ଗାଜାରେ ଅବସରପ୍ରାପ୍ତ ଭାରତୀୟ କର୍ଣ୍ଣେଲଙ୍କୁ ହତ୍ୟା, ୨ମାସ ପୂର୍ବେ UNରେ ହୋଇଥିଲେ ସାମିଲ

Published By : Prameya-News7 Bureau | May 14, 2024 IST

ନୂଆଦିଲ୍ଲୀ ୧୪।୫: ଇସ୍ରାଏଲ ଓ ହମାସ ମଧ୍ୟରେ ଗତ ୭ ମାସ ହେଲା ଜାରି ଯୁଦ୍ଧ ଥମିବାର ନାଁ ନେଉନି। ଏହି ଯୁଦ୍ଧ ଏବେ ଭାରତ ନିମନ୍ତେ ମଧ୍ୟ ଚିନ୍ତାର କାରଣ ହୋଇଛି। ଗାଜାର ରଫାରେ ଜାତି ସଂଘ ପାଇଁ କାମ କରୁଥିବା ଜନୈକ ଅବସରପ୍ରାପ୍ତ ଭାରତୀୟ କର୍ଣ୍ଣେଲଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି ରିଟାୟାର୍ଡ କର୍ଣ୍ଣେଲ ବୈଭବ ଅନିଲ କାଲେ ଏକ ବାହନରେ କେଉଁଆଡେ ଯାଉଥିବା ବେଳେ ତାଙ୍କ ବାହନ ଉପରେ ଆକ୍ରମଣ ହୋଇଛି। ଫଳରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ଥିବା କର୍ମଚାରୀ ଆହତ ହୋଇଛନ୍ତି। 


ଜାତି ସଂଘ ମହାସଚିବଙ୍କ ଉପ ମୁଖପାତ୍ର ଫରହାନ ହକ୍ ଏହି ଘଟଣା ପୁଷ୍ଟି କରିଛନ୍ତି। ଗାଜାରେ ସୁରକ୍ଷା ସେବା ସମନ୍ୱୟକ ରୂପେ ଅନିଲ କାଲେ ମାତ୍ର ମାସକ ପୂର୍ବରୁ କାମ ଆରମ୍ଭ କରିଥିଲେ। ଜାତିସଂଘ ସମ୍ପର୍କିତ ଏଜେନ୍ସୀଙ୍କ ସୂଚନା ଅନୁସାରେ କାଲେଙ୍କ ବାହନ ଉପରକୁ ଗୁଳିମାଡ କରାଯାଇଥିଲା। ତେବେ ଏହି ଗୁଳି କିଏ ଚଳାଇଥିଲେ ତାହା ଏପର୍ଯ୍ୟନ୍ତ ପୁଷ୍ଟି ହୋଇ ପାରିନି। ତେବେ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ମାମଲାର ଯାଞ୍ଚ କରାଯାଉଥିବା କହିଛି। 



ଏହି ଆକ୍ରମଣ ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ ଆଦନୋମ ଘେବ୍ରିୟସ ଘଟଣା ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଶାନ୍ତି ସ୍ଥାପନ ନିମନ୍ତେ ଯୁଦ୍ଧ ରୋକିବା ଏବେ ଜରୁରି। କେବଳ କାଲେ ନୁହନ୍ତି ତାଙ୍କ ପୂର୍ବରୁ ମଧ୍ୟ ଜାତିସଂଘ କର୍ମଚାରୀ ଏଠାରେ ପ୍ରାଣ ହରାଇଛନ୍ତି। କର୍ଣ୍ଣେଲ କାଲେ ୨୦୨୨ରେ ଭାରତୀୟ ସେନାରୁ ଅବସର ଗ୍ରହଣ କରିଥିଲେ। ସେ ଦୁଇ ମାସ ପୂର୍ବେ ଜାତିସଂଘ ସୁରକ୍ଷା ବିଭାଗକୁ ଯାଇଥିଲେ। 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.