ନାରାୟଣପାଟଣା ୨୮।୦୭ : ନାରାୟଣପାଟଣା ଝଞ୍ଜାବତୀ ନଦୀରେ ଭାସିଗଲେ ୫ବର୍ଷର ଝିଅ ସହ ଗର୍ଭବତୀ ମା' I ଏମାନଙ୍କୁ ଖୋଜିବା ଲାଗି ରେସକ୍ୟୁ ଅପରେସନ୍ ଜାରି ରହିଛି । ରାତିତମାମ ଉଦ୍ଧାର କାର୍ଯ୍ୟ ଚାଲିଥିଲା । ରାତି ଦୁଇଟାରେ ଘଟଣା ସ୍ଥଳରେ ପହଞ୍ଚିଥିଲେ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର ଏବଂ ଓଡ୍ରାଫ ଟିମ୍। ବ୍ଲକ ଓ ଜିଲ୍ଲାର ପ୍ରଶାସନିକ ଅଧିକାର ମାନଙ୍କ ଉପସ୍ଥିତିରେ ରାତିସାରା ଉଦ୍ଧାର କାର୍ଯ୍ୟ ଚାଲିଥିଲା । ଆଜି ପୁଣି ସକାଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ।
ଖବର ଅନୁଯାୟୀ, ନିଖୋଜ ଦୁଇ ଜଣ ନାରାୟଣପାଟଣା ବ୍ଲକର ପାଲାପୁଟ ମା' ଗୃହରେ ରହିଥିଲେ। ଗର୍ଭବତୀ ମହିଳା ମୋତି ତାଡିଙ୍ଗି ଓ ତାଙ୍କ ୫ ବର୍ଷର ଝିଅ ନିକଟ ଝଞ୍ଜାବତୀ ନଈକୁ ଶୌଚ ହେବା ପାଇଁ ଯାଇ ନିଖୋଜ ହୋଇଯାଇଥିବା ସନ୍ଦେହ କରାଯାଉଛି I ଏମାନଙ୍କ ଘର ତଳଗୁମାଣ୍ଡି ପଞ୍ଚାୟତର ଡ଼କରି ଘାଟି ଗାଁରେ ବୋଲି ଜଣା ପଡିଛି I ଗତକାଲି ଅପରାହ୍ନ ପ୍ରାୟ ସାଢେ ଦୁଇଟା ରେ ମାଁ ଗୃହ ଠାରୁ ୩ ଶହ ମିଟର ଦୂରରେ ପ୍ରବାହିତ ଝଞ୍ଜାବତୀ ନଈକୁ ଯାଇଥିଲେ I ସନ୍ଧ୍ୟା ସାତଟା ସୁଦ୍ଧା ସେ ଆଉ ଫେରିନଥିବା ବେଳେ ନଈ କୂଳରେ ମାଁ ଓ ଝିଅଙ୍କ ଲୁଗାପଟା ଓ ଚପଲ ଦେଖିବାକୁ ମିଳିଥିବାରୁ ନଈରେ ଦୁହେଁ ଭାସିଯାଇଥିବା ସନ୍ଦେହ କରାଯାଉଛି I