ପ୍ରଦୂଷଣ ଯୋଗୁଁ ଭାରତରେ ୪.୧୧ ବର୍ଷ କମ ବଞ୍ଚୁଛନ୍ତି ଲୋକେ, ଗାଁରେ ଅଧିକ କମୁଛି ବୟସ, ପଢନ୍ତୁ ରିପୋର୍ଟ
24/03/2023 at 10:46 PM

ନୂଆଦିଲ୍ଲୀ: ପ୍ରଦୂଷଣ କାରଣରୁ ପ୍ରତି ଭାରତୀୟଙ୍କ ହାରାହାରି ବୟସ ୪.୧୧ ବର୍ଷ କମ ହେଉଛି । ତେବେ ଆଶ୍ଚର୍ଯ୍ୟକର ଘଟଣା ହେଉଛି ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ବୟସ ପ୍ରଦୂଷଣ ଯୋଗୁଁ ୫.୨ ବର୍ଷ କମୁଛି । ଏହାର ଅର୍ଥ ଏହା ଯେ ସହରୀ ଲୋକଙ୍କ ତୁଳନାରେ ଗ୍ରାମାଞ୍ଚଳର ଲୋକେ ପ୍ରଦୂଷଣର ଅଧିକ ଶିକାର ହେଉଛନ୍ତି । ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାୟରନମେଣ୍ଟ (ସିଏସଇ) ଗୁରୁବାର ଜାରି କରିଥିବା ଷ୍ଟେଟ୍ ଅଫ୍ ଇଣ୍ଡିଆଜ୍ ଏନଭାୟରନମେଣ୍ଟ ୨୦୨୩ ରିପୋର୍ଟରେ ଦାବି କରାଯାଇଛି ।
ରିପୋର୍ଟ ଅନୁସାରେ ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ୨୫.୭ ପ୍ରତିଶତ ଭାରତୀୟ ପ୍ରଦୂଷଣ ଯୋଗୁଁ ୭ ବର୍ଷ କମ ବଞ୍ଚୁଛନ୍ତି । ସେହିପରି ୨୨.୫ ପ୍ରତିଶତ ଲୋକେ ୫ରୁ ୭ ବର୍ଷ କମ ବଞ୍ଚୁଛନ୍ତୁ । ଏହାଛଡା ୨୬.୬ ପ୍ରତିଶତ ଲୋକେ ୩ରୁ୫ ବର୍ଷ, ୨୪.୪ ପ୍ରତିଶତ ଲୋକେ ୧ରୁ ୩ ବର୍ଷ କମ ବଞ୍ଚୁଛନ୍ତି । ସେହିପରି ମାତ୍ର ୦.୮ ପ୍ରତିଶତ ଲୋକଙ୍କ ଜୀବନ ଉପରେ ପ୍ରଦୂଷଣ ଏକ ବର୍ଷରୁ କମର ପ୍ରଭାବ ପକାଉଛି । ଏଥିରେ ୨୦୨୦ର ଜନସଂଖ୍ୟାରୁ ଆଧାର କରାଯାଇଛି । ଏହିପରି ସହରାଞ୍ଚଳରେ ବାସ କରୁଥିବା ଲୋକଙ୍କ ମଧ୍ୟରେ ୧୧.୯ ପ୍ରତିଶତ ୭ ବର୍ଷ କମ ବଞ୍ଚୁଛନ୍ତି । ୧୭.୩ ପ୍ରତିଶତଙ୍କ ଜୀବନ ୫ରୁ ୭ ବର୍ଷ କମୁଛି, ୨୩.୨ ପ୍ରତିଶତଙ୍କ ଜୀବନ ଆୟୁଷ ୩ରୁ ୫ ବର୍ଷ, ୪୬.୫ ପ୍ରତିଶତଙ୍କ ଜୀବନ ୧ରୁ ତିନି ବର୍ଷ କମୁଛି ।
ରିପୋର୍ଟରେ କୁହାଯାଇଛି ଯେ ୨୦୨୧ରେ ପରିବେଶ ଆକ୍ଟରେ ୬୪,୪୧୪ ମାମଲା ରୁଜୁ କରାଯାଇଛି । ୨୦୨୧ ଶେଷ ସୁଦ୍ଧା କୋର୍ଟରେ ପରିବେଶ ଜନିତ ୮୯,୩୦୫ ମାମଲା ବିଚାରଧୀନ ରହିଛି । ଗୋଟିଏ ବର୍ଷରେ ଏହି ସବୁ ମାମଲାକୁ ସାରିବାକୁ ହେଲେ ଦିନକୁ ୨୪୫ କେସର ଶୁଣାଣି ଶେଷ କରିବାକୁ ପଡ଼ିବ । ୨୦୨୨ ଜାନୁଆରୀ ୧ରୁ ଅକ୍ଟୋବର ମଧ୍ୟରେ ଭାରତରେ ୩୦୪ ଦିନରୁ ୨୭୧ ଦିନରେ ପାଣିପାଗ ଜନିତ ବଡ଼ ଘଟଣା ଘଟିଛି । ଏଥିରେ ୨,୯୫୨ ଲୋକଙ୍କ ଜୀବନ ଯାଇଛି ଏବଂ ୧୮.୧ ଲକ୍ଷ ହେକ୍ଟର ଫସଲ ନଷ୍ଟ ହୋଇଛି ।
ଗ୍ରାମାଞ୍ଚଳରେ ପ୍ରଦୂଷଣର ପ୍ରଭାବ ଅଧିକ କ୍ଷତିକାରକ ହେବା ଚିନ୍ତାର ବିଷୟ ଅଟେ । ଘରେ ଘରେ ଗ୍ୟାସ ସିଲିଣ୍ଡର ପହଞ୍ଚିବା ପରେ ଗାଁରେ ଧୂଆଁ କମ ହେବ ବୋଲି କୁହାଯାଉଥିଲା । ତେବେ ଏହା ଉପରେ ସର୍ଭ କରାଯାଇ ବର୍ତ୍ତମାନର ସ୍ଥିତି ଜାଣିବା ଜରୁରୀ ହୋଇଛି । ଏହାସହ ଗାଁରେ ସଫେଇ ବ୍ୟବସ୍ଥାରେ ସୁଧାର ଏବଂ ସିୱେଜ୍ ସିଷ୍ଟମ ଉପରେ ନଜର ଦେବାର ଆବଶ୍ୟକତା ରହିଛି ।