ଜର୍ଜ’ଟାଉନ: ଗୁଏନା ବୋର୍ଡିଂ ସ୍କୁଲ ଛାତ୍ରାବାସ ଅଗ୍ନିକାଣ୍ଡ ଘଟଣାରେ ୧୯ଜଣ ବିଦ୍ୟାର୍ଥୀ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଛାତ୍ର ଏଥିରେ ଆହତ ହୋଇଛନ୍ତି । ମୃତଙ୍କ ମଧ୍ୟରେ ଅଧିକ ସଂଖ୍ୟାକ ଛାତ୍ରୀ ରହିଥିବା ଜଣାପଡ଼ିଛି । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଏହି ଭୟଙ୍କର ଓ ଦୁଃଖଦ ଘଟଣାରେ ରାଷ୍ଟ୍ରପତି ଇରଫାନ ଅଲ୍ଲୀ ଶୋକ ପ୍ରକାଶ କରିବା ସହିତ ମୃତ ଛାତ୍ରଛାତ୍ରୀଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ସେହିପରି ଆହତ ବିଦ୍ୟାର୍ଥୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦେବା ସହିତ ଆଶୁଆରୋଗ୍ୟ କାମନା କରିଛନ୍ତି ।
ସରକାର ଏକ ବୟାନ କହିଛନ୍ତି, ରାଜଧାନୀ ଜାର୍ଜଟାଉନ ଠାରୁ ପାଖାପାଖି ୩୨୦ କିଲୋମିଟର ଦୂର ଦକ୍ଷିଣ-ପଶ୍ଚିମ ସୀମାବର୍ତ୍ତୀ ସହର ମହାଦିଆରେ ଏହି ଭୀଷଣ ଅଗ୍ନିକାଣ୍ଡ ଘଟିଛି । ରବିବାର ରାତି ପ୍ରାୟ ୧୦ଟା ୫୦ ମିନିଟରେ ଏକ ମାଧ୍ୟମିକ ସ୍କୁଲ ଛାତ୍ରାବାସ ନିଆଁ ଲାଗିଥିଲା । ଫଳରେ ନିଆଁର ଆଁ ଭିତରକୁ ଆସିଯାଇଥିଲେ ଛାତ୍ରଛାତ୍ରୀ । ନିଆଁ ଏବେ ଭୟଙ୍କର ଥିଲା ପିଲାମାନେ ବାହାରକୁ ବାହାରିବାର ସୁଯୋଗ ପାଇନଥିଲେ । ଏହି ଅଗ୍ନିକାଣ୍ଡରେ ୧୯ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ଛାତ୍ରଛାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି ।
ଗୁଆନା ଅଗ୍ନିଶମ ବାହୀନିର ସୂଚନା ଅନୁଯାୟୀ, ଦମକଳ ବାହୀନି ଯେତେବେଳେ ଘଟଣାସ୍ଥଳରେ ପହଞ୍ଚିଲେ, ସେତେବେଳେ ନିଆଁ ପୂରା ଛାତ୍ରାବାସକୁ ନିଜ କବଳକୁ ନେଇଯାଇଥିଲା । ଫଳରେ ଘଟଣାସ୍ଥଳରେ ୧୪ ପିଲା ପ୍ରାଣହରାଇ ଥିଲେ । ଅନ୍ୟ ୫ଜଣଙ୍କ ଜୀବନ ଚିକିତ୍ସାଧୀନ ଅବସ୍ଥାରେ ଯାଇଛି । ତେବେ ନିଆଁ ଲାଗିବାର କାରଣ ଏବେବି ଅସ୍ପଷ୍ଟ ରହିଛି ।
ଆହତ ଛାତ୍ରଙ୍କ ମଧ୍ୟରେ ୨ଜଣଙ୍କ ଅବସ୍ଥା ଗମ୍ଭୀର ରହିଛି । ଶରୀରର ଅଧିକାଂଶ ଅଂଶ ପୋଡ଼ି ଯାଇଛି। ଛାତ୍ରଛାତ୍ରୀଙ୍କୁ ଚିକିତ୍ସା ପାଇଁ ବିମାନ ଯୋଗେ ଜାର୍ଜଟାଉନ ନିଆଯାଇଛି । ସେହିପରି ମହାଦିଆର ଏକ ହସପିଟାଲରେ ୧୦ ପିଲାଙ୍କ ଚିକିତ୍ସା ଚାଲିଛି । ତେବେ ଏହି ମାଧ୍ୟମିକ ସ୍କଲରେ ପଢୁଥିବା ଅଧିକାଂଶ ପିଲା ୧୨ରୁ ୧୮ ବର୍ଷ ରହିଥିବା ଜଣାପଡ଼ିଛି ।