୧୯୬୩ର ଲୋକପ୍ରିୟ ଫ୍ରିଜ୍‌ ବ୍ରାଣ୍ଡ୍‌ କିଣିଲା ରିଲାଏନ୍ସ ରିଟେଲ୍: ଇଶା ଅମ୍ବାନୀ କହିଲେ, ପୁଣିଥରେ କେଲଭିନେଟରକୁ ଲୋକପ୍ରିୟ କରାଇବୁ

Published By : Prameya-News7 Bureau | July 19, 2025 IST

internet

ନୂଆଦିଲ୍ଲୀ: ଲୋକପ୍ରିୟ ଫ୍ରିଜ୍‌ ବ୍ରାଣ୍ଡ୍ କେଲଭିନେଟକୁ କିଣିବ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ ଲିମିଟେଡ୍‌ର ରିଲାଏନ୍ସ ରିଟେଲ। ଏନେଇ ଶୁକ୍ରବାର କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି।  ଭାରତର ଦ୍ରୁତ-ବର୍ଦ୍ଧିଷ୍ଣୁ କଞ୍ଜ୍ୟୁମର ଡ୍ୟୁରେବଲ ମାର୍କେଟ୍‌ରେ ନିଜର ସ୍ଥିତି ମଜଭୁତ କରିବାକୁ ଏହା ରିଲାଏନ୍ସର ଏକ ଷ୍ଟ୍ରାଟେଜୀ ବୋଲି କୁହାଯାଉଛି। ତଥାପି, ରିଲାଏନ୍ସ ରିଟେଲ୍ ଏବଂ କେଲଭିନେଟର ମଧ୍ୟରେ ହୋଇଥିବା ଏହି ଚୁକ୍ତି କେତେ ଟଙ୍କାର ହୋଇଛି ସେ ନେଇ ଏପର୍ଯ୍ୟନ୍ତ କୌଣସି ତଥ୍ୟ ସାମ୍ନାକୁ ଆସି ନାହିଁ। 

କେଲଭିନେଟର ଭାରତରେ ଏହାର ନିର୍ଭରଯୋଗ୍ୟ ରେଫ୍ରିଜରେଟର ଏବଂ 'ଦି କୁଲେଷ୍ଟ ୱାନ୍' ଭଳି ସ୍ମରଣୀୟ ଟ୍ୟାଗଲାଇନ୍ ପାଇଁ ବେଶ୍ ଜଣାଶୁଣା। ୧୯୬୩ରେ ଏହା ଭାରତୀୟ ମାର୍କେଟ୍‌ରେ ପ୍ରବେଶ କରିଥିଲା। ଏବେ ଏହା ରିଲାଏନ୍ସର ବର୍ଦ୍ଧିତ ପୋର୍ଟଫୋଲିଓର ଏକ ଅଂଶ ହେବ। ଏହି ଡିଲ୍‌କୁ ନେଇ ରିଲାଏନ୍ସ କହିଛି ଭାରତୀୟଙ୍କ ଘରେ ବିଶ୍ୱସ୍ତରୀୟ ଉଚ୍ଚମାନର ଡିଭାଇସ୍ ପହଞ୍ଚାଇବା ଉଦ୍ଦେଶ୍ୟରେ ଏହି କମ୍ପାନୀ କିଣାଯାଇଛି। 

ଏନେଇ ରିଲାଏନ୍ସ ରିଟେଲ୍ ଭେଞ୍ଚର୍ସ ଲିମିଟେଡର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଇଶା ଅମ୍ବାନୀ କହିଛନ୍ତି "ଭାରତୀୟ ଗ୍ରାହକଙ୍କ ପାଇଁ ବିଶ୍ୱାସଯୋଗ୍ୟ ଗ୍ଲୋବାଲ ଇନୋଭେସନ ଆଣିବା ପାଇଁ ଆମର ଯେଉଁ ମିଶନ ରହିଛି, ଏହି ଅଧିଗ୍ରହଣ ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।" ସେ କହିଛନ୍ତି ଯେ ରିଲାଏନ୍ସର ବଡ଼ ପହଞ୍ଚ ଏବଂ ରିଟେଲ ନେଟୱାର୍କ କେଲଭିନେଟରକୁ ପୁଣି ଥରେ ଲୋକପ୍ରିୟ କରିବାରେ ସାହାଯ୍ୟ କରିବ।

କେଲଭିନେଟର ୧୯୬୩ ମସିହାରେ ଭାରତୀୟ ବଜାରରେ ପ୍ରବେଶ କରିଥିଲା। ୧୯୭୦-୮୦ ଦଶକରେ ଗୋଦରେଜ ଏବଂ ଆଲୱିନ ସହିତ ମିଶି ଭାରତୀୟ ବଜାରରେ ରାଜ୍ କରିଥିଲା। ଏହାର ସ୍ଥାୟୀତ୍ୱ, ସୁଲଭ ମୂଲ୍ୟ ଏବଂ ଏକ ସର୍ବଭାରତୀୟ ଡିଷ୍ଟ୍ରବ୍ୟୁସନ ନେଟୱାର୍କ ଯୋଗୁ ଏହି ବ୍ରାଣ୍ଡ୍ ଘରେ ଘରେ ଲୋକପ୍ରିୟ ନାଁ ଥିଲା।

ତେବେ ୧୯୯୦ ଦଶକରେ ଉଦାରୀକରଣ ପରେ, ଏଲ୍‌ଜି ଏବଂ ସାମସଙ୍ଗ ଭଳି ବିଶ୍ୱବ୍ୟାପୀ ବ୍ରାଣ୍ଡ୍‌ର ପ୍ରତିଯୋଗିତା ଯୋଗୁ କାଲଭିନେଟର ତା’ର ଚମକ ହରାଇଲା। ଇଲେକ୍ଟ୍ରୋଲକ୍ସରୁ ହ୍ୱିର୍ଲପୁଲକୁ ମାଲିକାନା ପରିବର୍ତ୍ତନ ଏବଂ ନିବେଶର ଅଭାବ ବ୍ରାଣ୍ଡର ଉପସ୍ଥିତିକୁ ଆହୁରି କ୍ଷତି ପହଞ୍ଚାଇଲା। ହେଲେ ରିଲାଏନ୍ସ ଏହି ବ୍ରାଣ୍ଡକୁ ପୁଣିଥରେ ଗ୍ରାହକଙ୍କ ପାଖକୁ ନେଇ ଆସିବ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.