ରିଲାଏନ୍ସ ସବସିଡାରୀ କମ୍ପାନୀରେ ହୋଇଛି କର୍ମଚାରୀ ଛଟେଇ, ଆହୁରି ଅନେକଙ୍କ ମୁଣ୍ଡରେ ଝୁଲୁଛି ଖଣ୍ଡା
23/05/2023 at 6:06 PM

ମୁମ୍ବାଇ ୨୩।୫: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡଙ୍କ ସବସିଡାରୀ କମ୍ପାନୀ ରିଲାଏନ୍ସ ଜିଓମାର୍ଟ ପାଖାପାଖି ୧ ହଜାର କର୍ମଚାରୀଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ତେବେ କମ୍ପାନୀର ଛଟେଇ ଏତିକିରେ ସମାପ୍ତ ହୋଇନି। ଆଗକୁ ଆହୁରି କର୍ମଚାରୀ ଛଟେଇ ହେବାକୁ ଥିବା ବେଳେ ଶହଶହ କର୍ମଚାରୀଙ୍କ ମୁଣ୍ଡରେ ଏବେ ଛଟେଇର ଖଣ୍ଡ ଝୁଲୁଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ଛଟେଇ ଏପରି ଏକ ସମୟରେ ହୋଇଛି ଯେତେବେଳେ ରିଲାଏନ୍ସ ରିଟେଲ ମେଟ୍ରୋ କ୍ୟାସ୍ ଏଣ୍ଡ କ୍ୟାରିକୁ ଅଧିଗ୍ରହଣ କରିଛି।

ଗତବର୍ଷରୁ ଲାଗି ରହିଥିବା ଟ୍ରେଡ ୱାରରେ ରିଲାଏନ୍ସ ଜିଓ ମାର୍ଟ ଏବେ ଅଧିକରୁ ଅଧିକ ଲାଭ ଅର୍ଜନ ଉପରେ ଫୋକସ କରୁଛି। ଏଥିରେ ‘ଇଟି’ଙ୍କ ରିପୋର୍ଟ ଅନୁସାରେ ଆଗାମୀ କିଛି ସପ୍ତାହରେ ଜିଓମାର୍ଟର ହୋଲସେଲ ଡିଭିଜନର ୧୫ ହଜାର କର୍ମଚାରୀଙ୍କ ମଧ୍ୟରୁ ୨ ତୃତୀୟାଂଶ କର୍ମଚାରୀଙ୍କୁ ଛଟେଇ କରାଯାଇପାରେ। ଏଥିରେ କିଛି କର୍ମଚାରୀଙ୍କୁ ପରଫରମାନ୍ସ ଇମ୍ପ୍ରୁଭମେଣ୍ଟ ପ୍ରୋସେସ୍ରେ ପକାଇ ଦିଆଯାଇଛି। ରିପୋର୍ଟ ଅନୁସାରେ ଯେଉଁ କର୍ମଚାରୀଙ୍କୁ ଛଟେଇ କରାଯାଇଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ସେଲସ୍ ଟିମ୍ରେ ଥିଲେ। ତେବେ ଏହି ପୁରା ପ୍ରକରଣରେ ଏପର୍ଯ୍ୟନ୍ତ ଅଧିକାରୀକ ସୂଚନା ସାମ୍ନାକୁ ଆସି ନାହିଁ।

ରିଲାଏନ୍ସ ରିଟେଲ ମେଟ୍ରୋ କ୍ୟାସ୍ ଏଣ୍ଡ କ୍ୟାରି ଇଣ୍ଡିଆ ବିଜନେସ୍ କୁ ୨,୮୫୦ କୋଟି ଟଙ୍କାରେ କିଣି ନେଇଛି। କମ୍ପାନୀକୁ ଏହାର କ୍ଲିୟରାନ୍ସ ମଧ୍ୟ ମିଳିଯାଇଛି। ଭାରତରେ ଏହି କମ୍ପାନୀର ପହଞ୍ଚ ପାଖାପାଖି ୩୦ ଲକ୍ଷ ଗ୍ରାହକଙ୍କ ପର୍ଯ୍ୟନ୍ତ ଥିଲା। ମେଟ୍ରୋର ୩ହଜାର ୫୦୦ କର୍ମଚାରୀ ଅଛନ୍ତି। ତେବେ ରିଲାଏନ୍ସ ଜିଓ ମାର୍ଟ ଗୋଟିଏ ପଦବୀରେ ଏକାଧିକ କର୍ମଚାରୀଙ୍କୁ ରଖିବାକୁ ଚାହୁଁ ନାହିଁ। ଏଣୁ କମ୍ପାନୀ ଏବେ ଛଟେଇ ପ୍ରକ୍ରିୟା ଅବଲମ୍ବନ କରୁଛି।