ସୋମବାର କିମ୍ୱା...ଶପଥ ଗ୍ରହଣ ସମାରୋହ ଉପରେ ତେଲଙ୍ଗାନା ପୋଲିସକୁ କହିଲେ ରେବାନ୍ଥ ରେଡ୍ଡି !

Published By : Prameya-News7 Bureau | December 03, 2023 IST

ନୂଆଦିଲ୍ଲୀ: ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟୀ ହୋଇଛି । ରାଜ୍ୟରେ କଂଗ୍ରେସକୁ ୬୪ ଆସନ ମିଳୁଛି । ବିଜୟ ପରେ ଏବେ ଶୀଘ୍ର ସରକାର ଗଠନ କରିବା ପାଇଁ କଂଗ୍ରେସ ପ୍ରସ୍ତୁତି ଆରମ୍ଭ କରିଛି । କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଏ.ରେବାନ୍ଥ ରେଡ୍ଡି ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ପ୍ରସ୍ତୁତି ଆରମ୍ଭ କରିବାକୁ ତେଲଙ୍ଗାନା ପୋଲିସକୁ କହିଛନ୍ତି । ପୋଲିସ ସୂଚନା ଅନୁସାରେ ଡିସେମ୍ୱର ୪ କିମ୍ୱା ୯ ତାରିଖରେ ରାଜ୍ୟରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଆୟୋଜନ ହୋଇପାରେ ।

ରେବାନ୍ଥ ରେଡ୍ଡି ରାଜ୍ୟ ପୋଲିସ ମୁଖିଆ ଓ ଅତିରିକ୍ତ ଡିଜିପି (ଲ' ଆଣ୍ଡ ଅର୍ଡର) ଓ ଏଡିଜି ସିଆଇଡିଙ୍କୁ ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ପ୍ରସ୍ତୁତି ଆରମ୍ଭ ପାଇଁ କହିଛନ୍ତି । ଶପଥ ଗ୍ରହଣ କାର୍ଯ୍ୟକ୍ରମ ଆସନ୍ତକାଲି କିମ୍ୱା ଡିସେମ୍ୱର ୯ରେ ହୋଇପାରେ ବୋଲି ତେଲଙ୍ଗାନା ପୋଲିସ କହିଛି । ସୂତ୍ର ଅନୁସାରେ କଂଗ୍ରେସ ଖୁବଶୀଘ୍ର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିପାରେ ।

ପଢନ୍ତୁ: ମୁଖ୍ୟମନ୍ତ୍ରୀ ଆବାସ ଖାଲି କରି ଜଣେ ସାଧାରଣ ଲୋକ ଭଳି ବାହାରିଗଲେ କେ.ଚନ୍ଦ୍ରଶେଖର ରାଓ, ରାଜ୍ୟପାଳଙ୍କ ନିକଟକୁ ଏମିତି ପଠାଇଦେଲେ ଇସ୍ତଫାପତ୍ର

ରିପୋର୍ଟ ଅନୁସାରେ, ‘ଟିପିସିସି ଅଧ୍ୟକ୍ଷ ସ୍ପଷ୍ଟ କରିଛନ୍ତି ଯେ ଆଜି ସଂଧ୍ୟାରୁ ଶୁଭ ମୁହୂର୍ତ୍ତ ଆରମ୍ଭ ହେଉଛି । ଯଦି ସମ୍ଭବ ହୁଏ ତେବେ ଆସନ୍ତାକାଲି ଶପଥ ଗ୍ରହଣ ହୋଇପାରେ କିମ୍ୱା ଡିସେମ୍ୱର ୯ ପାଇଁ ସେ ବିଚାର କରୁଛନ୍ତି’।

ରେବାନ୍ଥ ରେଡ୍ଡି ରାଜ୍ୟ ପୋଲିସକୁ କହିଛନ୍ତି ଯେ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଅନେକ ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଦିଲ୍ଲୀରୁ ଅନେକ କେନ୍ଦ୍ରୀୟ ନେତୃତ୍ୱ ଏହି କାର୍ଯ୍ୟକ୍ରମ ଯୋଗ ଦେଇପାରନ୍ତି । ଶପଥ ଗ୍ରହଣ ସମାରୋହ ହାଇଦ୍ରାବାଦର ଏଲବି ଷ୍ଟାଡିୟମରେ ଆୟୋଜନ ହୋଇପାରେ । ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ରେବାନ୍ଥ ରେଡ୍ଡି ପ୍ରବଳ ଦାବିଦାର ଅଛନ୍ତି । ସେ ହିଁ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଅନେକ ମିଡିଆ ରିପୋର୍ଟରେ ଦାବି କରାଯାଇଛି । ତେବେ ଆନୁଷ୍ଠାନିକ ଘୋଷଣା ହେବା ଏବେ ବି ବାକି ରହିଛି ।

Also Read: କାମାରେଡ୍ଡୀ ଆସନରେ ଅପ୍ରତ୍ୟାସିତ ଫଳାଫଳ, କେ.ସି.ଆର ଓ ରେବନ୍ତ ରାୟଙ୍କୁ ପରାସ୍ତ କରିଛନ୍ତି ବିଜେପି ପ୍ରାର୍ଥୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.