ମୁକେଶଙ୍କ ନେତୃତ୍ୱରେ ୨୦ ବର୍ଷରେ ରିଲାଏନ୍ସ; ଆଗକୁ ରହିଛି ଏସବୁ ଯୋଜନା
28/12/2022 at 8:31 PM

ଭୁବନେଶ୍ୱର ୨୮/୧୨: ୨୦ ବର୍ଷ ପୂର୍ବେ ମୁକେଶ ଅମ୍ବାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ହୋଇଥିଲେ। ସେ କମ୍ପାନିର ନେତୃତ୍ୱ ଭାର ନେବାଠାରୁ ଯେଉଁ ସଫଳତାର ଧାରା ଆରମ୍ଭ ହୋଇଥିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ମୁକେଶ ଅମ୍ବାନି ରିଲାଏନ୍ସର ମଙ୍ଗ ସମ୍ଭାଳିବା ପରେ ଗତ ୨ ଦଶନ୍ଧିରେ କମ୍ପାନିର ରାଜସ୍ୱ ଓ ଲାଭ ସହିତ ବଜାର ପୁଞ୍ଜୀକରଣରେ ମଧ୍ୟ ଲଗାତାର ୨ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ହୋଇଛି। ଏହି ୨୦ ବର୍ଷ ମଧ୍ୟରେ କମ୍ପାନିର ଲାଭ ୨୦ ଗୁଣା ବଢ଼ିଥିବା ବେଳେ ବଜାର ପୁଞ୍ଜୀକରଣ ୪୨ ଗୁଣା ବଢ଼ିଛି।
ମୁକେଶ ଅମ୍ବାନିଙ୍କ ଚମତ୍କାର ବ୍ୟବସାୟ ପରିଚାଳନା ଶୈଳୀ ପାଇଁ ରିଲାଏନ୍ସରେ କେବଳ ବଡ଼ ଧରଣର ରୂପାନ୍ତରଣ ହୋଇନି, ବରଂ ନିବେଶକମାନେ ମଧ୍ୟ ବେଶ ଲାଭବାନ ହୋଇଛନ୍ତି। ପ୍ରତିବର୍ଷ ୮୭ ହଜାର କୋଟି ଟଙ୍କା ହିସାବରେ ନିବେଶକମାନେ ୧୭.୪ ଲକ୍ଷ କୋଟି ଟଙ୍କା ପାଇଛନ୍ତି। ଏହି ସମୟରେ ବିଶ୍ୱର ବଡ଼ବଡ଼ ସଂସ୍ଥାଠାରୁ ରିଲାଏନ୍ସ ନିବେଶ ହାସଲ କରିଛି। ଫେସବୁକ୍, ଗୁଗୁଲ୍ ଏବଂ ବିପି ଭଳି ବିଶ୍ୱସ୍ତରୀୟ ସଂସ୍ଥା ରିଲାଏନ୍ସରେ ନିବେଶ କରିବାକୁ ଆଗେଇ ଆସିଛନ୍ତି।
ଦେଶର ସବୁଠୁ ବଡ଼ କମ୍ପାନିର ସଫଳତା କାହାଣୀର ଅନେକ ଅଧ୍ୟାୟକୁ ମୁକେଶ ତାଙ୍କ ହାତରେ ଲେଖିଛନ୍ତି। ପେଟ୍ରୋଲିୟମ୍ରୁ ଯାତ୍ରା ଆରମ୍ଭ କରିଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଟେଲିକମ୍ ଏବଂ ରିଟେଲ୍ କ୍ଷେତ୍ରରେ ବଡ଼ ସଫଳତା ହାସଲ ପାଇଛି। ଅମ୍ବାନି ହିଁ ପ୍ରଥମେ ଡାଟାକୁ “ନୂଆ ତୈଳ’ ବୋଲି କହିଥିଲେ। ଜିଓର ଡାଟା ଦେଶରେ ସାଧାରଣ ଲୋକଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇଦେଇଛି।
ଦେଶ ନୁହେଁ ସାରା ଦୁନିଆର ଅନ୍ୟତମ ବୃହତ ଟେଲିକମ୍ କମ୍ପାନି ଜିଓକୁ ମୁକେଶ ପ୍ରତିଷ୍ଠିତ କରିଛନ୍ତି। ବହୁ କମ୍ ସମୟ ଭିତରେ ଜିଓ ଅନେକ ସଫଳତା ପାଇଛି। ଡିଜିଟାଲ୍ ଦୁନିଆରେ ଏହା ଯେଉଁଭଳି ଆଗକୁ ବଢ଼ିଥିଲା ତାହା ସମସ୍ତଙ୍କୁ ଚକିତ କରିଛି। ସବୁଠୁ ଅଧିକ ଡିଜିଟାଲ ନେଣଦେଣର ରେକର୍ଡ ଏବେ ଭାରତ ନାଁରେ ରହିଛି। ରାସ୍ତାକଡ଼ରେ ଠିଆ ହୋଇଥିବା ଠେଲା ବେପାରିଙ୍କଠାରୁ ଆରମ୍ଭ କରି ପଞ୍ଚ ତାରକା ହୋଟେଲ୍ ପର୍ଯ୍ୟନ୍ତ ସବୁଆଡ଼େ ଡିଜିଟାଲ୍ ପେମେଣ୍ଟ ସୁବିଧା ରହିଛି।
ଏଥିପାଇଁ ସରକାର ଭରପୁର ପ୍ରୟାସ କରିଥିବା ବେଳେ ରିଲାଏନ୍ସ ଜିଓର ମଧ୍ୟ ବଡ଼ ହାତ ରହିଛି। ଯେଉଁ ୧ ଜିବି ଡାଟା ପୂର୍ବରୁ ୨୫୦ ଟଙ୍କାରେ ମିଳୁଥିଲା, ଜିଓ ଆସିବା ପରେ ସେହି ଦାମ୍ ପ୍ରାୟ ୧୦ ଟଙ୍କାକୁ ଖସିଛି। ଡାଟା ବ୍ୟବହାରରେ ଭାରତ ୨୦୧୬ରେ ୧୫୦ତମ ସ୍ଥାନରେ ଥିଲା। ଏବେ ତାହା ସବୁ ଦେଶକୁ ପଛରେ ପକାଇ ଏକ ନମ୍ବର ହୋଇଛି।
ରିଟେଲ୍ କ୍ଷେତ୍ରରେ ରିଲାଏନ୍ସ ଦୁନିଆର ବଡ଼ବଡ଼ କମ୍ପାନିଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଅନଲାଇନ୍ଠାରୁ ଆରମ୍ଭ କରି ଅଫ୍ଲାଇନ୍, ରିଟେଲ୍ ଏବଂ ପାଇକାରୀ ଆଦି କ୍ଷେତ୍ରରେ ମୁକେଶଙ୍କ ନେତୃତ୍ୱରେ ରିଲାଏନ୍ସ ଏହାର ସ୍ଥିତିକୁ ବେଶ ମଜଭୁତ କରିଛି। ଆମାଜନ, ଫ୍ଲିପ୍କାର୍ଟ ଓ ୱାଲ୍ମାର୍ଟ ଭଳି କମ୍ପାନି ରିଲାଏନ୍ସକୁ ନିଜର ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଚାର କରୁଛନ୍ତି। ରିଲାଏନ୍ସ ରିଟେଲ୍ ଦ୍ରୁତ ଗତିରେ ଷ୍ଟୋର ସଂଖ୍ୟା ବଢ଼ାଉଛି। ଗତବର୍ଷ ପ୍ରଦିଦିନ କମ୍ପାନି ହାରାହାରି ୭ଟି ନୂଆ ଷ୍ଟୋର ଖୋଲିବାର ରେକର୍ଡ କରିଛି। ରାଜସ୍ୱ ଦୃଷ୍ଟିରୁ ମଧ୍ୟ ରିଲାଏନ୍ସ ରିଟେଲ୍ ଦେଶର ୧ ନମ୍ବର ରିଟେଲ୍ କମ୍ପାନି ହୋଇଛି।
ଏତେ ସଫଳତା ସତ୍ୱେ ମୁକେଶ ନ ଅଟକି ଆହୁରି ଆଗକୁ ବଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ରିଲାଏନ୍ସର ଭବିଷ୍ୟତ ପାଇଁ ସେ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି। ଜାମନଗରରେ ନିଉ ଏନର୍ଜି ପାଇଁ ୭୫ ହଜାର କୋଟି ଟଙ୍କା ନିବେଶରେ ନୂଆ ଗିଗା ଫ୍ୟାକ୍ଟ୍ରି ସ୍ଥାପନ କରାଯାଉଛି। ସୋଲାର ଏନର୍ଜି (ସୌର ଶକ୍ତି) ଓ ଗ୍ରିନ୍ ହାଇଡ୍ରୋଜେନ୍ ଉପରେ ମଧ୍ୟ ରିଲାଏନ୍ସ ବେଶ ଦ୍ରୁତଗତିରେ କାମ କରୁଛି।