ଓ୍ବାନଡେ’ରୁ କ୍ୱିଣ୍ଟନ ଡି କକ୍ଙ୍କ ଅବସର; ପୂର୍ବ ଘୋଷଣାରେ ଅଟଳ ଷ୍ଟାର କ୍ରିକେଟର
17/11/2023 at 12:07 PM

ମୁମ୍ବାଇ,୧୭/୧୧: ଦିନିକିଆ କ୍ରିକେଟରୁ ଦକ୍ଷିଣ ଆଫ୍ରିକାର ଓ୍ବିକେଟ୍ କିପର-ବ୍ୟାଟର କ୍ୱିଣ୍ଟନ ଡି କକ୍ଙ୍କ ଆଲବିଦା । ଓ୍ବାନଡେ’ କ୍ରିକେଟ୍ ଆଉ ଖେଳିବେ ନାହିଁ ଏହି ଷ୍ଟାର ଖେଳାଳି । ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲ୍ ମୁକାବିଲା ଖେଳି ସେ ଦିନିକିଆ କ୍ରିକେଟ୍କୁ ଅଲ୍ବିଦା କହିଛନ୍ତି । ମାତ୍ର ୩୦ବର୍ଷ ବୟସରେ ସେ ଓ୍ବାନଡେ’ କ୍ରିକେଟ୍ରୁ ଅବସର ନେଇଛନ୍ତି । କ୍ୟାରିୟର୍ର ଶ୍ରେଷ୍ଠ ଫର୍ମରେ ରହିଥିଲେ ହେଁ ଡି କକ୍ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଛନ୍ତି । ପୂର୍ବ ଚଳିତ ବିଶ୍ବକପ ତାଙ୍କର ଶେଷ ବିଶ୍ବକପ ହେବ ବୋଲି ଘୋଷଣା କରିଥିଲେ ।
ଚଳିତ ବିଶ୍ୱକପ୍ରେ କ୍ୱିଣ୍ଟନ ଡି କକ୍ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ ଦେଖାଇଥିଲେ । ସେ ୧୦ଟି ମ୍ୟାଚ୍ରୁ ୬୫.୬୭ ହାରରେ ମୋଟ୍ ୫୯୧ ରନ୍ ସଂଗ୍ରହ କରିଥିଲେ । ଏଥର ବିଶ୍ୱକପ୍ରେ ସେ ୪ଟି ଶତକ ଅର୍ଜନ କରିଥିଲେ । ୨୦୧୩ରେ ମାତ୍ର ୨୦ ବର୍ଷ ବୟସରେ ଡି କକ୍ ଦିନିକିଆ ପଦାର୍ପଣ କରିଥିଲେ । ୧୦ବର୍ଷର କ୍ୟାରିୟର ମଧ୍ୟରେ ସେ ୧୫୪ଟି ଦିନିକିଆ ଖେଳି ୪୬.୦୩ ହାରରେ ମୋଟ୍ ୬୯୯୧ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ୨୧ଟି ଶତକ ଓ ୩୦ଟି ଅର୍ଦ୍ଧଶତକ ରହିଛି । ସୂଚନାଯୋଗ୍ୟ, ଡି କକ୍ ୨ବର୍ଷ ତଳୁ ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିସାରିଛନ୍ତି । ଏବେ କେବଳ ସେ ଟି-20 କ୍ରିକେଟ୍ ଖେଳିବେ ।