କଟକ ୦୭।୦୧: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ପିଜି ନାମଲେଖାରେ ଅନିୟମିତତା । ଏ ସମ୍ପର୍କିତ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି। ଅଡିଓରେ ରେଭେନ୍ସାର ଜନୈକା ଅଧ୍ୟାପିକା ଅହେତୁକ ଅନୁକମ୍ପା ଦେଖାଇ ଆଡମିଶନ ଦେଇଥିବା ଜନୈକା ଛାତ୍ରୀଙ୍କ ସହ କଥା ହେଉଥିବା ଜଣାପଡୁଛି। ରେଭେନ୍ସାର ରାଜନୀତି ବିଜ୍ଞାନ ବିଭାଗରେ ନାମଲେଖା କେଲେଙ୍କାରୀ ଅଭିଯୋଗ ହୋଇଆସୁଥିଲା।
ଅଭିଯୋଗ ଅନୁସାରେ, ଉପର ରାଙ୍କ୍ ପିଲାଙ୍କୁ ବାଦ ଦେଇ ତଳ ରାଙ୍କ୍ ପ୍ରାର୍ଥୀଙ୍କୁ ଆଡମିଶନ ଦିଆଯାଇଛି। ଫଳରେ ଵାଦ୍ ପଡିଥିବା ଉପର ରାଙ୍କର ଛାତ୍ରୀ ଜଣକ ମାଲଗୋଦାମ ଥାନାରେ ଏତଲା ଦେଇଛନ୍ତି। ଏପରିକି ରାଜନୀତି ବିଜ୍ଞାନ ବିଭାଗର ମୁଖ୍ୟ ଏଭଳି ଵେଆଇନ ନାମଲେଖାକୁ ବିରୋଧ କରିବା ସତ୍ତ୍ୱେ ରେଭେନ୍ସା କର୍ତ୍ତୃପକ୍ଷ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ କୁଳପତି ଓ ପିଜି କାଉନସିଲ ଚେୟାରପର୍ସନଙ୍କ ଚାପ ଯୋଗୁଁ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଇସ୍ତଫା ଦେଇଥିଵା ଆଲୋଚନା ହେଉଛି। ଅର୍ଥ କାରବାର ଦ୍ୱାରା ଏପରି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି।
ସେପଟେ ଭାଇରାଲ ହେଉଥିବା ଅଡିଓରେ ଅଧ୍ୟାପିକା ଜଣକ ନାମଲେଖାରେ ଅନିୟମିତତା କଥାକୁ ସ୍ବୀକାର କରୁଛନ୍ତି।ଏହା ସହ ଅହେତୁକ ଅନୁକମ୍ପା ଦେଖାଇ ଯେଉଁ ଛାତ୍ରୀଙ୍କୁ ଆଡମିଶନ ଦିଆଯାଇଥିଲା । ତାଙ୍କୁ ଏସଵି ଓମେନ୍ସ କଲେଜରେ ନାମ ଲେଖାଇଵା ପାଇଁ ପରାମର୍ଶ ଦେଉଥିଵା ଶୁଣାଯାଉଛି।ଏହା ସହ ଛାତ୍ରୀ ଓ ଅଧ୍ୟାପିକାଙ୍କ କଥାଵାର୍ତ୍ତାରୁ ଏକଥା ମଧ୍ୟ ସ୍ପଷ୍ଟ ହେଉଛି ଯେ, ରେଭେନ୍ସାର ଅନ୍ୟ ଵିଭାଗରେ ମଧ୍ୟ ଏହି ଭଳି ଵେଆଇନ ଭାବେ ଅନେକ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି।