ରିଲାଏନ୍ସ ଲଞ୍ଚ କଲେ ‘କାମ୍ପାକୋଲା’, ପେପ୍ସି ଓ କୋକାକୋଲା ସହ ହେବ ବଜାରରେ ମୁକାବିଲା

Published By : Prameya-News7 Bureau | March 10, 2023 IST

ନୂଆଦିଲ୍ଲୀ ୧୦।୩: ଦେଶରେ ୭୦ ଦଶକରେ ସବୁଠୁ ବଡ କୋଲା ବ୍ରାଣ୍ଡ ପାଲଟିଥିବା ‘କାମ୍ପାକୋଲା’ ପୁଣି ବଜାରକୁ ଲେଉଟିଛି। ଏହି ଦେଶୀ ବ୍ରାଣ୍ଡକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ କ୍ରୟ କରି ଏହାକୁ ୩ଟି ଫ୍ଲେଭରରେ ଲଞ୍ଚ କରିଛନ୍ତି। ବଜାରର ଏହି ସେକ୍ଟରରେ ପୂର୍ବରୁ ମହଜୂଦ ପେପ୍ସି, କୋକାକୋଲା ଓ ସ୍ପ୍ରାଇଟ୍ ସମେତ ଅନ୍ୟ ସଫ୍ଟ ଡ୍ରିଙ୍କ ସହ କାମ୍ପାକୋଲାର ଟକ୍କର ହୋଇପାରେ। ତେବେ ରିଲାଏନ୍ସ ହାତକୁ ଆସିବା ପରେ କାମ୍ପାକୋଲା ବଜାରରେ ପୁଣି ନିଜର ଦବାଦବା କାୟମ କରିବାକୁ ପଦକ୍ଷେପ ନେଇଛି।

ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୨୦୨୨ରେ ରିଲାଏନ୍ସ କାମ୍ପାକୋଲାର ଅଧିଗ୍ରହଣ ଘୋଷଣା କରିଥିଲା। ଏବେ ଏହାର ଟେକଓଭର ପୁରା ହେବା ପରେ କାମ୍ପାକୋଲା ବଜାରକୁ ଫେରିଛି। ଦିଲ୍ଲୀସ୍ଥିତ ‘ପ୍ୟୋର ଡ୍ରିଙ୍କ’ ଗ୍ରୁପ ସହ ରିଲାଏନ୍ସ ଏହି ବ୍ରାଣ୍ଡର ଡିଲ କରିଛି। ରିଟେଲ କାରବାରକୁ ବିସ୍ତାର କରିବାକୁ ଯାଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୋଟିଏ ପରେ ଗୋଟିଏ ସେକ୍ଟରକୁ ଏଣ୍ଟ୍ରି କରୁଛନ୍ତି। ଏହି କ୍ରମରେ ସେ କାମ୍ପାକୋଲା ମାଧ୍ୟମରେ କୋଲ୍ଡ ଡ୍ରିଙ୍କସ୍ ବଜାରରେ ପାଦ ଥାପିଛନ୍ତି।

{"id":756261,"width":839,"height":1118,"sizeSlug":"full","linkDestination":"none"}

ମୁକେଶଏଥି ପାଇଁ ୭୦ ଦଶକରେ ଦଶର ଟପରେ ଥିବା କାମ୍ପାକୋଲା ବ୍ରାଣ୍ଡକୁ ଚୟନ କରିବା ସହିତ ପ୍ୟୋର ଡ୍ରିଙ୍କ ଗ୍ରୁପ ସାଙ୍ଗରେ ୨୨ କୋଟି ଟଙ୍କାର ଡିଲ କରି କାମ୍ପାକୋଲାକୁ ନିଜର କରିଛନ୍ତି। କାମ୍ପାକୋଲା ସ୍ପାର୍କଲିଂ ବିଭରେଜ କ୍ୟାଟଗରୀରେ ଭାରତର ନିଜର ବ୍ରାଣ୍ଡ। ପେୟ ପଦାର୍ଥ ନିର୍ମାତା ପ୍ୟୋର ଡ୍ରିଙ୍କସ୍ ଗ୍ରୁପ ୧୯୪୯ରୁ ୧୯୭୦ ଦଶକ ପର୍ଯ୍ୟନ୍ତ ଭାରତରେ କୋକାକୋଲାର ଏକମାତ୍ର ଡିଷ୍ଟ୍ରିବ୍ୟୁଟର ଥିଲେ। ପ୍ୟୋରଡ୍ରିଙ୍କସ୍ ନିଜର ବ୍ରାଣ୍ଡ କାମ୍ପାକୋଲା ଲଞ୍ଚ କରିବା ସହ ଦେଶରୁ କୋକାକୋଲା ଓ ପେପ୍ସି ବିଦାୟ ନେଇଥିଲେ। ଫଳରେ କାମ୍ପାକୋଲା ସେକ୍ଟରରେ ଟପ୍ ବ୍ରାଣ୍ଡ ପାଲଟିଯାଇଥିଲା।

କାମ୍ପାକୋଲାର ସେତେବେଳେ ସ୍ଲୋଗାନ ‘ଦି ଗ୍ରେଟ ଇଣ୍ଡିଆନ ଟେଷ୍ଟ’ ଦେଶରେ ବେଶ ଚର୍ଚ୍ଚିତ ଥିଲା। ରିଲାଏନ୍ସ ସହ ଡିଲ ହେବା ପରେ କାମ୍ପାକୋଲା ଗତବର୍ଷ ଦୀପାବଳି ଅବସରରେ ଲଞ୍ଚ ହେବାର ଥିଲା। ତେବେ ସେତେବେଳେ ଏହା ଲଞ୍ଚ ହୋଇପାରିନଥିଲା। ହେଲେ ହୋଲି ପରେ ପରେ କମ୍ପାନୀ ଅରେଞ୍ଜ, ଲେମନ ଓ କୋଲା ଫ୍ଲେବରରେ କାମ୍ପାକୋଲା ଉପସ୍ଥାପନ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.