୨୦୨୪ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି: ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ରାଜ୍ୟରେ ପ୍ରଭାରୀ ନିଯୁକ୍ତ କଲା ଦଳ
9/09/2022 at 9:52 PM

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କଲା ବିଜେପି। ବଦଳିଲା ଦଳର ସାଂଗଠନିକ ଚିତ୍ର। ବିଭିନ୍ନ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କୁ ନୂଆ ଦାୟିତ୍ୱ ଦେଲା ବିଜେପି। ୧୫ ରାଜ୍ୟରେ ପ୍ରଭାରି ନିଯୁକ୍ତି କରିଛି ଦଳ। ବରିଷ୍ଠ ବିଜେପି ନେତା ବିଜୟ ରୁପାନୀ, ବିପ୍ଲବ କୁମାର ଦେବ, ପ୍ରକାଶ ଜାବଡେକର ଏବଂ ମହେଶ ଶର୍ମାଙ୍କୁ ବିଭିନ୍ନ ରାଜ୍ୟର ଦଳୀୟ ପ୍ରଭାରୀ ଦାୟିତ୍ୱ ମିଳିଛି।
ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏହି ସୂଚୀ ଜାରି କରିଛନ୍ତି। ଜାରି ହୋଇଥିବା ନୂଆ ତାଲିକାରେ ବିହାର, ମଧ୍ୟପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗଳା ସମେତ ମୋଟ ୧୫ ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦିଆଯାଇଛି।
भाजपा राष्ट्रीय अध्यक्ष श्री @JPNadda ने विभिन्न राज्यों के प्रभारी एवं सह-प्रभारी को नियुक्त किया है। pic.twitter.com/Rn4uyB8cmL
— BJP (@BJP4India) September 9, 2022
ତାଲିକା ଅନୁସାରେ, ବିନୋଦ ତାୱଡ଼େଙ୍କୁ ବିହାର ପ୍ରଭାରୀ ନିଯୁକ୍ତ କରାଯାଇଥିବା ବେଳେ ଓ ମାଥୁର ଏବଂ ମଙ୍ଗଲ ପାଣ୍ଡେଙ୍କୁ ଯଥାକ୍ରମେ ଛତିଶଗଡ଼ ଓ ପଶ୍ଚିମବଙ୍ଗ ପ୍ରଭାରୀ ନିଯୁକ୍ତ କରାଯାଇଛି। ସେହିପରି ବିପ୍ଳବ ଦେବଙ୍କୁ ହରିୟାଣା ଓ ଲକ୍ଷ୍ମୀକାନ୍ତ ବାଜପେୟୀଙ୍କୁ ଝାରଖଣ୍ଡ ଦାୟିତ୍ୱ ଦିଆଯାଇଛି। ପ୍ରକାଶ ଜାଭେଦକରଙ୍କୁ କେରଳ, ଡ. ମହେଶ ଶର୍ମାଙ୍କୁ ତ୍ରିପୁରା ପ୍ରଭାରୀ ନିଯୁକ୍ତି ଦେଇଛି ବିଜେପି। ସେହିପରି ସମ୍ବିତ ପାତ୍ରକୁ ପୂର୍ବୋତ୍ତର ରାଜ୍ୟ, ରାଧାମୋହନ ଅଗ୍ରୱାଲଙ୍କୁ ଲାକ୍ଷାଦ୍ୱୀପ, ବିଜୟ ରୂପାଣୀଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼, ଅରୁଣ ଚୁଘଙ୍କୁ ତେଲେଙ୍ଗାନା, ଅରୁଣ ସିଂହଙ୍କୁ ରାଜସ୍ଥାନର ପ୍ରଭାରୀ ନିଯୁକ୍ତି ଦିଆଯାଇଛି।
୨୦୧୪ ନିର୍ବାଚନରେ ବିଜେପି ୨୮୨ ଆସନ ହାତେଇଥିଲା। ସେହିପରି ୨୦୧୯ରେ ଦଳକୁ ମିଳିଥିଲା ୩୦୦ ଆସନ। ଏଥର ୨୦୨୪ରେ ଦଳ ୩୫୦ରୁ ଅଧିକ ଆସନ ହାତେଇବ ବୋଲି ଲକ୍ଷ୍ୟ ରଖିଛି। ଏନେଇ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ଶେଖାୱତ କହିଛନ୍ତି “ମୋତେ ଲାଗୁଛି ଯେ ଏଥର ଏହି ଯାତ୍ରା ୩୫୦ ପାର୍ ହେଇ ଶେଷ ହେବ। ବିହାରରେ ଆମେ ୩୫ ଆସନ ହାତେଇବାକୁ ଲକ୍ଷ୍ୟ ରଖିଛୁ। ବିଜେପି ଶତପ୍ରତିଶତ ପ୍ରଦର୍ଶନ କରିବ। ଇତିହାସ ପୂର୍ବରୁ ଦୋହରାଯାଇଛି ଏଥର ବି ପୁଣିଥରେ ଦୋହରାଯିବ। ଏଥର ନୂଆ ରେକର୍ଡ ହେବ।”