ନୂଆଦିଲ୍ଲୀ: ବିଦେଶୀ କମ୍ପାନୀ ଭଳି ଭାରତୀୟ କମ୍ପାନୀ ଘୋଷଣା ନକଲେ ବି କର୍ମଚାରୀ ଛଟେଇ କରୁଛନ୍ତି। ଗତ ଆର୍ଥିକ ବର୍ଷରେ ରିଲାଏନ୍ସ ଗ୍ରୁପ ୩୦ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିଛି। ଆର୍ଥିକ ବର୍ଷ ୨୦୨୪ର ବାର୍ଷିକ ରିପୋର୍ଟରେ ଏହି ସୂଚନା ମିଳିଛି। କମ୍ପାନୀ ନିଜର ରିଟେଲ ବିଭାଗରେ ୩୮,୦୦୦ ଛଟେଇ କରିଛି। ପରିଚାଳନାକୁ ସୁବ୍ୟବସ୍ଥିତ କରିବା ଓ ଖର୍ଚ୍ଚ କାଟ ପାଇଁ ଏକ ବ୍ୟାପକ ରଣନୀତିରେ ଏହି ଛଟେଇ କରାଯାଇଛି।
ଆର୍ଥିକ ବର୍ଷ ୨୦୨୪ର ଶେଷରେ ରିଲାଏନ୍ସ ଗ୍ରୁପର ମୋଟ କର୍ମଚାରୀ ୩,୮୯,୪୧୪ ଲକ୍ଷରୁ ୩,୪୭,୩୬୨ ଲକ୍ଷକୁ ହ୍ରାସ ପାଇଛି। ଫଳରେ କମ୍ପାନୀର ବିଭିନ୍ନ ବ୍ୟବସାୟରୁ ୪୨,୦୫୨ କର୍ମଚାରୀ କମିଛନ୍ତି। ଏହି କର୍ମଚାରୀମାନଙ୍କ ମଧ୍ୟରୁ ୫୩.୯ ପ୍ରତିଶତ କର୍ମଚାରୀଙ୍କ ବୟସ ୩୦ ବର୍ଷରୁ କମ ହୋଇଥିବା ବେଳେ ୨୧.୪ ପ୍ରତିଶତ ମହିଳା କର୍ମଚାରୀ ଥିଲେ। ବାର୍ଷିକ ରିପୋର୍ଟ ଅନୁଯାୟୀ ଯେଉଁମାନେ ସ୍ୱେଚ୍ଛାକୃତ ଭାବେ କମ୍ପାନୀ ଛାଡିଛନ୍ତି ସେମାନଙ୍କ ମଧ୍ୟରୁ ୭୪.୯%ଙ୍କର ବୟସ ୩୦ ବର୍ଷରୁ କମ୍ ଏବଂ ୨୨.୭% ମହିଳା ଅଛନ୍ତି।
କମ୍ପାନୀର ରିଟେଲ ସେକ୍ଟରରେ ଅଧିକ କର୍ମଚାର ନିଯୁକ୍ତି ହୋଇଥାନ୍ତି। ବିଶେଷକରି ଷ୍ଟୋର ଅପରେସନ କ୍ଷେତ୍ରରେ ଅଧିକ କର୍ମଚାରୀ ଥାନ୍ତି। ଆର୍ଥିକ ବର୍ଷ ୨୦୨୪ରେ ରିଲାଏନ୍ସ ଗ୍ରୁପ ପାଖାପାଖଇ ୧୭୧,୦୦୦ ନୂଆ କର୍ମଚାରୀ ନିଯୁକ୍ତି ଦେଇଥିଲା। ଯାହା ଗତ ଆର୍ଥିକ ବର୍ଷ ୨୬୨,୫୫୮ ନୂଆ ନିଯୁକ୍ତି ତୁଳନାରେ ଅନେକ କମ। ତେବେ ୨୦୨୪ରେ ହୋଇଥିବା ନୂଆ ନିଯୁକ୍ତି ମଧ୍ୟରେ ୮୧.୮ ପ୍ରତିଶତ କର୍ମଚାରୀଙ୍କ ବୟସ ୩୯୦ ବର୍ଷରୁ କମ ଥିଲା। ଏବଂ ୨୪.୦ ପ୍ରତିଶତ ମହିଳା। ତେବେ କମ୍ପାନୀ ରିଲାଏନ୍ସ ରିଟେଲରୁ ଅଧିକ ଛଟେଇ କରିଛି। ଆର୍ଥିକ ବର୍ଷ ୨୦୨୪ ଶେଷ ସୁଦ୍ଧା ଏହାର କର୍ମଚାରୀଙ୍କ ସଂଖ୍ୟା ୨୪୫,୦୦୦ରୁ ୨୦୭,୫୫୨କୁ ହ୍ରାସ ପାଇଥିଲା। ଫଳରେ ଏଥିରେ ପ୍ରାୟ ୩୮,୦୦୦ କର୍ମଚାରୀଙ୍କ ଛଟେଇ ହୋଇଛି।
କର୍ମଚାରୀ ଛଟେଇ ହେବା ପରେ ରିଲାଏନ୍ସ ରିଟେଲ ଅପରେଟିଂ ରାଜସ୍ୱରେ ୧୮.୨% ବୃଦ୍ଧି ଘଟି ୨୭୩,୧୩୧ କୋଟିରେ ପହଞ୍ଚିଛି। ଯାହା ଆର୍ଥିକ ବର୍ଷ ୨୦୨୩ରେ ୨୩୦,୯୫୧ କୋଟି ଥିଲା। ଏହାର EBITD (ସୁଧ, ଟିକସ, ଡିପ୍ରିସିଏସନ ଏବଂ ଆମର୍ଟାଇଜେସନ୍ ପୂର୍ବରୁ ଆୟ) ୨୮.୪% ବୃଦ୍ଧି ହୋଇ ୨୩,୦୮୨ କୋଟିରେ ପହଞ୍ଚିଛି। ଏବଂ EBITDA ମାର୍ଜିନ ୮.୫% ବୃଦ୍ଧି ପାଇଛି। ଯଦିଓ ରିଏଲାନ୍ସ ଷ୍ଟୋରକୁ ଗ୍ରାହକଙ୍କ ସୁଅ ଛୁଟୁଛି ହେଲେ କାରବାର ଅଭିବୃଦ୍ଧି ମନ୍ଥର ରହିଛି। ଆର୍ଥିକ ବର୍ଷ ୨୦୨୫ ଜାନୁଆରୀ-ମାର୍ଚ୍ଚ ଏବଂ ଏପ୍ରିଲ୍-ଜୁନ୍ ତ୍ରୟ ମାସିକରେ କାରବାର ଅଭିବୃଦ୍ଧି ଯଥାକ୍ରମେ ୫.୯% ଏବଂ ୬.୪% ଥିଲା।