୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇବାକୁ ଦାବି, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ

Published By : Prameya-News7 Bureau | October 07, 2021 IST

ନୂଆଦିଲ୍ଲୀ ୦୭/୧୦ : କଂଗ୍ରେସର ଜଣେ ବିଧାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ଚିଠିରେ ଏଭଳି କିଛି ଲେଖିଛନ୍ତି ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ରାଜସ୍ଥାନ ସାନଗଡ୍‌ର କଂଗ୍ରେସ ବିଧାୟକ ଭାରତ ସିଂହ କୁନ୍ଦନପୁର, ମୋଦୀଙ୍କୁ ଚିଠି ଲେଖି କହିଛନ୍ତି, ‘୨୦୧୯ ମସିହା ଜାନୁଆରୀ ମାସରୁ ୨୦୨୦ ମସିହା ଡିସେମ୍ବର ମାସ ମଧ୍ୟରେ ପ୍ରାୟ ୬୧୬ଟି ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଛି । ତେଣୁ ଏଭଳି ଭ୍ରଷ୍ଟାଚାର ଶାସନ ମଧ୍ୟରେ ଗାନ୍ଧୀଜୀଙ୍କୁ ଅସମ୍ମାନ କରାନଯାଉ ।’  

ମୋଦୀଙ୍କୁ ଲେଖିଥିବା ଚିଠିରେ ସେ ଆହୁରି ଲେଖିଛନ୍ତି, ‘ଉଚ୍ଚ ମୂଲ୍ୟଯୁକ୍ତ ନୋଟ୍‌ଗୁଡିକରୁ ଗାନ୍ଧୀଜୀଙ୍କ ଫଟୋ ହଟାଯାଉ । ଗାନ୍ଧୀଙ୍କ ଫଟୋ କେବଳ ୫, ୧୦, ୨୦, ୫୦, ୧୦୦ ଏବଂ ୨୦୦ ଟଙ୍କିଆ ନୋଟ୍‌ରେ ରହିବା ଉଚିତ । କାରଣ ଗରିବ ଲୋକମାନେ ଏହି ନୋଟ୍ ଗୁଡିକର ଅଧିକ ବ୍ୟବହାର କରନ୍ତି । ମହାତ୍ମା ଗାନ୍ଧି ଜୀବନ ସାରା କେବଳ ବେସାହାରା ଲୋକମାନଙ୍କ ପାଇଁ କାମ କରୁଥିଲେ । ମୋର କେନ୍ଦ୍ର ସରକାରଙ୍କୁ ପରାମର୍ଶ ଯେ, ଦୟାକରି ଗାନ୍ଧୀଙ୍କ ଫଟୋ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ରେ ନକରନ୍ତୁ ।’

ସେ ଆହୁରି ମଧ୍ୟ କହିଛନ୍ତି, ଗତ ୭୫ ବର୍ଷ ହେଲା ଦେଶର ସବୁ ସ୍ଥାନରେ ଭ୍ରଷ୍ଟାଚାର ଢେର୍‌ ବଢିଛି । ମହାତ୍ମା ଗାନ୍ଧୀ ସତ୍ୟର ପ୍ରତୀକ ଥିଲେ ଏବଂ ତାଙ୍କର ଫଟୋ ୫୦୦ ଏବଂ ୨୦୦୦ ଟଙ୍କିଆ ନୋଟ୍‌ରେ ଛପାଯାଇଥିଲା । କିନ୍ତୁ ଦୁର୍ଭାଗ୍ୟ ଯେ, ବଡ ବଡ ନୋଟ୍‌ରେ ଗାନ୍ଧୀଗୀଙ୍କ ଫଟୋ ରହୁଛି ଯେଉଁଗୁଡିକୁ ଭ୍ରଷ୍ଟାଚାର ଏବଂ ଦୁର୍ନୀତିରେ ବ୍ୟବହାର କରାଯାଉଛି । ସେଥିପାଇଁ ୫ ଶହ ଏବଂ ୨ ହଜାର ଟଙ୍କିଆ ନୋଟ୍‌ରୁ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ବାଦ୍‌ ଦିଆଯାଉ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.