ଫ୍ୟୁଚର୍ ଗ୍ରୁପ୍‌ର ୩୦ ହଜାର କର୍ମଚାରୀ ଆଶ୍ୱସ୍ତ, ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ

Published By : Prameya-News7 Bureau | March 03, 2022 IST

ଭୁବନେଶ୍ୱର,୦୩/୦୩: ଫ୍ୟୁଚର ଗ୍ରୁପର କର୍ମଚାରୀଙ୍କୁ ବଡ ଆଶ୍ୱସ୍ତି । ନିଯୁକ୍ତି ପ୍ରଦାନ କରିବ ରିଲାଏନ୍ସ । ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଥିବା ଫ୍ୟୁଚର ରିଟେଲ ପକ୍ଷରୁ ଷ୍ଟୋର ଲିଜ୍‌ ଦେୟ ପ୍ରଦାନ କରି ନ ଥିବା ଶତାଧିକ ଷ୍ଟୋରକୁ ରିଲାଏନ୍ସ ନିଜ ନିୟନ୍ତ୍ରଣକୁ ନେଇଛି । ଏହି ଷ୍ଟୋରଗୁଡିକ ସହ ସାମିଲ ଥିବା ବ୍ୟବସାୟ ସହଯୋଗୀ, ଗୃହ କୋଠା ମାଲିକ, ସାମଗ୍ରୀ ଓ ସେବା ଯୋଗାଣକାରୀ ଏବଂ କର୍ମଚାରୀମାନେ ଆଶ୍ୱସ୍ତ ହୋଇଛନ୍ତି ।

ଫ୍ୟୁଚର ରିଟେଲ ଷ୍ଟୋର ଏବଂ ଅନଲାଇନ କାରବାର ସଙ୍କୁଚିତ ହେବା ପରେ ସେଠାରେ କାମ କରୁଥିବା ପ୍ରାୟ ୩୦ ହଜାର କର୍ମଚାରୀଙ୍କ ଚାକିରି ପ୍ରତି ସଙ୍କଟ ସୃଷ୍ଟି ହୋଇଥିଲା । ଯେଉଁ ଷ୍ଟୋରଗୁଡିକରେ ରିଲାଏନ୍ସ ଏହାର ବ୍ରାଣ୍ଡିଂ ଆରମ୍ଭ କରିଛି ଫ୍ୟୁଚର ଗ୍ରୁପ ସେଗୁଡିକୁ ଚଳାଇବ ନାହିଁ । ସେହି ଷ୍ଟୋରଗୁଡିକର ଲିଜ୍‌ ରିଲାଏନ୍ସ ନାମରେ ରହିଛି ।

ରିଲାଏନ୍ସର ଏଭଳି ପଦକ୍ଷେପ ଦ୍ୱାରା ବ୍ୟବସାୟ ସହଯୋଗୀ ଏବଂ ସାମଗ୍ରୀ ଓ ସେବା ଯୋଗାଣକାରୀମାନେ ଆଶ୍ୱସ୍ତି ଲାଭ କରିଛନ୍ତି । କାରଣ ସେମାନଙ୍କ ଯେଉଁ ବକେୟା ରହିଥିଲା ତାହା ମିଳିବାର ଆଶା ସଂଚାର ହୋଇଛି । ଫ୍ୟୁଚର ଗ୍ରୁପ ନିୟମିତ ଭଡ଼ା ଦେବାକୁ ଅକ୍ଷମ ହେବା ଯୋଗୁ ଷ୍ଟୋର ରହିଥିବା କୋଠାର ମାଲିକମାନେ ରିଲାଏନ୍ସକୁ ଲିଜ ସୂତ୍ରରେ ସେହି ସ୍ଥାନ ଦେଇଥିଲେ । ରିଲାଏନ୍ସ ସେମାନଙ୍କ ସବୁ ବକେୟା ପ୍ରଦାନ କରିବା ସହ ନିୟମିତ ଭଡ଼ା ଦେଉଛି ।

ଉଲ୍ଲେଖଯୋଗ୍ୟ, ରବିବାରଠାରୁ ଫ୍ୟୁଚର ରିଟେଲର ଅଧିକାଂଶ ଷ୍ଟୋର ବନ୍ଦ ରହିଛି । ଅନ୍‌ଲାଇନରେ ମଧ୍ୟ ଅର୍ଡର ଦେଇ ହେଉନାହିଁ । ବନ୍ଦ ଥିବା ଷ୍ଟୋରଗୁଡିକ ଆଗକୁ ରିଲାଏନ୍ସ ଦ୍ୱାରା ପରିଚାଳିତ ହେବ । ଓଡ଼ିଶାରେ ଏଭଳି ପ୍ରାୟ ୧୦ ଷ୍ଟୋର ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.