ନୂଆଦିଲ୍ଲୀ: ଜୁଲାଇ ମାସରେ ରିଟେଲ ମୁଦ୍ରାସ୍ଫୀତି ୩.୫୪ ପ୍ରତିଶତକୁ ହ୍ରାସ ପାଇଛି। ଗତ ୫୯ ମାସରେ ଏହା ସର୍ବନିମ୍ନ ସ୍ତର। ଏହା ପୂର୍ବରୁ ୨୦୧୯ ଅଗଷ୍ଟ ମାସରେ ଏହା ୩.୨୧ ପ୍ରତିଶତ ଥିଲା। ତେବେ ଜୁନ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୮ ପ୍ରତିଶତ ରହିଥିଲା। ଖାଇବା ପିଇବା ସାମଗ୍ରୀ ମୂଲ୍ୟ ହ୍ରାସ ହେବାରୁ ମୁଦ୍ରାସ୍ଫୀତି ହ୍ରାସ ପାଇଛି। ଯାହା ଆରବିଆଇର ଟାର୍ଗେଟ୍ ୨-୪ ପ୍ରତିଶତ ଭିତରେ ରହିଛି।
ଶସ୍ୟ, ଫଳ, ପନିପରିବା, ଡାଲି ଏବଂ ମସଲା ମୂଲ୍ୟରେ ହ୍ରାସ ହେତୁ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୩୬% ରୁ ୫.୪୨% କୁ ଖସି ଆସିଛି। ଏଥିସହିତ ସହରୀ ମୁଦ୍ରାସ୍ଫୀତି ମଧ୍ୟ ମାସକୁ ମାସ ହାରରେ ୪.୩୯% ରୁ ୨.୯୮% କୁ ହ୍ରାସ ପାଇଛି। ଗ୍ରାମୀଣ ମୁଦ୍ରାସ୍ଫୀତି ୫.୬୬% ରୁ ୪.୧୦% କୁ ହ୍ରାସ ପାଇଛି।
ମୁଦ୍ରାସ୍ଫୀତିରେ ବଢ଼ିବାରେ ପାଖାପାଖି ୫୦% କାରଣ ଖାଦ୍ୟ ସାମଗ୍ରୀ ମୂଲ୍ୟ ବଢ଼ିବାରୁ ଦେଇଥାଏ। ଏହାର ମୁଦ୍ରାସ୍ଫୀତି ମାସକୁ ମାସ ୯.୩୬% ରୁ ୫.୪୨% କୁ ହ୍ରାସ ପାଇଛି। ହେଲେ ବର୍ଷକ ପୂର୍ବରୁ, ଜୁଲାଇ ୨୦୨୩ରେ, ଖାଦ୍ୟ ମୁଦ୍ରାସ୍ଫୀତି ୧୧.୫୧% ଥିଲା। ଅର୍ଥାତ୍ ଏହା ବାର୍ଷିକ ଭିତ୍ତିରେ ମଧ୍ୟ ହ୍ରାସ ପାଇଛି।
ପନିପରିବାର ମୁଦ୍ରାସ୍ଫୀତି ଜୁଲାଇରେ ୬.୮୩% ଥିବାବେଳେ ଜୁନ୍ ମାସରେ ଏହି ହାର ୨୯.୩୨% ଥିଲା। ସେହିପିର ଭାରତୀୟ ଖାଦ୍ୟ ଏକ ମୁଖ୍ୟ ଭୂମିକା ନିର୍ବାହ କରୁଥିବା ଶସ୍ୟ ଏବଂ ଡାଲି ମୁଦ୍ରାସ୍ଫୀତି ୮.୧୪% ଏବଂ ୧୪.୭୭% କୁ ଖସି ଆସିଛି। ଫ୍ୟୁଲ ଏବଂ ଲାଇଟ୍ର ମୁଦ୍ରାସ୍ଫୀତି ମଧ୍ୟ ହ୍ରାସ ପାଇଛି।
ନିକଟରେ ମୁଦ୍ରା ନୀତି କମିଟି ବୈଠକରେ ଆରବିଆଇ ଚଳିତ ଆର୍ଥିକ ବର୍ଷ ପାଇଁ ମୁଦ୍ରାସ୍ଫୀତି ଆକଳନକୁ ୪.୫% ଅପରିବର୍ତ୍ତିତ ରଖିଥିଲା। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଥିଲେ - ମୁଦ୍ରାସ୍ଫୀତି ହ୍ରାସ ପାଉଛି, କିନ୍ତୁ ପ୍ରଗତି ଧୀର ଏବଂ ଅସମାନ ରହିଛି। ଭାରତର ମୁଦ୍ରାସ୍ଫୀତି ଏବଂ ଅଭିବୃଦ୍ଧି ଏକ ସନ୍ତୁଳିତ ଗତିରେ ଆଗକୁ ବଢ଼ୁଛି ବୋଲି ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି।
ଏହି ରାଜ୍ୟଗୁଡିକରେ ମୁଦ୍ରାସ୍ଫୀତି ୪ ପ୍ରତିଶତରୁ ଅଧିକ
MSPI ତଥ୍ୟ ଅନୁଯାୟୀ, ୬ ଟି ରାଜ୍ୟରେ ମୁଦ୍ରାସ୍ଫୀତି ସଂଖ୍ୟା ୪ ପ୍ରତିଶତରୁ ଅଧିକ ରହିଛି। ଏହି ଦୁଇଟି ରାଜ୍ୟରେ ୫ ପ୍ରତିଶତରୁ ଅଧିକ ମୁଦ୍ରାସ୍ଫୀତି ହାର ଦେଖିବାକୁ ମିଳିଛି। ଆସାମରେ ମୁଦ୍ରାସ୍ଫୀତି ହାର ୫.୧୧ ପ୍ରତିଶତ ଥିବା ବିହାରରେ ସର୍ବାଧିକ ୫.୮୭ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି। ଅନ୍ୟପକ୍ଷରେ ହରିୟାଣାରେ ମୁଦ୍ରାସ୍ଫୀତି ହାର ୪.୫୨ ପ୍ରତିଶତ, କେରଳରେ ୪.୫୧ ପ୍ରତିଶତ, ଓଡ଼ିଶାରେ ୪.୮୩ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ମୁଦ୍ରାସ୍ଫୀତି ହାର ୪.୫୭ ପ୍ରତିଶତ ରହିଛି। ବିଶେଷଜ୍ଞଙ୍କ ଅନୁସାରେ, ଆଗାମୀ ମାସରେ ଏହି ରାଜ୍ୟଗୁଡ଼ିକରେ ମୁଦ୍ରାସ୍ଫୀତି ହାର ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।
ଏହିସବୁ ରାଜ୍ୟରେ ୩ ରୁ ୪ ପ୍ରତିଶତ ମୁଦ୍ରାସ୍ଫୀତି
ଅନ୍ୟପକ୍ଷରେ କେତେକ ରାଜ୍ୟ ମୁଦ୍ରାସ୍ଫୀତି ହାର ୩ ରୁ ୪ ପ୍ରତିଶତ ମଧ୍ୟରେ ଦେଖାଯାଇଛି। MSPI ତଥ୍ୟ ଅନୁଯାୟୀ ଦେଶର ୯ ଟି ରାଜ୍ୟରେ ୩ ରୁ ୪ ପ୍ରତିଶତ ମୁଦ୍ରାସ୍ଫୀତି ହାର ଦେଖିବାକୁ ମିଳିଛି। ମୁଦ୍ରାସ୍ଫୀତି ହାର ଆନ୍ଧ୍ରପ୍ରଦେଶରେ ୩.୩୯ ପ୍ରତିଶତ, ଗୁଜୁରାଟରେ ୩.୧୬ ପ୍ରତିଶତ, କର୍ଣ୍ଣାଟକରେ ୩.୪୬ ପ୍ରତିଶତ, ମଧ୍ୟପ୍ରଦେଶରେ ୩.୦୪ ପ୍ରତିଶତ, ମହାରାଷ୍ଟ୍ରରେ ୩.୨୩ ପ୍ରତିଶତ, ପଞ୍ଜାବରେ ୩.୦୩ ପ୍ରତିଶତ, ତାମିଲନାଡୁରେ ୩,୫ ପ୍ରତିଶତ, ପଶ୍ଚିମବଙ୍ଗରେ ୩.୫୨ ପ୍ରତିଶତ ଏବଂ ଜାମ୍ମୁ-କାଶ୍ମୀରରେ ୩.୫୫ ପ୍ରତିଶତ ମୁଦ୍ରାସ୍ଫୀତି ରହିଛି।
ଏହି ରାଜ୍ୟଗୁଡିକରେ ମୁଦ୍ରାସ୍ଫୀତି ୩ ପ୍ରତିଶତରୁ କମ୍
ସେହିଭଳି କିଛି ରାଜ୍ୟରେ ମୁଦ୍ରାସ୍ଫିତ ୩ ପ୍ରତିଶତରୁ ବି କମ୍ ରହିଛି। ପରିସଂଖ୍ୟାନ ଅନୁଯାୟୀ, ଦେଶର ସର୍ବନିମ୍ନ ମୁଦ୍ରାସ୍ଫୀତି ଝାଡଖଣ୍ଡରେ ଦେଖାଯାଇଛି। ଯେଉଁଠାରେ ମୁଦ୍ରାସ୍ଫୀତି ହାର ୨ ପ୍ରତିଶତରୁ କମ୍। MSPI ତଥ୍ୟ ଅନୁଯାୟୀ, ଜୁଲାଇ ମାସରେ ଝାଖଣ୍ଡରେ ମୁଦ୍ରାସ୍ଫୀତି ହାର ୧.୭୨ ପ୍ରତିଶତ ଥିଲା। ଅନ୍ୟପକ୍ଷରେ ଛତିଶଗଡରେ ମୁଦ୍ରାସ୍ଫୀତି ହାର ୨.୧୬ ପ୍ରତିଶତ, ଦିଲ୍ଲୀରେ ୨.୦୬ ପ୍ରତିଶତ, ହିମାଚଳ ପ୍ରଦେଶରେ ୨.୮୪ ପ୍ରତିଶତ, ରାଜସ୍ଥାନରେ ୨.୫୩ ପ୍ରତିଶତ, ତେଲେଙ୍ଗାନାରେ ୨.୮୮ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୨.୮୧ ପ୍ରତିଶତ ରହିଛି।
ମୁଦ୍ରା ସ୍ଫୀତି କିପରି ମପାଯାଏ?
ଭାରତରେ ଦୁଇ ପ୍ରକାରର ମୁଦ୍ରା ସ୍ଫୀତି ଆକଳନ କରାଯାଏ। ଗୋଟିଏ ହେଉଛି ରିଟେରି ବା ଖୁଚୁରା ଓ ଅନ୍ୟଟି ହୋଲସେଲ ମୁଦ୍ରା ସ୍ଫୀତି। ଖୁଚୁରା ମୁଦ୍ରା ସ୍ଫୀତି ହାର ସାଧାରଣ ଗ୍ରାହକମାନଙ୍କ ଦ୍ୱାରା ଦିଆଯାଇଥିବା ମୂଲ୍ୟ ଉପରେ ଆଧାରିତ ହୋଇଥାଏ। ଏହାକୁ ଗ୍ରାହକ ମୂଲ୍ୟ ସୂଚକାଙ୍କ (ସିପିଆଇ) ମଧ୍ୟ କୁହାଯାଏ। ଏଥିସହିତ, ହୋଲସେଲ ମୂଲ୍ୟ ସୂଚକାଙ୍କ (ଡବ୍ଲୁପିଆଇ)ର ଅର୍ଥ ହେଉଛି ହୋଲସେଲ ବଜାରରେ ଜଣେ ବ୍ୟବସାୟୀ ଅନ୍ୟ ବ୍ୟବସାୟୀଙ୍କଠାରୁ ଚାର୍ଜ କରୁଥିବା ମୂଲ୍ୟ। ମୁଦ୍ରା ସ୍ଫୀତି ମାପିବା ପାଇଁ ବିଭିନ୍ନ ଆଇଟମ୍ ସାମିଲ କରାଯାଏ। ଉଦାହରଣ ସ୍ୱରୂପ, ହୋଲସେଲ ମୁଦ୍ରା ସ୍ଫୀତିରେ ଉତ୍ପାଦିତ ଦ୍ରବ୍ୟର ଅଂଶ ୬୩.୭୫%, ଖାଦ୍ୟ ୨୦.୦୨% ଏବଂ ଇନ୍ଧନ ଓ ଶକ୍ତି ୧୪.୨୩% ପରି ପ୍ରାଥମିକ ସାମଗ୍ରୀ ଗୁଡ଼ିକୁ ସାମିଲ୍ କରାଯାଏ। ସେହିପହିରି ଖୁଚୁଖୁଚୁରା ମୁଦ୍ରା ସ୍ଫୀତିରେ ଖାଦ୍ୟ ଏବଂ ଉତ୍ପାଦର ଅଂଶ ୪୫.୮୬%, ଗୃହ ୧୦.୦୭% ଏବଂ ଇନ୍ଧନ ସହିତ ଅନ୍ୟାନ୍ୟ ସାମଗ୍ରୀର ମଧ୍ୟ ଅଂଶ ରହିଛି।