STA କ୍ରିପ୍ଟୋ କରେନ୍ସି ଠକେଇ : ସରିଲା ୨ ଅଭିଯୁକ୍ତଙ୍କ ରିମାଣ୍ଡ, ଇଓଡବ୍ଲୁ ପାଇଛି ଅନେକ ତଥ୍ୟ
10/08/2023 at 12:55 PM

ଭୁବନେଶ୍ବର ୧୦।୮: କ୍ରିପ୍ଟୋ କରେନ୍ସି ଠକେଇ ମାମଲାରେ ଗିରଫ ଦୁଇ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ଶେଷ ହୋଇଛି । କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ୩ ଦିନିଆ ରିମାଣ୍ଡରେ ନେଇ ଅନେକ ତଥ୍ୟ ହାସଲ କରିଛି । ଦୁଇ ଅଭିଯୁକ୍ତ ଗୁରୁତେଜ ସିଂ ସିଦ୍ଧୁ ଏବଂ ନିରୋଦ ଦାସଙ୍କ ରିମାଣ୍ଡ ଶେଷ ହୋଇଛି । ଗୁରୁତେଜ ଏବଂ ନୀରଦଙ୍କର ବିଦେଶରେ ଥିଲା ନେଟୱାର୍କ । ଭବିଷ୍ୟତରେ ଏମାନେ ହଙ୍ଗେରି, କାଲିଫର୍ଣ୍ଣିଆ, ଦୁବାଇ, ନେପାଳରେ କ୍ରିପ୍ଟୋ କରେନ୍ସିର ସାମ୍ରାଜ୍ୟ ବୃଦ୍ଧି କରିବାର ଯୋଜନା କରିଥିଲେ ।
ନିରୋଦ ଦାସଙ୍କ ଆକାଉଣ୍ଟରେ ବର୍ତ୍ତମାନ ୧ କୋଟି ଟଙ୍କା ଥିବାବେଳେ ବିଭିନ୍ନ ଲୋକଙ୍କଠାରୁ ୨୯ କୋଟି ଟଙ୍କାର ଡିପୋଜିଟ୍ ପାଇଥିବା ସୂଚନା ମିଳିଛି । ତେବେ ଉକ୍ତ ୩୦ କୋଟି ଟଙ୍କା କେଉଁଥିରେ ବିନିଯୋଗ ହୋଇଛି ସେ ସମ୍ପର୍କରେ ଇଓଡବ୍ଲୁକୁ କୌଣସି ସୂଚନା ମିଳିନାହିଁ । ରିମାଣ୍ଡ ସରିବା ପରେ ଗୁରୁବାର ଦୁଇ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ।
ସୂଚନାଯୋଗ୍ୟ ଯେ, ଏସ୍ଟିଏ କ୍ରିପ୍ଟୋ କରେନ୍ସିର ଭାରତ ମୁଖ୍ୟ ପଞ୍ଜାବରୁ ଗିରଫ ହୋଇଥିବା ବେଳେ ଓଡିଶା ମୁଖ୍ୟ ଭଦ୍ରକରୁ ଗିରଫ ହୋଇଛନ୍ତି । ପଞ୍ଜାବରୁ ଗୁରୁତେଜ ସିଂ ଓ ଭଦ୍ରକରୁ ନିରୋଦ ଦାସଙ୍କୁ ଇଓଡବ୍ଲୁ ଗିରଫ କରିଥିଲା । ଗୁରୁତେଜ ସିଂଙ୍କୁ ସ୍ଥାନୀୟ କୋର୍ଟରେ ହାଜର କରାଯାଇଥିଲା । ଗୁରୁତେଜ ବାରମ୍ବାର ନିଜର ଲୋକେସନ୍ ପରିବର୍ତ୍ତନ କରୁଥିଲା । ଗୋଆ, ଲୁନାବଲା, ମୁମ୍ଵାଇ, ଦିଲ୍ଲୀ, ଫରିଦକୋଟ, ଭଟିଣ୍ଡା, ହନୁମାନଗଡ଼ ଏବଂ ଶ୍ରୀ ଗଙ୍ଗନଗର ଭଳି ସ୍ଥାନରେ ସେ ବାରମ୍ବାର ଲୋକେସନ ପରିବର୍ତ୍ତନ କରୁଥିଲା । ପଞ୍ଜାବ, ରାଜସ୍ଥାନ, ବିହାର, ଝାଡଖଣ୍ଡ, ହରିୟାଣା, ଦିଲ୍ଲୀ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା ଏବଂ ଆସାମର ବହୁ ଲୋକ ଏହି ସ୍କାମର ଶିକାର ହୋଇଛନ୍ତି । ଓଡ଼ିଶାର ଭଦ୍ରକ, ବାଲେଶ୍ଵର, ଭୁବନେଶ୍ଵର, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କେନ୍ଦୁଝର ଜିଲ୍ଲାରେ ଏହି ସ୍କାମ୍ ବହୁଳ ଭାବରେ ଚାଲିଥିଲା ।
ସେପ୍ଟେମ୍ବର ୨୦୨୧ରେ STA କ୍ରିପ୍ଟୋ କରେନ୍ସି ଆରମ୍ଭ କରାଯାଇଥିଲା । କ୍ରିପ୍ଟୋ ଟୋକେନ୍ ନାମରେ STA ଏକ ବଡ଼ ପୁଞ୍ଜି ସ୍କାମ ଚଳାଇଥିଲା । ଯୁବ ହଙ୍ଗେରୀ ନାଗରିକ ଡେଭିଡ ଗିସ୍ ଙ୍କ ଦ୍ୱାରା STA ପରିଚାଳିତ । ଅନେକ ଥର ସେ ଭାରତ ଗସ୍ତରେ ଆସିଛନ୍ତି । ଏହାର ପ୍ରସାର ପାଇଁ STA ବିଭିନ୍ନ ସ୍ଥାନରେ ଅନେକ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମ ଆୟୋଜନ କରୁଥିଲା । ସଦସ୍ୟମାନଙ୍କୁ ପ୍ରତିଦିନ ୨୦ ଡଲାରରୁ ୩ ହଜାର ଡଲାର ପ୍ରତିଦିନ ରୋଜଗାର କରିବାକୁ ଲୋଭ ଦେଖାଉଥିଲା । ଓଡ଼ିଶାର ପ୍ରାୟ ୧୦ ହଜାର ଲୋକ ଏହି ଯୋଜନାର ସଦସ୍ୟ ହୋଇସାରିଛନ୍ତି । ଏହି ସ୍କାମରେ ୨ ଲକ୍ଷରୁ ଅଧିକ ସଦସ୍ୟ ଅଛନ୍ତି ।
You Can Read :