ଆମେରିକୀୟ ଫ୍ୟାସନ ବ୍ରାଣ୍ଡ GAPକୁ ଭାରତ ଆଣିବ ରିଲାଏନ୍ସ ରିଟେଲ, ବୁଝାମଣା ସ୍ୱାକ୍ଷରିତ
6/07/2022 at 7:58 PM

ମୁମ୍ବାଇ ୬।୭: ରିଲାଏନ୍ସ ନିଜର ବଜାର ଭାଗିଦାରୀ ବଢେଇବା ଲାଗି ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। କମ୍ପାନୀ ପ୍ରତିଷ୍ଠିତ ଆମେରିକୀୟ ଫ୍ୟାସନ ବ୍ରାଣ୍ଡ ‘ଗ୍ୟାପ’ ଷ୍ଟୋର ଭାରତରେ ଖୋଲିବା ଲାଗି ଦୀର୍ଘ ଅବଧି ଫ୍ରାଞ୍ଚାଇଜି ବୁଝାମଣା କରିଛି। ଏହି ବୁଝାମଣା ଅନୁସାରେ ରିଲାଏନ୍ସ ରିଟେଲ ଭାରତର ସବୁ ଚାନେଲରେ ‘ଗ୍ୟାପ୍’ ଲାଗି ଅଧିକାରୀକ ରିଟେଲର ହୋଇଛି। ରିଲାଏନ୍ସ ରିଟେଲ ମଲ୍ଟି ବ୍ରାଣ୍ଡ ଷ୍ଟୋର ଓ ଡିଜିଟାଲ କମର୍ସ ପ୍ଲାଟଫର୍ମ ମାଧ୍ୟମରେ ଭାରତୀୟ ଉପଭୋକ୍ତାଙ୍କ ନିମନ୍ତେ ନବୀନତମ ଫ୍ୟାସନ ଉପସ୍ଥାପନ କରିବେ।

ଏହି ବୁଝାମଣା ନେଇ ରିଲାଏନ୍ସ ରିଟେଲ ଲିମିଟେଡଙ୍କ ଫ୍ୟାସନ ଓ ଲାଇଫଷ୍ଟାଇଲ ସିଇଓ ଅଖିଳେଶ ପ୍ରସାଦ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି ଯେ ଫ୍ୟାସନ ଓ ଲାଇଫଷ୍ଟାଇଲ ପୋର୍ଟଫୋଲିଓରେ ପ୍ରତିଷ୍ଠିତ ଆମେରିକୀୟ ବ୍ରାଣ୍ଡ ‘ଗ୍ୟାପ’ ଯୋଡି ହୋଇଥିବାର ଖୁସିର ସହ ଘୋଷଣା କରୁଛୁ। ସେହିପରି ଗ୍ୟାପ୍ଙ୍କ ପରିଚାଳନା ନିର୍ଦ୍ଦେଶକ ଏଡ୍ରିଏନ ଗେରନାଣ୍ଡ ଭାରତ ଭଳି ଏକ ପ୍ରମୁଖ ଅନ୍ତର୍ଜାତୀୟ ବଜାରରେ ଗ୍ୟାପ ବ୍ୟବସାୟ ବୃଦ୍ଧି ଲାଗି ଆମେ ଉତ୍ସାହିତ ବୋଲି କହିଛନ୍ତି।

ରିଲାଏନ୍ସ ରିଟେଲ ଭଳି ବିଶେଷଜ୍ଞ ସହିତ ଭାଗିଦାରୀ କରି ଆମକୁ ଆମର ବ୍ରାଣ୍ଡର ସାରା ବିଶ୍ୱର ଉପଭୋକ୍ତାଙ୍କ ନିକଟରେ ପହଞ୍ଚାଇବାକୁ ସହଯୋଗ ମିଳିବ ବୋଲି ଗେରନାଣ୍ଡ କହିଛନ୍ତି। ଗ୍ୟାପ୍ର ସ୍ଥାପନା ୧୯୬୯ରେ ଆମେରିକାର ସାନଫ୍ରାନସିସ୍କୋ ସହରରେ ହୋଇଥିଲା। ଗ୍ୟାପ୍ ଏକ ଲାଇଫଷ୍ଟାଇଲ ବ୍ରାଣ୍ଡ ହୋଇଥିବା ବେଳେ ଅଡଲ୍ଟ ଏପେରଲ ଓ ଏସୋସରି, ଗ୍ୟାପ୍ ଟିନ, ଗ୍ୟାପ୍ କିଡସ୍ , ବେବିଗ୍ୟାପ୍, ଗ୍ୟାପ ମେଟର୍ଣ୍ଣିଟି, ଗ୍ୟାପ୍ ବଡି, ଗ୍ୟାପ୍ ଫିଟ୍, ଇଜି ଗ୍ୟାପ ଓ ଗ୍ୟାପ ହୋମ କଲେକ୍ସନ ଆଦି ରହିଛି।