ବରିଷ୍ଠ ନାଗରିକଙ୍କୁ ଟ୍ରେନ୍ ଯାତ୍ରାରେ ଦିଆଯାଉ ରିହାତି, ସଂସଦୀୟ କମିଟିର ସୁପାରିଶ
13/03/2023 at 8:29 PM

ନୂଆଦିଲ୍ଲୀ: ରେଳ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତିକୁ ପୁଣି ଥରେ ଲାଗୁ କରିବା ପାଇଁ ସଂସଦୀୟ କମିଟି କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଛି । ସଂସଦର ଗୋଟିଏ କମିଟି ଟ୍ରେନ୍ ଯାତ୍ରାରେ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତିକୁ ପୁଣି ଲାଗୁ କରିବା ଉପରେ ରେଳ ମନ୍ତ୍ରାଳୟକୁ ବିଚାର କରିବାକୁ କହିଛି । ବିଜେପି ସାଂସଦ ରାଧା ମୋହନ ସିଂଙ୍କ ଅଧ୍ୟକ୍ଷତାରେ ଥିବା ରେଳ ମନ୍ତ୍ରାଳୟ ସହ ଜଡିତ ସଂସଦର ସ୍ଥାୟୀ କମିଟି ନିଜ ରିପୋର୍ଟରେ ଏହା କହିଛି । ସୋମବାର ସଂସଦର ଉଭୟ ଗୃହରେ ଏହାକୁ ଉପସ୍ଥାପିତ କରାଯାଇଛି ।
ରିପୋର୍ଟ ଅନୁସାରେ ୬୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କୁ ଭଡ଼ାରେ ୪୦ ପ୍ରତିଶତ ରିହାତି ଦିଆଯାଉଥିଲା । ମହିଳାଙ୍କ ପାଇଁ ଏହି ବୟସ ୫୮ ବର୍ଷ ଥିଲା । ୫୮ ବର୍ଷ ବୟସରୁ ଅଧିକ ମହିଳାଙ୍କୁ ୫୦ ପ୍ରତିଶତ ରିହାତି ଦିଆଯାଉଥିଲା । ଟିକେଟରେ ଏହି ରିହାତି ମେଲ୍, ଏକ୍ସପ୍ରେସ୍, ରାଜଧାନୀ, ଶତାବ୍ଦୀ ଟ୍ରେନ ପାଇଁ ଦିଆଯାଉଥିଲା ।
ଏଥିରେ କୁହାଯାଇଛି ଯେ ମନ୍ତ୍ରାଳୟ ‘ବରିଷ୍ଠ ନାଗରିକ ରିହାତି ଛାଡନ୍ତୁ’ ଅଭିଯାନ ଆରମ୍ଭ କରିଥିଲା । ଏଥିରେ ବରିଷ୍ଠ ନାଗରିକଙ୍କୁ ବିକଳ୍ପ ଦିଆଯାଇଥିଲା ଯେ ଯେଉଁମାନେ ଦେଶର ବିକାଶରେ ଯୋଗଦାନ ଦେବାକୁ ଚାହୁଁଛନ୍ତି, ସେମାନେ ବିନା ରିହାତିରେ ଟିକେଟ୍ ବୁକ୍ କରିପାରିବେ ।
ଉଲ୍ଲେଖଯୋଗ୍ୟ ଯେ ୨୦୨୦ ମାର୍ଚ୍ଚ ୨୦ରୁ ବରିଷ୍ଠ ନାଗରିକଙ୍କୁ ଦିଆଯାଉଥିବା ରିହାତି ବିକଳ୍ପକୁ ବନ୍ଦ କରି ଦିଆଯାଇଛି । ସଂସଦୀୟ କମିଟି କହିବା ଅନୁସାରେ କରୋନା କଟକଣା ହଟି ସାରିଛି ଏବଂ ରେଲୱେ ସାମାନ୍ୟ ବୃଦ୍ଧି ହାସଲ କରିସାରିଛି । ସ୍ଲିପର କ୍ଲାସ୍ ଏବଂ ୩ଏ ଶ୍ରେଣୀରେ ବରିଷ୍ଠ ନାଗରିକଙ୍କୁ ପ୍ରଦାନ କରାଯାଉଥିବା ରିହାତି ଉପରେ ପୁଣି ବିଚାର କରିବାକୁ କମିଟି କହିଛି ।