ନୂଆଦିଲ୍ଲୀ: ମାର୍କେଟ୍ କ୍ୟାପ୍ ଦୃଷ୍ଟିରୁ ଦେଶର ସବୁଠୁ ମୂଲ୍ୟବାନ କମ୍ପାନି ରିଲାଏନ୍ସ ନିବେଶକଙ୍କୁ ଗୁରୁବାର ବଡ଼ ଉପହାର ଦେଇଛି । ମୁକେଶ ଅମ୍ୱାନୀଙ୍କ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ୍ର ବୋର୍ଡ ବୈଠକରେ ବୋନସ୍ ସେୟାର ନିଷ୍ପତ୍ତିକୁ ମଞ୍ଜୁରୀ ମିଳିଛି । ଏଥିରେ ୧:୧ ଅନୁପାତରେ ବୋନସ ସେୟାର ପାଇଁ ଅନୁମତି ମିଳିଛି । ରିଲାଏନ୍ସର ୪୭ତମ ଏଜିଏମରେ କମ୍ପାନି ନିଜ ସେୟାରଧାରକଙ୍କୁ ଗୋଟିଏ ସେୟାର ଉପରେ ଗୋଟିଏ ବୋନସ ସେୟାର ଦେବା ପାଇଁ ପ୍ରସ୍ତାବ ଦେଇଥିଲା ।
ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ବୋର୍ଡ ଅଗଷ୍ଟ ୫ରେ ୧:୧ ବୋନସ୍ ଇଶ୍ୟୁକୁ ମଞ୍ଜୁରୀ ମିଳିଛି । ୨୦୧୭ ସେପ୍ଟେମ୍ୱର ପରେ ପ୍ରଥମ ଥର ପାଇଁ କମ୍ପାନି ବୋନସ ସେୟାର ଦେବାକୁ ଯାଉଛି । ପ୍ରତ୍ୟେକ ସେୟାରଧାରକଙ୍କୁ ଏବେ ପ୍ରତ୍ୟେକ ସେୟାର ପାଇଁ ଏକ ମାଗଣା ସେୟାର ମିଳିବ । ତେବେ ବର୍ତ୍ତମାନ ରିଲାଏନ୍ସ ବୋନସ କ୍ରେଡିଟ୍ ତାରିଖ ଘୋଷଣା କରି ନାହିଁ ।
ଷ୍ଟକ୍ ଏକ୍ସଚେଞ୍ଜରେ ରେଗୁଲେଟରି ଫାଇଲିଂରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ନିଆଯାଇଥିବା ନିଷ୍ପତ୍ତି ବାବଦରେ ସୂଚନା ଦେଇ କହିଛି ଯେ, ବୋର୍ଡ ରେକର୍ଡ ତାରିଖକୁ କମ୍ପାନିର ଯୋଗ୍ୟ ସେୟାରଧାରକଙ୍କୁ ୧୦ ଟଙ୍କାର ବର୍ତ୍ତମାନ ସେୟାର ବଦଳରେ ୧୦ ଟଙ୍କାର ଏକ ନୂଆ ସେୟାର ଜାରି କରିବା ପାଇଁ ମଞ୍ଜୁରୀ ଦେଇଛି । କମ୍ପାନି ରେଗୁଲେଟରି ଫାଇଲିଂରେ କହିଛି ଯେ ବୋର୍ଡ ଅଥରାଇଜଡ୍ ସେୟାର କ୍ୟାପିଟାଲକୁ ବର୍ତ୍ତମାର ୧୫୦୦୦ କୋଟି ଟଙ୍କାରୁ ବଢାଇ ୫୦୦୦୦ କୋଟି ଟଙ୍କା କରିବା ପାଇଁ ମୋହର ମାରିଛି । ଏହି ନିଷ୍ପତ୍ତି ପରେ ରିଲାଏନ୍ସର ସେୟାର ହ୍ରାସ ସହ ବନ୍ଦ ହୋଇଛି । ଏହା ପଛରେ ତାରିଖ ଘୋଷଣା ନହେବା ଏକ କାରଣ ବୋଲି କୁହାଯାଇଛି । ନିବେଶକ ବୋନସ ସେୟାର ଇଶ୍ୟୁ ତାରିଖକୁ ଅପେକ୍ଷା କରିଥିଲେ, ଯାହା ଏବେ ଘୋଷଣା ହୋଇନାହିଁ ।
ଆରଆଇଏଲ୍ ଏହା ପୂର୍ବରୁ ୨୦୧୭, ୨୦୦୯ ଏବଂ ୧୯୯୭ରେ ସେୟାରଧାରାକଙ୍କୁ ୧:୧ ଅନୁପାତରେ ବୋନସ୍ ସେୟାର ଜାରି କରିଥିଲା । ୧୯୮୩ରେ ୩:୫ରେ ବୋନସ ସେୟାର ଦିଆଯାଇଥିଲା । ଆରଆଇଏଲ୍ରେ ୨୦୨୪ ଜୁନ୍ ଶେଷ ସୁଦ୍ଧା ପ୍ରମୋଟର୍ସଙ୍କ ପାଖରେ ୫୦.୩୩ ପ୍ରତିଶତ ଅଂଶଧନ ରହିଥିଲା । କମ୍ପାନି ଚଳିତ ବର୍ଷ ଏପ୍ରିଲରେ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ସେୟାରହୋଲ୍ଡର୍ସଙ୍କୁ ୧୦ ଟଙ୍କା ପ୍ରତି ସେୟାର ଲାଭାଂଶ ଦେବା ପାଇଁ ଘୋଷଣା କରିଥିଲା ।