ପୁଅ-ଝିଅଙ୍କ ଆଗରେ ଆର୍ମି ଅଫିସରଙ୍କୁ ଛୁରୀ ଭୁଷି ହତ୍ୟା କଲେ ତାଙ୍କ ଡାକ୍ତରାଣୀ ପତ୍ନୀ
7/09/2020 at 1:07 PM

ହାଇଦ୍ରାବାଦ ୭/୯: ହାଇଦ୍ରାବାଦରେ ଏକ ହୃଦୟବିଦାରକ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମହିଳା ଡାକ୍ତର ନିଜ ସ୍ବାମୀଙ୍କ ହତ୍ୟା କରି ଦେଇଛନ୍ତି। ସ୍ବାମୀ ସେନାର ଅବସରପ୍ରାପ୍ତ କ୍ୟାପଟେନ୍ ଥିବାବେଳେ ମହିଳା ମଧ୍ୟ ସେନାରେ ହିଁ ଡାକ୍ତର ରହି ସାରିଛନ୍ତି। ଏହି ଘଟଣା ସେମାନଙ୍କ ପିଲାଙ୍କ ସାମନାରେ ଘଟିଛି। ପୋଲିସ୍ ବର୍ତ୍ତମାନ ମାମଲାର ଯାଞ୍ଚ କରୁଛି।
ମୃତକ ବିଶାଲ ଦିଓ୍ବାନ ଆର୍ମିରେ କ୍ୟାପଟେନ୍ ରାଙ୍କରେ ଅବସରପ୍ରାପ୍ତ ଅଧିକାରୀ ଥିଲେ ଏବଂ ତାଙ୍କ ପତ୍ନୀ ମଧ୍ୟ ଆର୍ମିର ଡାକ୍ତର ରହି ଆସିଛନ୍ତି। ରାଜେନ୍ଦ୍ର ନଗରର ପିଏଣ୍ଡଟି କଲୋନୀରେ ମ୍ୟାପଲ୍ ଟାଉନରେ ଦିଓ୍ବାନଙ୍କ ପରିବାର ରହିଥାନ୍ତି। ଶନିବାର ରାତିରେ ବିଶାଲ ଦିଓ୍ବାନଙ୍କ ସ୍ତ୍ରୀ ସବିନା ରୋଶନ ତାଙ୍କୁ ଛୁରୀ ଭୁଷି ଦେଇଥିଲେ। ଘଟଣା ସମୟରେ ପିଲାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସୁଦ୍ଧା ବିଶାଲଙ୍କ ମୃତ୍ୟୁ ହୋଇ ସାରିଥିଲା।
ଉଭୟଙ୍କ ୧୪ବର୍ଷ ତଳେ ବିବାହ ହୋଇଥିଲା। ସେମାନଙ୍କର ଜଣେ ପୁଅ ଏବଂ ଜଣେ ଝିଅ। ସବିନା ରୋଶନ ନିଜ ପ୍ରଥମ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇଥିଲେ। ଦୁହେଁ ଏକାଠି ମଦ ପିଇଥିଲେ ଏବଂ ପରେ ଝଗଡ଼ା କରିଥିଲେ। ଏହି ସମୟରେ ସବିନା ବିଶାଲଙ୍କୁ ଛୁରୀ ଭୁଷି ଦେଇଥିଲେ।
ପିଲାମାନେ ପୋଲିସକୁ କହିଥିଲେ ଯେ ବାପା-ମାଆ ଅଧିକାଂଶ ସମୟରେ ଝଗଡ଼ା କରୁଥିଲେ। ଗତ ମାସରେ ବିଶାଲ ସ୍ତ୍ରୀଙ୍କୁ ପିଟିଥିଲେ। ସେବେଠାରୁ ଉଭୟଙ୍କ ମଧ୍ୟରେ ଠିକଭାବେ କଥାବାର୍ତ୍ତା ହେଉନଥିଲା। ଏପରି ମଧ୍ୟ କୁହାଯାଉଥିଲା ଯେ ସବିନାଙ୍କ ମାନସିକ ସ୍ବାସ୍ଥ୍ୟ ଠିକ ନଥିଲା। ଗତ ୨/୩ବର୍ଷ ହେବ ତାଙ୍କ ଚିକିତ୍ସା ଚାଲିଥିଲା। ବିଶାଲଙ୍କ ଶବକୁ ଉସ୍ମାନିଆ ହସ୍ପିଟାଲରେ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ସବିନାଙ୍କୁ ଆଇପିସିର ଧାରା ୩୦୨ ଅନୁସାରେ ଗିରଫ କରି ନିଆଯାଇଛି।