ସ୍ପଷ୍ଟକଲା ବିସିସିଆଇ: ୮ଟି ଟିମକୁ ନେଇ ହେବ IPL-୨୦୨୧ ଆୟୋଜନ, ୨୦୨୨ରେ ସାମିଲ ହେବେ ନୂଆ ଫ୍ରାଞ୍ଚାଇଜ୍

Published By : Prameya-News7 Bureau | December 21, 2020 IST

ନୂଆଦିଲ୍ଲୀ ୨୧/୧୨ : ଚଳିତ ବର୍ଷ ୟୁଏଇରେ ଆଇପିଏଲ ଆୟୋଜନ ହୋଇଥିଲା । ଏହାର ଫାଇନାଲ ମ୍ୟାଚ୍ ମୁମ୍ବାଇ ଇଣ୍ଡିଆନ୍ସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ୍ ମଧ୍ୟରେ ଖେଳାଯାଇଥିଲା । ଯେଉଁଥିରେ ମୁମ୍ବାଇ, ଦିଲ୍ଲୀକୁ ହରାଇ ପଞ୍ଚମ ଥର ପାଇଁ ଚାମ୍ପିୟନ ହୋଇଥିଲା । ତେବେ ଏହାରି ମଧ୍ୟରେ ଆଉ ଏକ ଚର୍ଚ୍ଚା ଜୋର ଧରିଥିଲା ଯେ, ବସିସିଆଇ ଆଇପିଏଲ ସିଜିନ ୨୦୨୧ରେ ଦୁଇ ନୂଆ ଫ୍ରାଞ୍ଚାଇଜ୍ ସାମିଲ କରିପାରେ । କିନ୍ତୁ ଏବେ ଏକ ନୂଆ ରିପୋର୍ଟ ମୁତାବକ ବିସିସିଆଇ ୨୦୨୧ ବଦଳରେ ଆଇପିଏଲ ସିଜିନ୍ ୨୦୨୨ରେ ଦୁଇ ନୂଆ ଫ୍ରାଞ୍ଚାଇଜକୁ ସାମିଲ କରିପାରେ ।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁଯାୟୀ ୨୦୨୧ରେ ନୂଆ ଦୁଇ ଟିମ୍ ସାମିଲ କରିବା ପାଇଁ ସମୟର ବହୁତ କମ ଏବଂ ଏଥିପାଇଁ ଅକ୍ସନ୍ ମଧ୍ୟ ହେବାକୁ ଅଛି । ସେଥିପାଇଁ ଦୁଇ ନୂଆ ଟିମ୍ ସାମିଲ କରିବାରେ ସମସ୍ୟା ଦେଖାଯିବ । ଟାଇଟଲ ସ୍ପୋନସରସିପ୍ ପାଇଁ ମଧ୍ୟ ଅନେକ ପ୍ରକ୍ରିୟା ବାକିଥିବାରୁ ଆଗକୁ ସମସ୍ୟା ଦେଖାଯିବ । ଏବେ ଟାଇଟଲ୍ ସ୍ପୋନସରସିପ୍ ଡ୍ରିମ୍-୧୧ ପାଖରେ ରହିଛି ।

ଅନ୍ୟପଟେ ୨୦୨୧ରେ ଷ୍ଟାର ସ୍ପୋର୍ଟସ ସହ ବସିସିଆଇର ଚୁକ୍ତି ଶେଷ ହେବାକୁ ଯାଉଛି । ସେଥିପାଇଁ ୨୦୨୨ରେ ହିଁ ନୂଆ ଟିମ୍ ସହିତ ଆଇପିଏଲ ଆୟୋଜନ ହୋଇପାରିବ ବୋଲି ବିସିସିଆଇ କହିଛି । ୧୦ ଟି ଟିମ୍‌କୁ ନେଇ ଆଇପିଏଲ ଟୁର୍ଣ୍ଣାମେଣ୍ଟ ହେଲେ ମୋଟ ୯୪ ମ୍ୟାଚ୍ ଖେଳାଯିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.