ରିଜର୍ଭ ବ୍ୟାଙ୍କର ନୂଆ ଯୋଜନା, ନୋଟ୍‌ ଭଳି ଏଟିଏମ୍‌ରୁ ବାହାରିବ କଏନ୍

Published By : Prameya-News7 Bureau | February 08, 2023 IST

ନୂଆଦିଲ୍ଲୀ, ୦୮/୦୨: ରିଜର୍ଭ ବ୍ୟାଙ୍କ ବୁଧବାର ମନିଟାରୀ ପଲିସି କମିଟି ବୈଠକର ଫଳାଫଳ ଘୋଷଣା କରିଛନ୍ତି। ଏହି ଘୋଷଣାରେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍‌ ବୃଦ୍ଧି କରିଛନ୍ତି। ଏହା ସହ ଆରବିଆଇ ବ୍ୟାଙ୍କିଂ ଏବଂ ଫାଇନାନ୍ସିଆଲ ସେକ୍ଟର ପାଇଁ ମଧ୍ୟ କିଛି ଘୋଷଣା କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ବିବୃତ୍ତିରେ ଏକ ବିଶେଷ ଘୋଷଣା କରିଛନ୍ତି। ତାହା ହେଉଛି କଏନ୍‌ ପାଇଁ ମଧ୍ୟ ଭେଣ୍ଡିଂ ମେସିନ୍ ଘୋଷଣା। ଅର୍ଥାତ୍ ଏଣିକି ଏଟିଏମରୁ ଟଙ୍କା ଉଠାଇବା ଭଳି କଏନ ମଧ୍ୟ ଉଠାଇପାରିବେ ଗ୍ରାହକ। ଦାସ କହିଛନ୍ତି ଏହି ଯୋଜନା QR Code ଚାଳିତ କଏନ ଭେଣ୍ଡିଂ ମେସିନ୍ ହେବ। ଆରବିଆଇ ଏନେଇ ଏକ ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରିବାକୁ ଯାଉଛି।

RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ  QR Code ଆଧାରିତ କଏନ୍‌ ଭେଣ୍ଡିଂ ମେସିନ୍ କିମ୍ବା QCVM ଲଞ୍ଚ କରିବ। ଏହି ମେସିନ୍ ପାଇଲଟ୍ ପ୍ରୋଜେକ୍ଟ ଭାବରେ ୧୨ ସହରରେ ଆରମ୍ଭ ହେବ। ଏହି ମେସିନ୍‌ରେ କେହିବି ଗ୍ରାହକ ନିଜ ୟୁପିଆଇ ଆପ୍ ଦ୍ବାରା ଏଥିରେ ଲାଗିଥିବା କ୍ୟୁଆର ସ୍କାନ୍‌ କରି କଏନ୍ ବାହାର କରିପାରିବେ ଏବଂ ତାଙ୍କ ଆକାଉଣ୍ଟରୁ ଏହି ଟଙ୍କା କଟିଯିବ। ଯେଉଁଭଳି ଭାବରେ ଆପଣ ATMରୁ ନୋଟ୍‌ କାଢ଼ୁଛନ୍ତି ସେହିଭଳି କଏନ୍‌ କାଢ଼ିପାରିବେ। ଏହାଦ୍ବାରା ବଜାରରେ କଏନ୍‌ ଅଧିକରୁ ଅଧିକ ପହଞ୍ଚିପାରିବ। ଏହାର ପାଇଲଟ୍‌ ପ୍ରୋଜେକ୍ଟର ସଫଳତା ଆଧାରରେ​‌ ଆରବିଆଇ ଏହି ଯୋଜନାକୁ ଆଗକୁ ବଢ଼ାଇବ। ଏହାକୁ ନେଇ ବ୍ୟାଙ୍କ୍‌ମାନଙ୍କୁ ମଧ୍ୟ ମାର୍ଗଦର୍ଶିକା ଜାରି କରାଯିବ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଉ ଏକ ଘୋଷଣା ମଧ୍ୟ କରିଛନ୍ତି। ଏହି ଯୋଜନା ଅନୁଯାୟୀ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀ ମଧ୍ୟ ଭାରତରେ ୟୁପିଆଇ ସୁବିଧାର ଲାଭ ଉଠାଇପାରିବେ। ଜି୨୦ ଆରମ୍ଭ ହେବା ସହ ବିଦେଶୀଙ୍କ ପାଇଁ ୟୁପିଆଇ ସୁବିଧା ଆରମ୍ଭ ହେବାକୁ ଯାଉଛି। ଅବଶ୍ୟ ଏହି ସୁବିଧା କିଛି ନିର୍ଦ୍ଦିଷ୍ଟ ଏୟାରପୋର୍ଟରେ ଉପଲବ୍ଧ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.