ନୂଆଦିଲ୍ଲୀ: ଇଣ୍ଡିଆ ମୋବାଇଲ୍ କଂଗ୍ରେସ ୨୦୨୪ରେ ଦୁଇଟି ନୂତନ ୪ଜି ଫିଚର ଫୋନ୍ ଶୁଭାରମ୍ଭ କରିଛି ରିଲାଏନ୍ସ ଜିଓ । ଜିଓଭାରତ ଭି୩ ଏବଂ ଜିଓଭାରତ ଭି୪ ନାମରେ ଲଞ୍ଚ ହୋଇଥିବା ଏହି ଦୁଇ ୪ଜି ଫିଚର ଫୋନ୍ର ଦାମ୍ ୧୦୯୯ ଟଙ୍କା ରହିଛି। ଗତ ବର୍ଷ ଜିଓଭାରତ ଭି୨ ମଡେଲ୍ ଶୁଭାରମ୍ଭ କରାଯାଇଥିଲା। କମ୍ପାନୀ ଅନୁଯାୟୀ, ଲକ୍ଷ ଲକ୍ଷ ୨ଜି ଗ୍ରାହକ ଜିଓଭାରତ ଫିଚର ଫୋନ୍ ମାଧ୍ୟମରେ ୪ଜିକୁ ପରିବର୍ତ୍ତିତ ହୋଇସାରିଛନ୍ତି ।
ତେବେ ଆଗାମୀ ପିଢ଼ିର ଏହି ନୂଆ ଫିଚର ଫୋନ ଆଧୁନିକ ଡିଜାଇନ୍, ଶକ୍ତିଶାଳୀ ୧୦୦୦ ଏମଏଏଚ (mAh) ବ୍ୟାଟେରୀ, ୧୨୮ ଜିବି ପର୍ଯ୍ୟନ୍ତ ବିସ୍ତାରଯୋଗ୍ୟ ଷ୍ଟୋରେଜ୍ ଏବଂ ୨୩ଟି ଭାରତୀୟ ଭାଷାକୁ ସମର୍ଥନ କରୁଛି । ଜିଓଭାରତ ଫୋନରେ ମାସିକ ମାତ୍ର ୧୨୩ ଟଙ୍କାରେ ରିଚାର୍ଜ କରାଯାଇପାରିବ ଯେଉଁଥିରେ ଅସୀମିତ ଭଏସ୍ କଲ୍ ଏବଂ ଦୈନିକ ଅଧା ଜିବି ହିସାବରେ ମୋଟ ୧୪ ଜିବି ହାଇ-ସ୍ପିଡ଼ ଡାଟା ମଧ୍ୟ ଉପଲବ୍ଧ ହେବ।
ଉଭୟ ଭି୩ ଏବଂ ଭି୪ ମଡେଲ ଜିଓ-ଟିଭି, ଜିଓ-ସିନେମା, ଜିଓ-ପେ ଏବଂ ଜିଓ-ଚାଟ୍ ଭଳି ଉପଯୋଗୀ ପ୍ରି-ଲୋଡେଡ଼ ଆପ୍ ସହିତ ଆସିବ। ୪୫୫ ରୁ ଅଧିକ ଲାଇଭ ଟିଭି ଚ୍ୟାନେଲ ସହିତ ଚଳଚ୍ଚିତ୍ର, ଭିଡିଓ ଏବଂ କ୍ରୀଡା ବିଷୟବସ୍ତୁ ମଧ୍ୟ ମାତ୍ର ଗୋଟିଏ କ୍ଲିକରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ। ଅନ୍ୟପକ୍ଷରେ, ଜିଓ-ପେ ସହଜରେ ନିରବଛିନ୍ନ ଦେୟ ପ୍ରଦାନ ସୁବିଧା ପ୍ରଦାନ କରୁଥିବା ବେଳେ ଜିଓଚାଟ ଅସୀମିତ ଭଏସ୍ ମେସେଜିଂ, ଫଟୋ ସେୟାର ଏବଂ ଗ୍ରୁପ୍ ଚାଟ୍ ବିକଳ୍ପ ପ୍ରଦାନ କରିଥାଏ । ଜିଓଭାରତ ଭି୩ (JioBhaat V3) ଏବଂ ଜିଓଭାରତ ଭି୪ (JioBharat V4) ଖୁବ୍ ଶୀଘ୍ର ସମସ୍ତ ମୋବାଇଲ୍ ଷ୍ଟୋର୍ ସହିତ ଜିଓମାର୍ଟ ଏବଂ ଆମାଜନରେ ମଧ୍ୟ ଉପଲବ୍ଧ ହେବ।