନେଇ ଐଶ୍ୱର୍ଯ୍ୟା ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ପ୍ରକାଶ କରି ନାହାନ୍ତି। କୁହାଯାଉଛି ଐଶ୍ୱର୍ଯ୍ୟା ପବନ ଶକ୍ତି କମ୍ପାନୀ ସୁଜଲନରେ ନିବେଶ କରିଛନ୍ତି। ତେବେ କେବଳ ଐଶ୍ୱର୍ଯ୍ୟା ନୁହନ୍ତି ତାଙ୍କ ଭଳି ଅନେକ ପ୍ରଶିଦ୍ଧ ଲୋକେ ମଧ୍ୟ ସୁଜଲନରେ ନିବେଶ କରିଛନ୍ତି।