ଧର୍ମାନ୍ତରୀକରଣ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ, ରାଜନୈତିକ ରଙ୍ଗ ଦିଅ ନାହିଁ; ସୁପ୍ରିମକୋର୍ଟଙ୍କ କଡ଼ା ଟିପ୍ପଣୀ

Published By : Prameya-News7 Bureau | January 09, 2023 IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ସୋମବାର ଧର୍ମାନ୍ତରୀକରଣ ମାମଲାରେ ଶୁଣାଣି ହୋଇଛି । ଏହି ସମୟରେ କୋର୍ଟ ଧର୍ମାନ୍ତରୀକରଣଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କହିବା ସହ ଏହାକୁ ରାଜନୈକିକ ରଙ୍ଗ ନ ଦିଆଯିବା ଦରକାର ବୋଲି କହିଛନ୍ତି । ଜାଲିଆତି କରି ହେଉଥିବା ଧର୍ମାନ୍ତରୀକରଣକୁ ରୋକିବା ପାଇଁ କେନ୍ଦ୍ର ଏବଂ ରାଜ୍ୟକୁ ନିର୍ଦ୍ଦେଶ ଦେବା ଲାଗି ସୁପ୍ରିମକୋର୍ଟରେ ଏକ ଯାଚିକା ଦାଖଲ ହୋଇଥିଲା । ଜଷ୍ଟିସ୍ ଏମ.ଆର ଶାହ ଏବଂ ଜଷ୍ଟିସ୍ ସିଟି ରବିକୁମାରଙ୍କ ଖଣ୍ଡପୀଠ ଆଟର୍ଣ୍ଣି ଜେନେରାଲ ଆର.ଭେଙ୍କଟରମଣୀଙ୍କୁ ଏହି ମାମଲାରେ ଉପସ୍ଥିତ ହେବା ପାଇଁ କହିଛନ୍ତି ।  

ଖଣ୍ଡପୀଠ କହିଛନ୍ତି, 'ଆଟର୍ଣ୍ଣି ଜେନେରାଲ, ଆମେ ଆପଣଙ୍କ ସହାୟତା ଚାହୁଁଛୁ । ଯଦି ଜୋର ଜବରଦସ୍ତି କିମ୍ୱା ପ୍ରଲୋଭନ ଦେଖାଇ ଧର୍ମାନ୍ତରୀକରଣ ହେଉଛି, ତେବେ ଏହାକୁ ବନ୍ଦ କରାଯିବା ଦରକାର । ଆମେ ଜାଣିବାକୁ ଚାହୁଁଛୁ ଯଦି ଏପରି ହେଉଛି ତେବେ ଏହାକୁ ରୋକିବା ଉପାୟ କଣ ? ଏପରି ସ୍ଥିତିରେ କେଉଁ ପଦକ୍ଷେପ ନେବା ଠିକ୍ ରହିବ ?' ଆଜିର ଶୁଣାଣି ସମୟରେ ତାମିଲନାଡୁ ପକ୍ଷରୁ ବରିଷ୍ଠ ସାମ୍ୱାଦିକ ୱିଲସନ ଯୁକ୍ତି ରଖିଥିଲେ । ସେ ଅଭିଯୋଗ କରିଥିଲେ ଯେ ଏହି ଯାଚିକା ରାଜନୈକିର ହିତକୁ ନଜରରେ ରଖି ଦାୟର କରାଯାଇଛି । ସେ ଜୋର ଦେଇ କହିଛନ୍ତି ଯେ ତାଙ୍କ ରାଜ୍ୟରେ ଏହିପରି ଧର୍ମାନ୍ତରୀକରଣର କୌଣସି ପ୍ରଶ୍ନ ଉଠୁ ନାହିଁ । ତେବେ ଖଣ୍ଡପୀଠ ଏହି ଟିପ୍ପଣୀର କଡା ବିରୋଧ କରିଥିଲେ ।

ବରିଷ୍ଠ ଆଇନଜୀବୀଙ୍କ ଯୁକ୍ତି ଉପରେ କୋର୍ଟ କହିଥିଲେ,'ଆପଣଙ୍କ ଏପରି କଥାର ଭିନ୍ନ କାରଣ ଥାଇପାରେ । କୋର୍ଟଙ୍କ କାର୍ଯ୍ୟକୁ ଅନ୍ୟ ପ୍ରସଙ୍ଗରେ ଝୁଲାଇ ରଖ ନାହିଁ । ଆମ ପୂରା ଦେଶକୁ ନେଇ ଚିନ୍ତାରେ ଅଛୁ । ଯଦି ଆପଣଙ୍କ ରାଜ୍ୟରେ ଏପରି ଘଟୁଛି ତେବେ ଖରାପ ଘଟୁଛି । ଯଦି ହେଉ ନାହିଁ ତେବେ ଭଲ କଥା । ଏହାକୁ କୌଣସି ରାଜ୍ୟକୁ ଟାର୍ଗେଟ କରିବା ରୂପେ ଦେଖନ୍ତୁ ନାହିଁ । ଏହାକୁ ପଲିଟିକାଲ କର ନାହିଁ'।

ଏହା ପୂର୍ବରୁ ସୁପ୍ରିମକୋର୍ଟ ଧର୍ମାନ୍ତରୀକରଣ ଉପରେ ଶୁଣାଣି କରି ଏହା ଗୁରୁତର ବିଷୟ ବୋଲି କହିଥିଲେ । ଖଣ୍ଡପୀଠ କହିଥିଲେ, 'କେନ୍ଦ୍ର ପକ୍ଷରୁ ଜବରଦସ୍ତି ଧର୍ମାନ୍ତରୀକରଣକୁ ରୋକିବା ପାଇଁ ପଦକ୍ଷେପ ନିଆଯିବା ଦରକାର । ଯଦି ଏପରି ନୁହେଁ ତେବେ ଜଟିଳ ପରିସ୍ଥିତି ସୃଷ୍ଟି ହେବ। କେଉଁ କାର୍ଯ୍ୟାନୁଷ୍ଠାନର ପ୍ରସ୍ତାବ ରଖିଛନ୍ତି...ଆପଣଙ୍କୁ ହସ୍ତକ୍ଷେପ କରିବାକୁ ପଡିବ । ଏହା ରାଷ୍ଟ୍ରର ସୁରକ୍ଷା ଏବଂ ଧାର୍ମିକ ସ୍ୱାଧୀନତାକୁ ପ୍ରଭାବିତ କରୁଛି'।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.