ଇଛାଧିନ କୋଟା ପ୍ରସଂଗ- ସରକାରଙ୍କୁ ଘେରିଲେ ବିରୋଧୀ

Published By : Prameya-News7 Bureau | July 28, 2018 IST

ଭୁବନେଶ୍ବର ୨୮/୭ : ପୁଣି ଇଛାଧିନ କୋଟାକୁ ନେଇ ରାଜନୀତି ଜୋର ଧରିଛି । ଯେଉଂ ମାନେ ଇଛାଧିନ କୋଟାରେ ଫନ୍ଦି ଫିକର କରି ଜମି ଓ ପ୍ଲଟ ନେଇଥିଲେ ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡରୁ ସେମାନେ ଏବେ ବି ବେଫିକର ବୁଲୁଛନ୍ତି ଏବଂ ସରକାର ଏକଥା ଭୁଲିଯାଇଛନ୍ତି ତାହା ସାମ୍ନାକୁ ଆସିଛି । ଖୋଦ୍ ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବଙ୍କ ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡକୁ ଚିଠି ଏଭଳି କଥାର ଖୁଲାସା କରିଛି । ବାରମ୍ବାର କହିବା ପରେ କାହିଁକି ଇଛାଧିନ କୋଟାରେ କଣ ପଦକ୍ଷେପ ନେଇଛ ସେନେଇ ତଥ୍ୟ ଦେଉନ ବୋଲି ଏହି ୩ ସଂସ୍ଥାକୁ ସାଧାରଣ ପ୍ରଶାସନ ବିଭାଗ ଚିଠି ଲେଖିବା ପରେ ରାଜନୈତିକ ଦଳ ବିବାଦ ଭିତରକୁ ଲମ୍ଫ ମାରିଛନ୍ତି । ବିରୋଧୀ କହିଛନ୍ତି ନିର୍ବାଚନ ଆସିଲା ତ ସେଥିପାଇଂ ଠିକ୍ ୫ ବର୍ଷ ପରେ ମନେ ପଡିଲା ସରକାରଙ୍କର ଏବେ ଇଛାଧିନ କୋଟା ପ୍ରସଙ୍ଗ । ୪ବର୍ଷ ପରେ ଏବେ ପୁଣି ମନେପଡିଲା । ୨୦୧୪ ନିର୍ବାଚନ ପୂର୍ବରୁ ଇଛାଧିନ କୋଟାକୁ ନେଇ ଯେଉଁ ଘଣ୍ଟାଚକଟା ହୋଇଥିଲା ରାଜ୍ୟ ରାଜନୀତିରେ ତାର ଫଳ ଯେ ଶୂନ ତାହା ଏବେ ଧରାପଡିଗଲା । ଇଛାଧିନ କୋଟା ମାମଲାରେ କଣ ପଦକ୍ଷେପ ନେଇଛ, ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡକୁ ସାଧାରଣ ପ୍ରଶାସନର ପ୍ରମୁଖ ସଚିବ ଏ.କେ.ମୀନାଙ୍କ ଚିଠି ପୁରା ଘଟଣା ଉପରୁ ପରଦା ହଟାଇଛି । ବାରମ୍ବାର କହିବା ପରେ ବି ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡ ସାଧାରଣ ପ୍ରଶାସନ ବିଭାକୁ ତଥ୍ୟ ଦେଉନଥିବାରୁ ୭ ଦିନ ଭିତରେ ତଥ୍ୟ ଦେବାକୁ ଡେଡ୍ ଲାଇନ ଦିଆଯାଇଛି । ଏଥିରୁ ଜଣାପଡୁଛି ଯେଉଁ କିଛି ପ୍ରଭାବଶାଳୀ ଲୋକ ସେତେବେଳେ ନିୟମ କାନୁନକୁ ମୋଡି ଟୁଇନସିଟିରେ ଇଛାଧିନ କୋଟାରେ ପ୍ଲଟ ଓ ଘର ହାତେଇଥିଲେ ସେମାନେ ଏବେ ବି ବ୍ୟବସ୍ଥାକୁ ମୋଡିମାଡି ଦେବାର ଦକ୍ଷତା ରଖିଛନ୍ତି । ନହେଲେ ଏଭଳି ସରକାରୀ ଅସହାୟତା ସାମ୍ନାକୁ ଆସିନଥାନ୍ତା । ଏହାକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧି କହିଛନ୍ତି ସରକାରଙ୍କ ଏହା ଆଉଏକ ନିର୍ବାଚନି ବାହାନା । ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏବଂ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ସରକାରଙ୍କୁ ଏଥିପାଇଁ ତୀବ୍ର ସମାଲୋଚନା କରିଛନ୍ତି । ଇଛାଧିନ କୋଟାରେ ଆଇନକୁ ମୋଡିମାଡି ଦେଇ ନେତା, ଅଫିସର, ସାମ୍ବାଦିକ, ବିଚାରପତିଙ୍କ ଭଳି ବହୁ ଲୋକ ଭୁବନେଶ୍ବର ଓ କଟକରେ ସରକାରୀ ଜମି ହାତେଇଥିଲେ । କିଛି ଲୋକ ତ ମିଥ୍ୟା ସତ୍ୟପାଠ ଦେଇ ଉଭୟ ଭୁବନେଶ୍ବର ଓ କଟକରେ ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡରୁ ଜମି ନେଇଥିଲେ । ଧରପଗଡ ହେବାପରେ ସରକାର ତାରା ଦତ୍ତ୍ତଙ୍କ ଅଧ୍ୟକ୍ଷତାରେ ବସାଇଥିଲେ ଟାସ୍କ ଫୋର୍ସ । ଟାସ୍କ ଫୋର୍ସ ରିପୋର୍ଟ ଦେଲା ପରେ କ୍ୟାବିନେଟ ନିଷ୍ପତ୍ତି ହେଲା ୧୯୯୫ରୁ ଇଛାଧିନ କୋଟାରେ ବଣ୍ଟନ ହୋଇଥିବା ସବୁ ଜମି ଓ ଘର ବାତିଲ ହେବ । ୬ମାସ ଭିତରେ ଏହା ହୋଇଯିବ ବୋଲି ବି କହିଥିଲେ ସରକାର । ଏକାଧିକ ଘର ନେଇଥିବା କେସରେ ଭିଜିଲାନ୍ସ ତଦନ୍ତ କରିବ, କେସ୍ ଟୁ କେସ୍ ବେସିସରେ ଅର୍ଥ ବିଭାଗ ତଦନ୍ତ କରିବ ଏମିତି ଅନେକ କଥା । କିନ୍ତୁ କିଛି ଲାଭ ହେଲାନି । ୪ ବର୍ଷରେ ଇଛାଧିନ କୋଟାରେ ମାତ୍ର ୪ଟା ପ୍ଲଟ ବାତିଲ କରି ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡ ହାତବାନ୍ଧି ବସିଯାଇଛନ୍ତି । ଏମିତିକି ଯେଉଁ ଆଇଏଏସ ଅଫିସର ମାନେ ଇଛାଧିନ କୋଟାରେ ଜମି ନେଇଥିଲେ ସେମାନେ ବ୍ୟକ୍ତିଗତ ହାଜର ହୋଇ ପକ୍ଷ ରଖିଲେ କି ନାହିଁ ତାର ବି କିଛି ସୁରାକ ନାହିଁ । ଏବେ ସରକାର ସବୁ ଠିକ୍ ଠାକ୍ କରିଦେବେ ବୋଲି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଗଣମାଧ୍ୟମକୁ କହିଛନ୍ତି । ଟାସ୍କ ଫୋର୍ସ ଯେଉଁ ରିପୋର୍ଟ ଦେଇଥିଲେ ତା ଆଧାରରେ ୧୭୯୧ ଟି ପ୍ଲଟ ଓ ଘର ବାତିଲ ପାଇଁ ସୁପାରିସ ହୋଇଥିଲା । ସେଥିରୁ ବିଡିଏର ୮୦୩, ସିଡିଏରେ ୯୨୧ ଓ ହାଉସିଂ ବୋର୍ଟର ୬୭ ଘର ଓ ପ୍ଲ ବାତିଲ ପାଇଁ କୁହାଯାଇଥିଲା । କିନ୍ତୁ ଯାହା ହୋଇଛି ତାହା ଜଳଜଳ ଦିଶୁଛି । ହେଲେ ଟାସ୍କ ଫୋର୍ସ ବାହାନାରେ ଅନେକ ବିଡିଏ, ସିଡିଏ ଓ ହାଉସିଙ୍ଗ ବୋର୍ଡ ଜମି ଓ ଘର ଯାହା କି ଇଛାଧିନ କୋଟାରେ ଆସୁ ନାହିଁ ତାର କିଣା ବିକା ଉପରେ ଯେଉଁ ରୋକ୍ ଲାଗିଛି ତାକୁ ନେଇ ହଜାର ହଜାର ଲୋକ ଅସୁବିଧାରେ ପଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.