ଆଜିଠୁ ପ୍ରବାସୀ ଓଡିଆଙ୍କ ପଞ୍ଜିକରଣ : ଫେରିବା ପରେ ରହିବେ ୧୪ ଦିନିଆ କ୍ବାରେଣ୍ଟାଇନରେ

Published By : Prameya-News7 Bureau | April 24, 2020 IST

ଭୁବନେଶ୍ୱର ୨୪।୦୪: ରାଜ୍ୟ ବାହାରୁ ଫେରିବାକୁ ଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ଏବେ ରାଜ୍ୟ ସରକାର ଚିନ୍ତାରେ । ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ଲକଡାଉନ୍‌ ପରେ ନିଜ ଘରକୁ ଫେରିବାକୁ ଥିବାରୁ ସେମାନଙ୍କୁ କେମିତି କ୍ୱାରେଣ୍ଟାଇନରେ ରଖାଯାଇ ନମୁନା ପରୀକ୍ଷା କରାଯିବ ତାହା ସବୁଠାରୁ ବଡ଼ ଚାଲେଞ୍ଜ ଭାବେ ଛିଡ଼ା ହୋଇଛି । କରୋନା ସଂକ୍ରମଣକୁ ଏଡାଇବାକୁ ବିନା ପଞ୍ଜୀକରଣରେ କେହି ବାହାର ରାଜ୍ୟରୁ ନିଜ ଘରକୁ ଆସିପାରିବେନି ବୋଲି ସରକାର ସ୍ପଷ୍ଟ କରିଛନ୍ତି । ଯେଉଁମାନେ ପଞ୍ଜିକୃତ ପରେ ଆସିବେ ସେମାନଙ୍କୁ ପଞ୍ଚାୟତ କିମ୍ବା ପୌରସଂସ୍ଥା କ୍ୱାରେଣ୍ଟାଇନରେ ରଖାଯିବ । ସେମାନଙ୍କୁ ଚିହ୍ନଟ କରି ରଖିବାକୁ ଅଲିଭା କାଳିର ଷ୍ଟାମ୍ପ ମଧ୍ୟ ତାଙ୍କ ହାତରେ ଲଗାଯିବ । ଏଥିପାଇଁ ଆବଶ୍ୟକ ପରିମାଣର ଅଲିଭା କାଳି ମହୀଶୂରର ମଗାଇବାକୁ ପଞ୍ଚାୟତିରାଜ ବିଭାଗକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

{"id":259119,"sizeSlug":"large"}

ଏ ସଂପର୍କରେ ସରକାର ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଆସନ୍ତାକାଲିଠାରୁ ସରକାରଙ୍କ ଅନଲାଇନ ପୋର୍ଟାଲରେ ଜଣେ ପଞ୍ଜୀକରଣ କରିପାରିବ । ଯେଉଁମାନେ ପଞ୍ଜୀକରଣ କରିବେ ସେମାନଙ୍କ ସହ ଦାୟିତ୍ୱରେ ଥିବା ଅଧିକାରୀ ଯୋଗାଯୋଗରେ ରହିବେ । ପଞ୍ଜିକୃତ ବ୍ୟକ୍ତି ଆସି ଷ୍ଟେସନ କିମ୍ବା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ବ୍ଲକ ଓ ପଞ୍ଚାୟତୱାରୀ ବିଭକ୍ତ କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ନିର୍ଦ୍ଦିଷ୍ଟ ପଞ୍ଚାୟତକୁ ଅଣାଯିବ । ଏଥିପାଇଁ ବ୍ଲକ ଓ ପଞ୍ଚାୟତର ଦାୟିତ୍ୱରେ ଥିବା ଅଧିକାରୀ ସ୍ୱତନ୍ତ୍ର ଗାଡ଼ି ନେଇ ଷ୍ଟେସନ କିମ୍ବା ବସଷ୍ଟାଣ୍ଡ ଯିବେ । ପ୍ରତି ପଞ୍ଚାୟତ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି ହେବେ । ବିଡିଓମାନେ ପ୍ରତି ପଞ୍ଚାୟତ ପାଇଁ ଏକ ୫ ଜଣିଆ ଟିମ୍‌ ଗଠନ କରିବେ । ଏହି ଟିମରେ ପଞ୍ଚାୟତ ସଂପାଦକ ଓ ୨ ଜଣ ଶିକ୍ଷକ ରହିବେ ।

ପଞ୍ଚ।।ୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ ।

ସମାନ ବ୍ୟବସ୍ଥା ସହରାଞ୍ଚଳ ପାଇଁ ମଧ୍ୟ କରାଯାଇଛି । ପ୍ରତି ୱାର୍ଡ କିମ୍ବା କିଛି କ୍ଲଷ୍ଟର ପାଇଁ ସରକାର ୱାର୍ଡ ନୋଡାଲ ଅଫିସର ନିଯୁକ୍ତି କରିବେ । ଏମାନେ ବାହାରୁ ପଞ୍ଜୀକରଣ କରି ଘରକୁ ଫେରିବାକୁ ଚାହୁଁଥିବା ଓଡ଼ିଆଙ୍କ ସହ ଯୋଗାଯୋଗ କରିବେ । ସେମାନେ ଫେରିବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏପରିକି ଯଦି ଜଣେ ଚାହିଁବେ ନିଜସ୍ୱ ଖର୍ଚ୍ଚରେ ପୌର ସଂସ୍ଥା ଚିହ୍ନଟ କରିଥିବା କୌଣସି ହୋଟେଲରେ ମଧ୍ୟ କ୍ୱାରେଣ୍ଟାଇନରେ ରହିପାରିବେ । ମାତ୍ର ସେମାନେ କିନ୍ତୁ ସରକାରଙ୍କ ଗାଇଡଲାଇନ ମାନି ରହିବାକୁ ବାଧ୍ୟ ।

ଉଲ୍ଳେଖଯୋଗ୍ୟ, ଆଗାମୀ ଦିନରେ ପ୍ରାୟ ୫ ଲକ୍ଷ ଓଡ଼ିଆ ନିଜ ଗାଁକୁ ଫେରିବାକୁ ଥିବାରୁ ସେମାନଙ୍କଠାରୁ ଯେଭଳି କରୋନା ସଂକ୍ରମଣ ନବ୍ୟାପେ ସେଥିପାଇଁ ପଞ୍ଚାୟତର ସରପଞ୍ଚମାନଙ୍କୁ ଗାଁ ଜଗିବାକୁ ମୁଖ୍ୟମନ୍ତ୍ରୀ ଶପଥପାଠ କରାଇଛନ୍ତି। ସରକାରଙ୍କ ଏ ଆଗୁଆ ପ୍ରସ୍ତୁତି ଆଗାମୀ ଦିନରେ ସହର ସମେତ ଗାଁ ଗୁଡ଼ିକରେ କାରୋନା ସଂକ୍ରମଣକୁ ଏଡ଼ାଇପାରିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.