ଶରୀରରେ ୫୦ ଥର ମ୍ୟୁଟେସନ ହୋଇଥିଲା ଭାଇରସ, ୬୧୩ ଦିନ ପରେ ପ୍ରାଣ ହରାଇଥିଲେ ପୀଡ଼ିତ, କୋଭିଡର ସବୁଠୁ ଦୀର୍ଘ ସଂକ୍ରମଣ

Published By : Prameya-News7 Bureau | April 20, 2024 IST

ନୂଆଦିଲ୍ଲୀ ୨୦।୪: ଆମଷ୍ଟାରଡମ ୟୁନିଭର୍ସିଟି ମେଡିକାଲ ସେଣ୍ଟରର ଗବେଷକମାନଙ୍କୁ କୋଭିଡ-୧୯ ସମ୍ପର୍କିତ ଆଶ୍ଚର୍ଯ୍ୟଜନକ ତଥ୍ୟ ମିଳିଛି। ଗବେଷକଙ୍କୁ ଏକ ଅଧ୍ୟାୟନରୁ ଜଣାପଡିଛି ଯେ ଜଣେ ଡଚ୍ ବ୍ୟକ୍ତିଙ୍କୁ ସବୁଠୁ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଭିଡ-୧୯ ସଂକ୍ରମଣର ସମ୍ମୁଖୀନ ହେବାକୁ ପଡିଛି। ତାଙ୍କ ଦେହରେ ଏହି ସଂକ୍ରମଣ ୬୧୩ ଦିନ ପର୍ଯ୍ୟନ୍ତ ଥିଲା ଓ ୨୦୨୩ ଶେଷରେ ତାଙ୍କର ମୃତ୍ୟୁ ହୋଇଛି। ‘ଟାଇମ’ ରିପୋର୍ଟଅନୁସାରେ ୭୨ ବର୍ଷ ବୟଷ୍କ ବ୍ୟକ୍ତି ଫେବୃଆରୀ ୨୦୨୨ରେ କୋଭିଡ-୧୯ ସଂକ୍ରମିତ ହୋଇଥିଲେ। 

କୋଭିଡରେ ସଂକ୍ରମିତ ହେବା ପୂର୍ବରୁ ସେ ରକ୍ତ ରୋଗରେ ପୀଡ଼ିତ ଥିଲେ। ଯେଉଁଥି ପାଇଁ ତାଙ୍କର ପ୍ରତିରକ୍ଷା ପ୍ରଣାଳୀ ଦୁର୍ବଳ ହୋଇପଡିଥିଲା। ଏହି ରୋଗୀଙ୍କ କେସ୍ ଆଗମୀ ସପ୍ତାହରେ ବାର୍ସିଲୋନାରେ ହେବାକୁ ଥିବା ମେଡିକାଲ ଶିଖର ସମ୍ମିଳନୀରେ ଗବେଷକମାନେ ଉପସ୍ଥାପନ କରିବେ। ରିପୋର୍ଟ ଅନୁସାରେ ଗବେଷକମାନେ ଜାଣିବାକୁ ପାଇଛନ୍ତି ଯେ କୋଭିଡ ସଂକ୍ରମଣ କାଳରେ ରୋଗୀଙ୍କ ଦେହରେ ଭୂତାଣୁ ୫୦ରୁ ଅଧିକ ବାର ଉତ୍ପରିବର୍ତ୍ତିତ ( ମ୍ୟୁଟେସନ) ହୋଇଥିଲା। ଶେଷରେ ଏହା ଅତି ଉତ୍ପରିବର୍ତ୍ତିତ (ଅଲଟ୍ରା ମ୍ୟୁଟେଡ) ଭାରିଆଣ୍ଟରେ ପରିବର୍ତ୍ତିତ ହୋଇଯାଇଥିଲା। 

ଗବେଷକମାନେ କହିଛନ୍ତି ଯେ ଏହି ବ୍ୟକ୍ତିଙ୍କ ଦେହରେ ପାଖାପାଖି ୨୦ ମାସ ଧରି ରହିଥିବା ସଂକ୍ରମଣ ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସବୁଠୁ ଦୀର୍ଘ ସଂକ୍ରମଣ। ଏହା ପୂର୍ବରୁ ଜଣେ ବ୍ରିଟିଶ ବ୍ୟକ୍ତିଙ୍କ ଦେହରେ ୫୦୫ ଦିନ ସଂକ୍ରମଣ ମିଳିଥିଲା ଓ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହେବା ପୂର୍ବରୁ କୋଭିଡ-୧୯ ଟିକାର ଅନେକ ଡୋଜ ନେଇଥିଲେ ମଧ୍ୟ ରୋଗୀ ପ୍ରତିରକ୍ଷା ପ୍ରଣାଳୀ କାୟମ ରଖିବାରେ ବିଫଳ ହୋଇଥିଲେ। ସମୟ ସହିତ ଭାଇରସ ମଜଭୁତ ହୋଇଥିବା ବେଳେ ଏକ ପ୍ରମୁଖ କୋଭିଡ ଆଣ୍ଟିବଡି ଚିକିତ୍ସା ସୋଟ୍ରୋଭିମ୍ୟାବ୍ ସହିତ ଅନ୍ୟ ଉପଚାରର ତାଙ୍କ ଉପରେ କୌଣସି ପ୍ରଭାବ ପଡିନଥିଲା। 

ଏହି ଭାରିଆଣ୍ଟ ରୋଗୀଙ୍କ ଠାରୁ ଅନ୍ୟକୁ ବ୍ୟାପି ନଥିଲା। ତେବେ ଏହାର ଉଦଭବରୁ ଜଣାପଡିଥିଲା ଯେ ମହାମାରୀ ସୃଷ୍ଚି କରୁଥିବା ଭାଇରସ ଅନୁବଂଶିକ ଭାବେ କିପରି ବଦଳିପାରେ, ଯାହା ଦ୍ୱାରା ନୂଆ ଭାରିଆଣ୍ଟ ଜନ୍ମ ହୋଇ ଥାଏ। ଏହି ରୋଗୀଙ୍କ ଉପରେ କରାଯାଇଥିବା ଅଧ୍ୟୟନର ଲେଖକମାନେ କହିଛନ୍ତି ଯେ ଏହି ମାମଲା ଦୁର୍ବଳ ପ୍ରତିରକ୍ଷା ଥିବା ବ୍ୟକ୍ତିଙ୍କ ଦେହରେ ଲଗାତାର ସଂକ୍ରମଣର ରିସ୍କ ସମ୍ପର୍କରେ ସୂଚିତ କରୁଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.