ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍‌ ଓ ୱାଲ୍ଟ ଡିଜ୍‌ନୀ ମଧ୍ୟରେ ହେଲା ମିଶ୍ରଣ; ଜଏଣ୍ଟ ଭେଞ୍ଚରର ନେତୃତ୍ୱ ନେବେ ନୀତା ଅମ୍ବାନୀ

Published By : Prameya-News7 Bureau | February 28, 2024 IST

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଲିମିଟେଡ୍ ଓ ୱାଲ୍ଡ ଡିଜ୍‌ନୀ ମଧ୍ୟରେ ମିଶ୍ରଣ ନେଇ କମ୍ପାନୀ ପକ୍ଷରୁ ଘୋଷଣା ହୋଇଛି। ଉଭୟ କମ୍ପାନୀ ଭାରତରେ ମିଶି ନିଜର ଏଣ୍ଟରଟେନ୍‌ମେଣ୍ଟ ବ୍ରାଣ୍ଡର ଜଏଣ୍ଟ ଭେଞ୍ଚର ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦୁଇ କମ୍ପାନୀ ଦେଶରେ ସବୁଠାରୁ ବଡ଼ ୮.୫ ବିଲିଅନ(୭୦,୩୫୨ କୋଟି) ମିଡିଆ ଏଣ୍ଟରଟେନ୍‌ମେଣ୍ଟ ପାୱାର ହାଉସ୍ ତିଆରି କରିବେ। ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ଏହି ଜଏଣ୍ଟ ଭେଞ୍ଚର ଚେୟାରପର୍ଶନ ରହିବେ। ଉଦୟ ଶଙ୍କର ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ବୋଲି ଦୁଇ କମ୍ପାନୀ ପକ୍ଷରୁ ମିଳିତ ବିବୃତ୍ତି ପ୍ରକାଶ ପାଇଛି।

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ରେଗ୍ୟୁଲେଟରି ଫାଇଲିଙ୍ଗରେ ଷ୍ଟକ୍ ଏକ୍ସଚେଞ୍ଜ୍‌କୁ ଏହି ଡିଲ୍ ସମ୍ପର୍କରେ ସୂଚନା ଦେଇଛି। ରିଲାଏନ୍ସ କହିଛି ଯେ ଭାୟକମ ୧୮ ମିଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ୱାଲ୍ଟ ଡିଜନି କମ୍ପାନୀ ମଧ୍ୟରେ ଜଏଣ୍ଟ ଭେଞ୍ଚର କରିବାକୁ ବୁଝାମଣା ହୋଇଛି। ଜଏଣ୍ଟ ଭେଞ୍ଚର ଗଠନ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି, ଯାହା ଭାୟକମ୍ ୧୮ ଓ ଷ୍ଟାର ଇଣ୍ଡିଆର ବ୍ୟବସାୟକୁ ଯୋଡ଼ିବ।

ଏହି ଜଏଣ୍ଟ ଭେଞ୍ଚରରେ ରିଲାଏନ୍ସ ଗ୍ରୋଥ୍‌ ଷ୍ଟ୍ରାଟେଜୀରେ ୧୧,୫୦୦ କୋଟି ଅର୍ଥାତ୍ ୧.୪ ବିଲିୟନ ଡ଼ଲାର ପୁଞ୍ଜି ନିବେଶ କରିବ। ପୋଷ୍ଟ ମନି ବେସିସ୍‌ରେ ଜଏଣ୍ଟ ଭେଞ୍ଚରରେ ଟ୍ରାଞ୍ଜାକ୍ସନ ଭାଲ୍ୟୁ ୭୦,୩୫୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଡିଲ୍‌ ପୂରା ହେଲେ ଜଏଣ୍ଟ ଭେଞ୍ଚରରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ପାଖରେ ୧୬.୩୪ ପ୍ରତିଶତ ଅଂଶଧନ ରହିବ। ସେହିପରି ଭାୟକମ-୧୮ ପାଖରେ ୪୬.୮୨ ପ୍ରତିଶତ ଏବଂ ଡିଜନି ପାଖରେ ୩୬.୮୪ ପ୍ରତିଶତ ଅଂଶଧନ ରହିବ। କମ୍ପାନୀ ରିଲାଏନ୍ସ ଓ ଏହାର ସହଯୋଗୀଙ୍କଙ୍କର ୬୦ ପ୍ରତିଶତ ଅଂଶଧନ ରହିବ।

ଏହି ଜଏଣ୍ଟ ଭେଞ୍ଚରରେ ଟିଭି ଏବଂ କ୍ରୀଡା କ୍ଷେତ୍ରରେ ଭାରତର ଅଗ୍ରଣୀ ପ୍ଲାଟଫର୍ମରେ ଯୋଗଦେବେ। ଏଥିରେ କଲର୍ସ, ଷ୍ଟାରପ୍ଲସ୍ ଏବଂ ଷ୍ଟାରଗୋଲ୍ଡ ଭଳି ମନୋରଞ୍ଜନ କ୍ଷେତ୍ରର ଅଗ୍ରଣୀ ମିଡିଆ ମିଶିବା ସହ ସ୍ପୋର୍ଟସ୍ ଷ୍ଟାର୍ ସ୍ପୋର୍ଟସ୍ ଏବଂ ସ୍ପୋର୍ଟସ୍- ୧୮ ଏକାଠି ହେବେ। ଯେଉଁଥିରେ ଡିଜିଟାଲ୍ ପ୍ଲାଟଫର୍ମ JioCinema ଏବଂ Hotstar ମଧ୍ୟ ମିଶିବେ। ଜଏଣ୍ଟ ଭେଞ୍ଚରରେ ଦର୍ଶକ ସଂଖ୍ୟ ୭୫ କୋଟି ହେବେ। ଏଥିସହିତ ବିଶ୍ୱର ଥିବା ସମସ୍ତ ଭାରତୀୟଙ୍କ ପାଖରେ ଏହି ନେଟ୍‌ୱର୍କ ପହଞ୍ଚିବ।  

ଏହି ଚୁକ୍ତିକୁ ନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଅଧ୍ୟକ୍ଷ ମୁକେଶ ଅମ୍ବାନୀ କହିଛନ୍ତି ଯେ ଏହା ଏକ ଐତିହାସିକ ଚୁକ୍ତି। ଭାରତୀୟ ମନୋରଞ୍ଜନ ଶିଳ୍ପରେ ଏହା ଏକ ନୂତନ ଯୁଗ ଆରମ୍ଭ କରିବ। ସେ କହିଛନ୍ତି ଯେ ଆମେ ଡିଜ୍‌ନିକୁ ବିଶ୍ୱ ସ୍ତରରେ ସର୍ବଶ୍ରେଷ୍ଠ ମିଡିଆ ଗ୍ରୁପ୍ ଭାବେ ସବୁବେଳେ ସମ୍ମାନ ଦେଇଆସୁଛୁ। ଆମେ ଦୁହେଁ ମିଶି ସୁଲଭ ମୂଲ୍ୟରେ ସାରା ଦେଶରେ ଦର୍ଶକଙ୍କୁ ଉତ୍ତମ କଣ୍ଟେଣ୍ଟ ଯୋଗାଇବୁ ବୋଲି ଅମ୍ବାନୀ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.