ପୁରୀ ପଞ୍ଚତୀର୍ଥ ପୁଷ୍କରିଣୀରେ ଆରମ୍ଭ ହେଲା ପୁନରୁଦ୍ଧାର କାର୍ଯ୍ୟ; ଖୁବଶୀଘ୍ର ହେବ ସୌନ୍ଦର୍ଯ୍ୟକରଣ

Published By : Prameya-News7 Bureau | October 13, 2022 IST

ପୁରୀ ୧୩/୧୦: ଅବହେଳିତ ଅବସ୍ଥାରେ ଥିବା ପୁରୀର‌ ପଞ୍ଚତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ପୁଷ୍କରିଣୀର ଚାରିପାଖରେ ଭାଙ୍ଗି ଯାଇଥିବା ପାଚେରୀକୁ ନୂଆ ତିଆରି କରିବା ସହ ଦୂଷିତ ଜଳକୁ ପରିଷ୍କାର କରାଯାଉଛି। କେବଳ ସେତିକି ନୁହେଁ ତୀର୍ଥ ପୁଷ୍କରିଣୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକଙ୍କ ସୁବିଧା ପାଇଁ ଅନେକ ଗୁଡ଼ିଏ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି କାର୍ଯ୍ୟ ଶିଘ୍ର ସାରିବା ପାଇଁ ପ୍ରଶାସନ ଲକ୍ଷ ରଖିଥିବା ବେଳେ ଏହାକୁ ସବୁ ମହଲରେ ସ୍ବାଗତ କରାଯାଇଛି। 

ମାର୍କଣ୍ଡେୟ, ଇନ୍ଦ୍ରଦ୍ୟୁମ୍ନ, ଶ୍ବେତଗଙ୍ଗା ଆଦି ପ୍ରମୁଖ ତୀର୍ଥ ପୁଷ୍କରିଣୀର ଚାରିପାଖରେ ନୂଆ ସୁରକ୍ଷା ପ୍ରାଚୀର ତିଆରି କାମ ଜାରି ରହିଛି। ସେହିପରି ତୀର୍ଥ ପୁଷ୍କରିଣୀର ଦୂଷିତ ଜଳକୁ ପରିଷ୍କାର କରାଯାଉଛି।‌ ତୀର୍ଥ ପୁଷ୍କରିଣୀକୁ ଆସୁଥିବା ଭକ୍ତ ଓ ପର୍ଯ୍ୟଟକମାନଙ୍କ ସୁବିଧା ଓ ସୁରକ୍ଷା ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରାଯାଉଥିବା ବେଳେ ଏହାର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। 

ଶ୍ରୀକ୍ଷେତ୍ରର ଅନନ୍ୟ ତୀର୍ଥ ସ୍ଥାନ ହେଉଛି ପୁରୀର ପଞ୍ଚତୀର୍ଥ ପୁଷ୍କରିଣୀ। ପୁରାଣରେ ବର୍ଣ୍ଣନା ଅନୁଯାୟୀ ଏଠାକୁ ଆସି ଭକ୍ତମାନେ ସ୍ନାନ କରିବା ସହ ଜଳସିଞ୍ଚନ‌ କଲେ ଅଶେଷ ପୁଣ୍ୟ ମିଳିଥାଏ ବୋଲି ବିଶ୍ଵାସ ରହିଛି। କେବଳ ସେତିକି ନୁହେଁ ବର୍ଷ ତମାମ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ଏଠାରେ ଅନୁଷ୍ଠିତ ହୁଏ। ଗତ କିଛି ବର୍ଷ ହେବ ପ୍ରଶାସନର ଅଣଦେଖା ଓ ଅବହେଳା ପାଇଁ ଏହି ପୁଷ୍କରିଣୀ ପରିଚୟ ହରାଇଥିଲା। ନର୍ଦ୍ଦମା ଜଳ ତୀର୍ଥ ପୁଷ୍କରିଣୀରେ ମିଶି ଜଳକୁ ଦୂଷିତ କରୁଥିବା ବେଳେ ଅନେକ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ମଧ୍ୟ ପାଲଟିଥିଲା। ତେବେ ଏନେଇ ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି। ତେବେ ତୀର୍ଥ ପୁଷ୍କରିଣୀର ପୁନରୁଦ୍ଧାର ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ଏହାକୁ ସେବାୟତ ମହଲରେ ସ୍ବାଗତ କରାଯାଇଛି। 

ବହୁ ଦିନ ଧରି ଅବହେଳିତ ଅବସ୍ଥାରେ ଥିବା ଏହି ପୁଷ୍କରିଣୀ ପ୍ରତି ପ୍ରଶାସନର ଅବହେଳା ପାଇଁ ବିପର୍ଯ୍ୟସ୍ତ ଅବସ୍ଥାକୁ ଏହା ଚାଲିଯାଇଥିଲା। ତେବେ ଏହାର ପୁନରୁଦ୍ଧାର କାର୍ଯ୍ୟ ପରେ ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ପ୍ରଶାସନ ଦୃଷ୍ଟି ଦେଲେ ତୀର୍ଥ ପୁଷ୍କରିଣୀର ମହତ୍ବ ବଞ୍ଚି ରହିବ ବୋଲି ସାଧାରଣରେ କୁହାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.