ସ୍ମାର୍ଟଫୋନ୍ ପାଇଁ ନୂଆ ସୁରକ୍ଷା ଯାଞ୍ଚର ଯୋଜନା କରୁଛନ୍ତି ସରକାର, ପ୍ରି-ଇନଷ୍ଟଲ୍ ଆପ୍ ଉପରେ ଲାଗିବ ଲଗାମ
14/03/2023 at 7:18 PM

ନୂଆଦିଲ୍ଲୀ, ୧୪/୦୩: ସାଇବର ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାରଙ୍କ ପଦକ୍ଷେପ। ରିପୋର୍ଟ ଅନୁଯାୟୀ ସ୍ମାର୍ଟଫୋନ୍ କମ୍ପାନୀଙ୍କ ଉପରେ ଲଗାମ ଲଗାଇବାକୁ ଭାରତ ସରକାର ଯୋଜନା କରୁଛନ୍ତି। ଏହିକ୍ରମରେ ସ୍ମାର୍ଟଫୋନରେ ପୂର୍ବରୁ ରହିଥିବା ଆପ୍ (ପ୍ରି-ଇନଷ୍ଟଲଡ୍ ଆପ୍ସ) କୁ ହଟାଇବାକୁ ଯୋଜନା କରାଯାଉଛି। ଏହା ବ୍ୟତୀତ ଅପରେଟିଂ ସିଷ୍ଟମର ଅପଡେଟ୍ ପାଇଁ ସ୍କ୍ରିନିଂ ଉପରେ ମଧ୍ୟ ବିଚାର କରୁଛନ୍ତି। ନୂଆ ସୁରକ୍ଷା ନିୟମ ଅନୁଯାୟୀ, ଏଭଳି କରାଯିବ। ତେବେ ଏହାଦ୍ବାରା ଭାରତର ସ୍ମାର୍ଟଫୋନ୍ ବଜାରରେ ପରିବର୍ତ୍ତନ ଆସିବା ସହ ପ୍ରି-ଇନଷ୍ଟଲ ଆପ୍ ପ୍ରସ୍ତୁତ କରୁଥିବା ଅନେକ ସ୍ମାର୍ଟଫୋନ୍ କମ୍ପାନୀଙ୍କ ବ୍ୟବସାୟରେ ପ୍ରଭାବିତ ହେବ।
ବର୍ତ୍ତମାନ ସମୟରେ ବ୍ୟବହାରକାରୀ ଏହି ପ୍ରି-ଇନଷ୍ଟଲଡ ଆପ୍ଙ୍କୁ ହଟାଇପାରିନଥାନ୍ତି। ଯାହା ବ୍ୟବହାରକାରୀଙ୍କ ତଥ୍ୟ ଚୋରିରେ ଏକ ମାଧ୍ୟମ ହୋଇପାରେ। ସରକାର ମଧ୍ୟ ଚାହୁଛନ୍ତି ଯେ ଚୀନ୍ ଭଳି କୌଣସି ଦେଶ ବ୍ୟବହାରକାରୀଙ୍କ ତଥ୍ୟର ଭୁଲ୍ ବ୍ୟବହାର ନକରିପାରନ୍ତୁ। ନୂଆ ନିୟମ ଅନୁଯାୟୀ ସ୍ମାର୍ଟଫୋନ୍ କମ୍ପାନୀଙ୍କୁ ପ୍ରି-ଇନଷ୍ଟଲ୍ ଆପ୍ ହଟାଇବା ପାଇଁ ଅନଇନଷ୍ଟଲ ବିକଳ୍ପ ଦେବାକୁ ହେବ। ଏହା ବ୍ୟତୀତ ବ୍ୟୁରୋ ଅଫ୍ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ ଏଜେନ୍ସୀ ଦ୍ବାରା ଅଧିକୃତ ଲ୍ୟାବ୍ରୁ ନୂଆ ସ୍ମାର୍ଟଫୋନ୍ ମଡେଲର ଯାଞ୍ଚ ହେବ।
ଭାରତରେ ସାମସଙ୍ଗ, ସାଓମି, ଭିଭୋ ଏବଂ ଆପ୍ପଲ ଭଳି ବ୍ରାଣ୍ଡ୍ର ସ୍ମାର୍ଟଫୋନ୍ରେ ଅନେକ ପ୍ରି-ଇନଷ୍ଟଲଡ୍ ଆପ୍ସ ଆସିଥାଏ। ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ତଥ୍ୟର ଜାସୁସୀ ଏବଂ ଏହି ତଥ୍ୟର ଭୁଲ୍ ବ୍ୟବହାର ସହ ଜଡ଼ିତ ଚିନ୍ତାକୁ ଧ୍ୟାନରେ ରଖି ସୂଚନା ଓ ପ୍ରଯୁକ୍ତି ମନ୍ତ୍ରାଳୟ ନୂଆ ନିୟମ ଆଣିବା ଉପରେ ବିଚାର କରୁଛନ୍ତି। ଏହା ପୂର୍ବରୁ ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ଏବଂ ଗୁଗଲ ପ୍ଲେ-ଷ୍ଟୋର ବିଲିଂକୁ ନେଇ ଗୁଗୁଲ ଉପରେ ବଡ଼ ଜରିମାନା ଲଗାଇଥିଲେ।
ତେବେ ଏହା ଜାତୀୟ ସୁରକ୍ଷା ମାମଲା ମଧ୍ୟ ରହିଛି। ଏଥିପାଇଁ ସରକାର ଏହି ପ୍ଲାନ୍କୁ ନେଇ ବେଶ୍ ଗମ୍ଭୀର ଅଛନ୍ତି। ସରକାର ସ୍ମାର୍ଟଫୋନ୍ ଆପ୍ସକୁ ନେଇ ସବୁଠୁ କଡ଼ା ପଦକ୍ଷେପ ୨୦୨୦ ରେ ଉଠାଇଥିଲେ। ସେହି ସମୟରେ ୩୦୦ ଚାଇନିଜ୍ ଆପ୍ ଉପରେ ବ୍ୟାନ୍ ଲଗାଯାଇଥିଲା। ଯେଉଁଥିରେ ଟିକ୍ଟକ୍ ଭଳି ଲୋକପ୍ରିୟ ଆପ୍ ସାମିଲ୍ ଥିଲା। ଏହା ପରେ ସରକାର ଚାଇନିଜ୍ କମ୍ପାନୀଙ୍କ ଉପରେ ଯାଞ୍ଚ ତୀବ୍ର କରିଥିଲେ।