ମୁକେଶ ଅମ୍ବାନୀଙ୍କୁ ବିଦେଶରୁ ମିଳିଲା ୧୬,୬୪୦ କୋଟିର ଋଣ, ଜାଣନ୍ତୁ କରିବେ କ’ଣ?
3/10/2023 at 6:07 PM

ମୁମ୍ବାଇ ୩।୧୦: ମୁକେଶ ଅମ୍ବାନୀଙ୍କ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓ ଇଂଫୋକମ ବିଦେଶୀ ବ୍ୟାଙ୍କରୁ ୨ ବିଲିୟନ ଡଲାର (୧୬,୬୪୦କୋଟି ଟଙ୍କା) ଋଣ ଆଣିଛି। ରିଲାଏନ୍ସକୁ ଏହି ଋଣ ଏଚଏସବିସି ଦେଛନ୍ତି। ଏହାକୁ ୨୦୨୪ ଆର୍ଥିକ ବର୍ଷରେ ଦେଶର ସବୁଠୁ ବଡ଼ ଅଫସୋର ଲୋନ ମଧ୍ୟରୁ ଗୋଟିଏ ମନେ କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ବିଦେଶରୁ ସଞ୍ଚାଳିତ ବ୍ୟାଙ୍କ ଦ୍ୱାରା ଦିଆଯାଉଥିବା ପାଣ୍ଠିକୁ ଅଫସୋର କ୍ୟାଟାଗରୀରେ ରଖାଯାଏ।
ଇକୋନମିକ ଟାଇମ୍ସଙ୍କ ରିପୋର୍ଟରେ ସୂତ୍ରରୁ କୁହାଯାଇଛି ଯେ ଏହି ପାଣ୍ଠି ନିମନ୍ତେ ରିଲାଏନ୍ସ ଓ ଏଚଏସବିସି ମଧ୍ୟରେ ଗତ କିଛି ମାସ ହେଲା ଆଲୋଚନା ଚାଲିଥିଲା। ଏହା ଏକ ଷ୍ଟ୍ରକ୍ଚର ଲୋନ, ଯେଉଁଥିରେ ଗ୍ରାହକଙ୍କୁ ଋଣ କାଳରେ ସୁବିଧା ପ୍ରଦାନ କରାଯାଇଥାଏ। ଉଲ୍ଲେଖଯୋଗ୍ୟ ଯେ ରିଲାଏନ୍ସ ଏହି ଋଣକୁ ଫିନଲ୍ୟାଣ୍ଡ କମ୍ପାନୀ ନୋକିଆଙ୍କଠାରୁ ୫ଜି ନେଟୱାର୍କ ଗିୟର କିଣିବାକୁ ଉପଯୋଗ କରିବେ। ତେବେ ଜିଓଙ୍କ ତରଫରୁ ଋଣ ନେଇ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ।

ନିକଟରେ ଜିଓ ବିଏନପି ପାରିବା ଦ୍ୱାରା ପାଖାପାଖି ୨ ବିଲିୟନ ଡଲାରର ଅଫସୋର ଲୋନର ବ୍ୟବସ୍ଥା କରିଥିଲେ। ଯାହାକୁ ସ୍ୱିଡେନର ଏରିକସନରୁ ୫ଜି ନେଟୱାର୍କ ଗିୟର କ୍ରୟ ନିମନ୍ତେ ବ୍ୟବହାର କରିଥିଲେ। ଏହା ବଦଳେ ସ୍ୱିଡିସ୍ ଏକ୍ସପର୍ଟ କ୍ରେଡିଟ୍ ଏଜେନ୍ସୀ ଇକେଏନ୍ ଜିଓ-ଏରିକସନ ୫ଜି ଡିଲ ନିମନ୍ତେ ୨.୨ ବିଲିୟନ ଡଲାରର କଭର ଦେଇଥିଲା। ଏଥିରେ ରିଲାଏନ୍ସ ଜିଓର କଥା କୁହାଗଲେ ଏହା ଏବେ ପାଖାପାଖି ୬.୨ ଲକ୍ଷ ଗାଁରେ ୱେରଲେସ୍ ବ୍ରାଡବ୍ୟାଣ୍ଡ ସେବା ଯୋଗାଇ ଦେଉଛି। ଯାହାକୁ ଡିସେମ୍ବର ୨୦୨୩ ସୁଧା ସେ ସାରା ଦେଶକୁ ସମ୍ପ୍ରସାରଣ କରିବାକୁ ଯୋଜନା ରଖିଛନ୍ତି।
ଏହା ପୂର୍ବରୁ ଜିଓ ୭,୭୬୪ ସହରାଞ୍ଚଳରେ ୫ଜି ସେବା ଆରମ୍ଭ କରିସାରିଛି ଓ ଏହାର ୬୨ ନିୟୁତରୁ ଅଧିକ ୫ଜି ଗ୍ରାହକ ଅଛନ୍ତି। ଗତମାସରେ କମ୍ପାନୀ ନିଜର ୫ଜି ଆଧାରିତ ଫିକ୍ସଡ ୱେରଲେସ ଆକ୍ସେସ (ଏଫଡବ୍ଲୁଏ) ସେବା ଜିଓ ଏୟାର ଫାଇବର ଲଞ୍ଚ କରିଛନ୍ତି, ଯାହା ନୋକିଆ ଓ ଏରିକସନ ଦ୍ୱାରା ଯୋଗାଇ ଦିଆଯାଇଥିବା ନେଟୱାର୍କ ଇନଫ୍ରାଷ୍ଟ୍ରକ୍ଚରର ମଧ୍ୟ ଉପଯୋଗ କରୁଛି।