ଉତ୍ତର ସିକ୍କିମରେ ଉଦ୍ଧାର ଅଭିଯାନ ଶେଷ, ସୁରକ୍ଷିତ ବାହାରିଲେ ୧୪୪୭ ପର୍ଯ୍ୟଟକ

Published By : Prameya-News7 Bureau | June 19, 2024 IST

ଗ୍ୟାଙ୍ଗଟକ ୧୯।୬: ଉତ୍ତର ସିକ୍କିମର ମଙ୍ଗନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଶି ରହିଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଉଦ୍ଧାର ଅଭିଯାନ କାଳରେ କୌଣସି ଅପ୍ରିୟ ଘଟଣା ଘଟି ନାହିଁ। ସମସ୍ତ ୧,୪୪୭ ପର୍ଯ୍ୟଟକ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ମଙ୍ଗନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଫଶି ରହିଥିବା ପର୍ଯ୍ୟଟକଙ୍କ ଉଦ୍ଧାର ନିମନ୍ତେ ବଡ଼ ଅଭିଯାନ ହାତକୁ ନିଆଯାଇଥିଲା। ଉଦ୍ଧାର କାର୍ଯ୍ୟର ଶେଷ ଦିନ ବୁଧବାର ଉତ୍ତର ମଙ୍ଗନରୁ ୧୫୮ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି। 

ପର୍ଯ୍ୟଟକଙ୍କ ଉଦ୍ଧାର ନିମନ୍ତେ ମଙ୍ଗନ ଜିଲ୍ଲାପାଳ ହେମ କୁମାର ଛେତ୍ରୀଙ୍କ ନେତୃତ୍ୱରେ ଉଦ୍ଧାର ଅଭିଯାନ ହାତକୁ ନିଆଯାଇଥିଲା। ଏହି ଉଦ୍ଧାର ଅଭିଯାନରେ ମଙ୍ଗନ ଜିଲ୍ଲା ପୋଲିସ ଅଧିକ୍ଷକ ସୋନାମ ଡି. ଭାଟିୟା, ଜିଲ୍ଲା ପ୍ରଶାସନ ଅଧିକାରୀ, ବନ ବିଭାଗ, ପର୍ଯ୍ୟଟନ ବିଭାଗ, ମୋଟର ବାହନ ଉପବିଭାଗ, ପୋଲିସ ବିଭାଗ, ଜିଲ୍ଲା ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ସହିତ ଏସଡିଆରଏଫ, ଏନଡିଆରଏଫ, ଗ୍ରେଫ, ବିଆରଓ, ସିକ୍କିମ ଟ୍ରାଭେଲ ଏଜେଣ୍ଟ ଆସୋସିଏସନ ଓ ସ୍ଥାନୀୟ ପଞ୍ଚାୟତର ସ୍ୱୟଂ ସେବକମାନେ ସକ୍ରିୟ ସହଯୋଗ କରିଛନ୍ତି। 

ଉଲ୍ଲେଖଯୋଗ୍ୟ ଜୁନ ୧୨ ତାରିଖ ରାତିରେ ଭୀଷଣ ବର୍ଷା  ଓ ତତଜନିତ ଭୂ-ସ୍ଖଳନ ପରେ ଉତ୍ତର ସିକ୍କିମ ବାହ୍ୟଜଗତରୁ ବିଛିନ୍ନ ହୋଇ ପଡିଥିଲା। ଏଣୁ ଉତ୍ତର ସିକ୍କିମ ବୁଲିଯାଇଥିବା ପାଖାପାଖି ୧୨ଶହ ପର୍ଯ୍ୟଟକ ଫଶି ରହିଥିଲେ। ଏମାନଙ୍କ ମଧ୍ୟରେ ବୟଷ୍କ ଓ ପିଲା ବି ଥିଲେ। ଏହି ପର୍ଯ୍ୟଟକଙ୍କ ଉଦ୍ଧାର ନିମନ୍ତେ ଜୁନ ୧୭ ତାରିଖ ଦିନ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଥିଲା। ଏହି ଉଦ୍ଧାର ଅଭିଯାନ ନିମନ୍ତେ ସିକ୍କିମ ସରକାର ହେଲିକପ୍ଟର ସହାୟତା ମଧ୍ୟ ଯୋଗାଇ ଦେଇଥିଲେ। ତେବେ ପାଗ ଖରାପ ଯୋଗୁ ହେଲିକପ୍ଟର ଉଡି ପାରି ନଥିବା ବେଳେ ସଡ଼କ ମାର୍ଗରେ ଉଦ୍ଧାର ଅଭିଯାନ ଚଳାଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.